ଘାଟିକିଆରେ ସ୍ୱାସ୍ଥ୍ୟ ମେଳା ଉଦ୍‌ଘାଟିତ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ୨୩ନମ୍ବର ୱାର୍ଡସ୍ଥିତ ଘାଟିକିଆ ଦୁର୍ଗା ମଣ୍ଡପଠାରେ ଏକ ବିଶାଳ ସ୍ବାସ୍ଥ୍ୟ ମେଳାକୁ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦ୍‌ଘାଟନ କରିଛନ୍ତି। ସାମାଜିକ ଅନୁଷ୍ଠାନ ଅଜିତା ଏବଂ ସମର୍ଥ ଆନୁକୂଲ୍ୟ‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲର ଡାକ୍ତରମାନେ ଅଂଶଗ୍ରହଣ କରି ସ୍ଥାନୀୟ ବସ୍ତି ଓ କଲୋନିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବାରଙ୍ଗ ସ୍ବାସ୍ଥ୍ୟ ଭିଲାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାକୃତିକ ଉପାୟରେ ଚିକିତ୍ସା ଓ ଫିଜିଓଥେରାପି ମାଧ୍ୟମରେ ରୋଗ ଉପଶମ କରାଇଥିଲେ।

ଏଥିରେ ୨୫୦ରୁ ଊର୍ଧ୍ବ ରୋଗୀଙ୍କ ଚିକିତ୍ସା ସହ ସାଂସଦଙ୍କ ତରଫରୁ ବିନାମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା। ବିଜେପିର ସ୍ଥାନୀୟ କର୍ପୋରେଟର୍‌ ପ୍ରାର୍ଥିନୀ ଆରତି ଭୂୟାଁ ଏବଂ ଯୁବନେତା ଇଦିସ ଭୂୟାଁ ମେଳାକୁ ପରିଚାଳନା କରିଥିଲେ। ଅଜିତାର ସଭାନେତ୍ରୀ ମୌସୁମୀ ମହାପାତ୍ର, ସମର୍ଥର ସଭାପତି କାହ୍ନୁଚରଣ ଦାଶ, ସଂଗୀତା ମାଝୀ, ଆଶୋକ ପଟ୍ଟନାୟକ, କୁଳମଣି ରାଉତଙ୍କ ସହ ଅଜିତା ଓ ସମର୍ଥର ବହୁ ବରିଷ୍ଠ ସଦସ୍ୟ/ସଦସ୍ୟା ତଥା ସ୍ଥାନୀୟ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ। ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଏବଂ ବହୁ ନେତୃବୃନ୍ଦ ଉପସ୍ଥିତ ରହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଘାଟିକିଆ ଦୁର୍ଗାମଣ୍ଡପ କର୍ତ୍ତୃପକ୍ଷ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର