ବିଜେଡିରେ ମିଶିଲେ ଆଉ ଜଣେ ସ୍ବାଧୀନ: କର୍ପୋରେଟର୍‌ ସଂଖ୍ୟା ୫୧କୁ ବୃଦ୍ଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଉ ଜଣେ ସ୍ବାଧୀନ କର୍ପୋରେଟର ଆଜି ବିଜେଡିରେ ମିଶିଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଭୁବନେଶ୍ବର (ଉତ୍ତର) ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ୧୩ ନମ୍ବର ୱା‌ର୍ଡର ସ୍ବାଧୀନ କର୍ପୋରେଟର୍‌ ଇତିଶ୍ରୀ ଦାସ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଶ୍ରୀମତୀ ଦାସଙ୍କ ମିଶ୍ରଣ ପରେ ବିଏମ୍‌ସିରେ ବିଜେଡି କର୍ପୋରେଟର୍‌ଙ୍କ ସଂଖ୍ୟା ୫୧ରେ ପହଞ୍ଚିଛି। ବିଜେଡିର ୪୮ଜଣ କର୍ପୋରେଟର୍‌ ଜିତିଥିବା ବେଳେ ପୂର୍ବରୁ ୯ ଓ ୬୦ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର୍‌ ବିଜେଡିରେ ମିଶି ସାରିଛନ୍ତି।

ଯଦି ଦେଖାଯାଏ, ତିନି ବିଧାନସଭା ନିର୍ବାଚନମଣ୍ଡଳୀରୁ ୯ଜଣ ସ୍ବାଧୀନ କର୍ପୋରେଟର୍‌ ଜିତିଥିଲେ। ଉତ୍ତର ଭୁବନେଶ୍ବରରୁ ଜିତିଥିବା ତିନି ସ୍ବାଧୀନ କର୍ପୋରେଟର୍‌ଙ୍କ ମଧ୍ୟରୁ ଦୁଇଜଣ ବିଜେଡିରେ ମିଶି ସାରିଲେଣି। ଏକାମ୍ର ନିର୍ବାଚନମଣ୍ଡଳୀର ୪ଜଣ ସ୍ବାଧୀନଙ୍କ ମଧ୍ୟରୁ ଜଣେ ଏବଂ ମଧ୍ୟ ନିର୍ବାଚନ ମଣ୍ତଳୀରୁ କୌଣସି ବି ସ୍ବାଧୀନ କର୍ପୋରେଟର ବିଜେଡିରେ ମିଶି ନାହାନ୍ତି। ୯ ତାରିଖ ଭିତରେ ୯ଜଣ ଯାକ ସ୍ବାଧୀନ କର୍ପୋରେଟର୍‌ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ବିଭିନ୍ନ କାରଣରୁ ମିଶ୍ରଣ ପ୍ରକ୍ରିୟା ବିଳମ୍ବ ହେଉଥିବା ଜଣାପଡ଼ିଛି।

ବିଜେଡିରେ ମିଶିବା ପରେ ୧୩ନମ୍ବର ୱାର୍ଡ କର୍ପୋ‌ରେଟର୍‌ ଇତିଶ୍ରୀ ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ସ୍ଥାନୀୟ ବିଧାୟକ ଶ୍ରୀ ରାଉତଙ୍କ ଉପରେ ଆସ୍ଥା ରଖି ବିଜେଡିରେ ସାମିଲ ହୋଇଛି। ଆଗାମୀ ଦିନରେ ୧୩ ନମ୍ବର ୱାର୍ଡର ସମସ୍ତ ଗୁରୁଜନ, ଯୁବକ/ଯୁବତୀ ଓ ବସ୍ତିବାସିନ୍ଦାଙ୍କୁ ନେଇ ବିଧାୟକଙ୍କ ସହଯୋଗରେ ଏହାକୁ ବିଏମ୍‌ସିର ଆଦର୍ଶ ୱାର୍ଡରେ ପରିଣତ କରିବି। ଲୋକଙ୍କ ସହ ରହିଛି, ସବୁବେଳେ ରହିବି।
ଆଜିର ଏହି ମିଶ୍ରଣ ପର୍ବରେ ବିଡିଏର ଅଶୋକ ବେହେରା, ମୃତ୍ୟୁଞ୍ଜୟ ଦାସ, ରମେଶ ସାହୁ, ପ୍ରଭାତ ମହାନ୍ତି, ଅରୁଣ ସାହୁ, ରତିକାନ୍ତ ଦାସ, ମୋହନ ସେଠୀ, ସଲିଳ ମହାନ୍ତି, ଶିବ ସାହୁ, ମାୟାଧର ଦାସ, ସ୍ବପ୍ନାରାଣୀ ପ୍ରଧାନ, ଇତିଶ୍ରୀ ଜେନା, ବୀଣାପାଣି ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର