ମେଣ୍ଢାଶାଳ: ଚନ୍ଦକା ଅଭୟାରଣ୍ୟର ହାତୀମାନଙ୍କ ପରେ ଏବେ ମେଣ୍ଢାଶାଳ ଚାଷୀଙ୍କୁ ବାର୍ହା ଚିନ୍ତା ଘାରିଛି। ସବୁଦିନ ରାତିରେ ପଲପଲ ବାର୍ହା ମେଣ୍ଢାଶାଳ ଗହୀରରେ ପଶି ବ୍ୟାପକ ଧାନଫସଲ ନଷ୍ଟ କରୁଛନ୍ତି। ଏବେ ଧାନ ଥୋଡ଼ ଧରୁଥିବା ବେଳେ ବାର୍ହାମାନେ ଧାନ ଗଛ ତାଡ଼ି ଦେଉଥିବାରୁ ଗଛ ସବୁ ନଷ୍ଟ ହୋଇଯାଉଛି। ଏନେଇ ବନ ବିଭାଗ ଚୁପ୍ ବସିଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧୀରେଧୀରେ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି।
ସ୍ଥାନୀୟ ଚାଷୀ ସତ୍ୟବାଦୀ ମଙ୍ଗରାଜ, ଗଗନ ବିହାରୀ ଛୋଟରାୟ, ଗୌରାଙ୍ଗ ବଡ଼ଜେନା, କାଳନ୍ଦୀ ଭୋଇ, ପ୍ରହଲ୍ଲାଦ ଭୋଇ, ମଧୁ ମହାପାତ୍ର, ଅମୂଲ୍ୟ ପାତ୍ରଙ୍କ ଅଭିଯୋଗ ଅନୁସାରେ ଦେଉଳିଆ ମୁଣ୍ଡିଆରେ ରହୁଥିବା ବାର୍ହାମାନେ ଗହୀର ମଝୁରକୁଣ୍ଡ ମାଳକୁ ପଶି ଆସୁଛନ୍ତି। ସନ୍ଧ୍ୟା ହେଉ ହେଉ ବାର୍ହା ଗୋଠ ଗହୀରକୁ ମାଡ଼ି ଆସୁଛନ୍ତି। ଧାନ ବିଲରେ ପଶି ମାଟି ତାଡ଼ି ପକାଉଛନ୍ତି। ଏବେ ଧାନ ଥୋଡ଼ ଧରୁଛି। ଆଉ କିଛି ଦିନ ପରେ ଫୁଲ ଉଡ଼ାଇବ। କିନ୍ତୁ ଏହି ସମୟରେ ଗଛ ମୂଳ ତାଡ଼ି ହୋଇଯିବାରୁ ଧାନଗଛ ମରିଯାଉଛି। ବନ ବିଭାଗ ପକ୍ଷରୁ ବାର୍ହା ଘଉଡ଼ାଇବାକୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଚାଷୀମାନେ ଏକାଠି ହୋଇ ଗହୀରକୁ ଯାଉଛନ୍ତି ଏବଂ ଟିଣ ବାଡ଼େଇବା ସହ ନିଆଁ ହୁଳା ଧରି ବାର୍ହାମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତାହା ଯଥେଷ୍ଟ ହେଉନାହିଁ। ଗହୀରର ଗୋଟିଏ ମାଳରୁ ତଡ଼ିବା ବେଳକୁ ବାର୍ହାମାନେ ଅନ୍ୟ ମାଳକୁ ମାଡ଼ି ଯାଉଛନ୍ତି। ତେଣୁ ଦେଉଳିଆ ମୁଣ୍ଡିଆରୁ ଦୂର ହେଲେ ବି ବଡ଼ ଆମ୍ବମାଳ, ଚତରା ମାଳ, ନଖିଚୂଆ ମାଳ ଓ ବାଲିଗାଡ଼ିଆ ମାଳରେ ବି ବାର୍ହାମାନେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି।