ଖଣ୍ଡଗିରି ପାହାଡ଼ ନିକଟରେ ହୃଦୟବିଦାରକ ଦୃଶ୍ୟ, ଛୁଆ ମାଙ୍କଡ଼କୁ ବଞ୍ଚାଇ ପାରିଲେନି

ଲୁହା ଗ୍ରିଲରେ ପଡ଼ି ଆହତ ହୋଇଥିଲା

ଭୁବନେଶ୍ବର: ଆଜିର ସମାଜ ଯୁବକଙ୍କୁ ମୋବାଇଲ୍‌ମନସ୍କ ଓ ଦାୟିତ୍ବହୀନତାର ଆଖ୍ୟା ଦେଇଥିବା ବେଳେ ପୁଣି ତାକୁ ଭୁଲ୍ ସାବ୍ୟସ୍ତ କରିଛନ୍ତି ଯୁବଗୋଷ୍ଠୀ। ଗୁରୁତର ଭାବେ ଆହତ ଏକ ଛୁଆ ମାଙ୍କଡ଼କୁ ବଞ୍ଚାଇବା ପାଇଁ ଶତ ଉଦ୍ୟମ କରି ବିଫଳ ହେବା ପରେ ପରମ୍ପରା ଅନୁଯାୟୀ ତାକୁ ପୂଜାର୍ଚ୍ଚନା କରି ଯୁବକମାନେ ସତ୍କାର କରିଛନ୍ତି।

ଐତିହ୍ୟ ଖଣ୍ଡଗିରି ପାହାଡ଼ ପାଖରେ ଆଜି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଦିନ ପ୍ରାୟ ୧୧ଟା ୩୦ରେ କିଛି ମାଙ୍କଡ଼ ଗଛ ଡାଳରେ ବସିଥିଲେ। ଏ ଡାଳରୁ ସେ ଡାଳ ଡେଇଁବା ଭିତରେ ଗୋଟିଏ ମା’ ମାଙ୍କଡ଼ କୋଳରୁ ତା’ ଛୁଆ ଖସି ସିଧା ଯାଇ ଲୁହା ଗ୍ରିଲ୍‌ର କଣ୍ଟା ମୁନରେ ପଡ଼ିଥିଲା। ଫଳରେ ତା’ ପେଟରୁ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଏହା ଦେଖି ମା’ ମାଙ୍କଡ଼ ଛୁଆକୁ ସଙ୍ଗେ ସଙ୍ଗେ ତା’ ପାଖକୁ ନେଇଥିଲା ସିନା କିନ୍ତୁ ଛୁଆର କ୍ଷତ ଦେଖି ଚିନ୍ତାରେ ପଡ଼ିଥିଲା। ମା’ ମାଙ୍କଡ଼ ତା’ କ୍ଷତାକ୍ତ ଛୁଆକୁ ରକ୍ଷା କରିବା ପାଇଁ ଏ ମୁଣ୍ଡରୁ ସେ ମୁଣ୍ଡ ଦୌଡ଼ି ଦୌଡ଼ି ଲୋକଙ୍କୁ ନିବେଦନ କରିଥିଲା। ସେହି ସମୟରେ କିଛି ସ୍ଥାନୀୟ ଯୁବକ ଏହି ଦୃଶ୍ୟ ଦେଖି ଛୁଆ ମାଙ୍କଡ଼କୁ ମା’ ପାଖରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତର ପାଖକୁ ନେବାକୁ ଚାହୁଥିଲେ। ମାତ୍ର ମା’ ମାଙ୍କଡ଼ କ୍ରୋଧରେ ଜର୍ଜରିତ ହୋଇ ତା’ ଛୁଆକୁ ହାତ ମାରିବାକୁ ମଧ୍ୟ ଦେଇ ନଥିଲା। ଶେଷରେ ପାତ୍ରପଡ଼ା ଉପବନଖଣ୍ଡ କର୍ମଚାରୀ ଆସି ଛୁଆକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ ହେଁ ଅଧାବାଟରେ ସେ ମରି ଯାଇଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମା’ ମାଙ୍କଡ଼ ପାଖରୁ ତା’ ଛୁଆକୁ ଚିକିତ୍ସା ପାଇଁ ଅଲଗା କରି ନେଇଯିବା ପରେ ସେ ତା’କୁ ଖୋଜି ଖୋଜି ନୟାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା। କେତେବେଳେ ବନ୍ଦ ଦୋକାନର ତଳେ ଥିବା ଫାଙ୍କରେ ଗଳି ଖୋଜୁଥିଲା‌ ତ’ କେତେବେଳେ ହୋର୍ଡିଂ ପାଇଁ ଲାଗିଥିବା ଲୁହା ଖମ୍ବ ଉପରେ ଚଢ଼ି ଚାରିଆଡ଼କୁ ଦୃଷ୍ଟି ପକାଉଥିଲା। କାଳେ ତା’ ଛୁଆ ଏଇଠି କୋଉଠି ପଡ଼ିଛି, ନା’ ତାକୁ କିଏ ଲୁଚେଇ ରଖିଛି। ଏହି ଦୃଶ୍ୟ ଏତେ ଦୁଃଖଦ ଥିଲା ଯେ ବାଟରେ ଯାଉଥିବା ପଥଚାରୀ ଗାଡ଼ି ଅଟକାଇ କିଛି କ୍ଷଣ ପାଇଁ ତାକୁ ଦେଖୁଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଏହି କଥା ଶୁଣି ଆହା ପଦେ କହି ପୁଣି ନିଜ ନିଜ ବାଟରେ ଚାଲି ଯାଉଥିଲେ।

ସମ୍ବନ୍ଧିତ ଖବର