ସାବଧାନ! ବ୍ୟାଙ୍କ ନିକଟରେ ବୁଲୁଛନ୍ତି ହାଇପ୍ରୋଫାଇଲ ଲୁଟେରା

ଅସାବଧାନତାର ସୁଯୋଗରେ ଝାମ୍ପି ନେଉଛନ୍ତି, ବ୍ୟାଙ୍କ ଭିତରୁ ଜୁଏଲର୍ସ ସୋ’ରୁମର ଟଙ୍କା ନେଇଗଲେ

ଭୁବନେଶ୍ବର: ଆପଣ ଟଙ୍କା କାରବାର କରିବାକୁ ବ୍ୟାଙ୍କ ଆସୁଛନ୍ତି କି? ତା’ହେଲେ ହୋଇ ଯାଆନ୍ତୁ ସାବଧାନ! ବ୍ୟାଙ୍କ ପାଖରେ ବୁଲୁଛନ୍ତି ହାଇପ୍ରୋଫାଇଲ ଲୁଟେରା। ଟିକେ ଅସାବଧାନ ହେଲେ ଆଖି ପିଛୁଳାକେ ଟଙ୍କା ବ୍ୟାଗ୍ ଝାମ୍ପି ଫେରାର ହୋଇ ଯାଉଛନ୍ତି। ରାଜଧାନୀ ଭୁବନେଶ୍ବରରେ ଗୋଟିଏ ଦିନରେ ଦୁଇ ଦୁଇଟି ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ସହିଦନଗର ଥାନା ଅନ୍ତର୍ଗତ ମହର୍ଷି କଲେଜ ରାସ୍ତାରୁ ଗତ ୫ ତାରିଖରେ ଜଣେ ଡାକ୍ତରାଣୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ୍ ପରେ ଏବେ ସେହିଦିନ ଘଟିଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଏକ ଜୁଏଲର୍ସ ସଂସ୍ଥାର ଟଙ୍କା ଜମା ପାଇଁ ତାଙ୍କର ଦୁଇ ଜଣ କର୍ମଚାରୀ ଓ ଜଣେ ସୁରକ୍ଷାକର୍ମୀ ସତ୍ୟନଗର ଆକ୍ସିସ୍ ବ୍ୟାଙ୍କକୁ ଯାଇଥିଲେ। ଟଙ୍କା ଜମା କରିବା ପରେ ଏକ ବ୍ୟାଗରେ ୧୦ ହଜାର ଟଙ୍କା ଥିଲା। ସେହି ବ୍ୟାଗକୁ ନିକଟରେ ରଖିଥିଲେ। କିନ୍ତୁ ପରେ ଆଉ ପାଇ ନ ଥିଲେ।

ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଜଣେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଧରି ବାହାରେ ପଲସର୍‌ ବାଇକ୍‌ରେ ଅପେକ୍ଷା କରିଥିବା ସାଥୀ ସହ ଫେରାର ହୋଇ ଯାଇଥିଲା। ଏହି ଘଟଣା ଏବେ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଟଙ୍କା ଛଡ଼ାଉଥିବା ଏହି ଗ୍ୟାଙ୍ଗ ରାଜଧାନୀରେ ଗତ କିଛି ମାସ ହେଲାଣି ସକ୍ରିୟ ଥିବା ଅନୁମାନ କରାଯାଉଛି। ଲୁଟେରାମାନେ ବିଶେଷ କରି ବ୍ୟାଙ୍କର ଆଖପାଖ ଅଞ୍ଚଳରେ ବୁଲୁଛନ୍ତି। ଟଙ୍କା କାରବାର କରିବାକୁ ଆସିଥିବା ଲୋକଙ୍କ ଉପରେ ନଜର ରଖୁଛନ୍ତି। ଏହାପରେ ଟାର୍ଗେଟ କରି ଟଙ୍କା ଲୁଟି ଫେରାର ହୋଇ ଯାଉଛନ୍ତି।

ସମ୍ବନ୍ଧିତ ଖବର