ଭୁବନେଶ୍ବର: ରାଜମହଲ ଛକରେ ଘଟିଥିବା ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କାର୍ ମାଲିକ ବିକାଶ ପାଲ୍(୨୬)କୁ ଶେଷରେ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିଛି। ୪ ଦିନ କାଳ ପୁଲିସକୁ ଚକ୍ମା ଦେଇ ଖସିଯାଉଥିବା ବିକାଶକୁ ଆଜି ପୁଲିସ ଆଠଗଡ଼ରୁ ପିଛା କରିକରି ଶିରିପୁର ଛକରୁ ଧରିଛି। କାର୍ ମାଲିକ ବିକାଶ ଘଟଣା ଦିନ ନିଜେ ଗାଡ଼ି ଚଳାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା।
ଘଟଣା ପରଠୁ ବିକାଶ ଗିରଫଦାରୀରୁ ବର୍ତ୍ତିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିଲା। ଭୁବନେଶ୍ବରସ୍ଥିତ ଏକ ଘରୋଇ ବ୍ୟାଙ୍କ୍ରେ ଫାଇନାନ୍ସ ବିଭାଗରେ କାମ କରୁଥିବା ବିକାଶ ଚାକିରି ହରାଇବା ଭୟରେ ପୁଲିସ ହାତରେ ଧରାଦେଉନଥିଲା। ଆଗୁଆ ଜାମିନ ପାଇବା କିମ୍ବା ଦୁର୍ଘଟଣାକୁ ନିଜ ମୁଣ୍ଡକୁ ନେବା ପାଇଁ କୌଣସି ଜଣେ ଡ୍ରାଇଭର ଯୋଗାଡ଼ କରିବା ଲକ୍ଷ୍ୟରେ ସେ ଘୂରିବୁଲୁଥିଲା। ମୋବାଇଲ୍ ବନ୍ଦ କରି ସେ ବୁଲୁଥିବାରୁ ତାକୁ ଠାବ କରିବା ପୁଲିସ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ଏହା ଭିତରେ ସେ ଆଠଗଡ଼ରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହି ହାଇକୋର୍ଟରୁ ଜାମିନ ପାଇଁ ଉଦ୍ୟମ ଚଳାଇଥିଲା। ଗତକାଲି ରାତିରେ ତା ମୋବାଇଲ୍ ସକ୍ରିୟ ହେବାରୁ ପୁଲିସକୁ ଖବର ମିଳିଯାଇଥିଲା। ତେଣୁ ତାକୁ ଧରିବାକୁ ଯୋଜନା କରି ପୁଲିସ ଆଜି ଆଠଗଡ଼ରୁ ଭୁବନେଶ୍ବର ପର୍ଯ୍ୟନ୍ତ ଜାଲ ବିଛାଇଥିଲା। ଆଜି ବିକାଶ ଆଠଗଡ଼ରୁ ବାହାରିବା ପରେ ପୁଲିସ ଟିମ୍ ତାକୁ ପିଛା କରିଥିଲା। କିନ୍ତୁ ବାଟରେ ବିକାଶ ଗାଡ଼ି ବଦଳାଇଦେଇଥିଲା। ତେଣୁ ସେ କଟକ ଗଲା କି ଭୁବନେଶ୍ବର ଆସୁଛି, ପୁଲିସ ଠଉରାଇପାରିନଥିଲା। ଅବଶ୍ୟ କିଛି ସମୟ ପରେ ସେ ଭୁବନେଶ୍ବର ଆସୁଛି ବୋଲି ଜଣାପଡ଼ିଥିଲା। ପଟିଆ ପୂର୍ବରୁ ସେ ପୁଣି ଏକ ଗାଡ଼ି ବଦଳାଇ ଅନ୍ୟ ଏକ କାର୍ରେ ଆସୁଥିଲା। ଶେଷରେ ଶିରିପୁର ଛକରେ ଉକ୍ତ କାର୍କୁ ପୁଲିସ ଅଟକାଇବା ସହ ବିକାଶକୁ ଗିରଫ କରିଥିଲା।
ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏଜି ପଟୁ ଆସୁଥିବା ନାଲିରଙ୍ଗର ମାରୁତି ସୁଇଫ୍ଟ କାର୍ (ଓଡି୦୫-ଏଏକ୍ସ-୨୫୮୫) ରାଜମହଲ ଓଭରବ୍ରିଜ ତଳେ ଫୁଟ୍ପାଥ୍ ଉପରକୁ ଚଢ଼ିଯାଇଥିଲା। ଫଳରେ ଫୁଟ୍ପାଥ୍ରେ ଶୋଇଥିବା ପିପିଲି ଅଞ୍ଚଳର ଦୀନବନ୍ଧୁ ବରାଳଙ୍କ ଉପରେ କାର୍ ମାଡ଼ିଯାଇଥିଲା। ସୌଭାଗ୍ୟକୁ ଏହି ଦୁର୍ଘଟଣାରୁ ଫୁଟ୍ପାଥ୍ରେ ଶୋଇଥିବା ଅନ୍ୟ ୧୦ରୁ ଊର୍ଦ୍ଧ୍ବ ଲୋକ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ଘଟାଇବା ପରେ କାର୍ଟି ସିଧା ଉତ୍ତରା ଛକ ଦିଗରେ ପଳାଇଥିଲା। କିନ୍ତୁ କୌଣସି କାରଣରୁ ଲିଙ୍ଗିପୁର ନିକଟରେ ଦୟାନଦୀ ପଠାକୁ କାର୍ ନେଇ ଚାଳକ ସେଠାରୁ ଫେରାର୍ ହୋଇଯାଇଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ବିକାଶ ସେଦିନ ରାତିରେ ପୋଖରୀପୁଟସ୍ଥିତ ଏକ ରିସର୍ଟରେ ଆୟୋଜିତ ପାର୍ଟିରୁ ଫେରୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/fh4646hhkkkkh.jpg)