ଜିମ୍, ପାର୍ଲର ସଂସ୍ଥା ସହ କଳାକାର, କୃଷକଙ୍କ ମିଳିତ ବିକ୍ଷୋଭ

ଭୁବନେଶ୍ୱର,: ଆଜି ଜିମ୍, ପାର୍ଲର ସଂସ୍ଥାର ମାଲିକ, କର୍ମଚାରୀଙ୍କ ସହ କଳାକାର ଓ କୃଷକମାନଙ୍କର ଏକ ମିଳିତ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଲୋୟର୍‌ ପିଏମ୍‌ଜିରେ ଅନୁଷ୍ଠିତ ଏହି ବିକ୍ଷୋଭରେ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗ ଦେଇଥିଲେ। ଏବେ ରାଜ୍ୟରେ କଳାକାର, ପାର୍ଲର, ଜିମ୍‌, ସେଲୁନର ମାଲିକ ଓ କର୍ମଚାରୀମାନେ ଘୋର ଦୁର୍ଦ୍ଦିନରେ କାଳ କାଟୁଛନ୍ତି ବୋଲି ସେ କହିଥିଲେ। ଚାଷୀମାନେ ତ୍ରାହିତ୍ରାହି ଡାକ ଛାଡ଼ୁଥିବା ବେଳେ ସରକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ ନକରି ଧାରା ୨୧ ଅନୁସାରେ ଲୋକଙ୍କୁ ଜୀବିକା ଯୋଗାଉନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ତେଣୁ ସରକାର ୧୧ ଶହ କୋଟି ଟଙ୍କାର ପ୍ୟାକେଜ୍‌ ଦେଇ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ ବୋଲି ସେ ଦାବି କରିଥିଲେ। କଳାକାର ସଂଘର ସମ୍ପାଦକ ଆର୍‌କେ ହୀରାଲାଲ୍‌, ବାପି ପଣ୍ଡା, ଗୌର ଦାସ, ସୁବାସ ବେହେରା ପ୍ରମୁଖ କହିଥିଲେ ଯେ ସେମାନେ କେବେ ସରକାରଙ୍କଠାରୁ ରିଲିଫ୍ ଆଶା କରିନାହାନ୍ତି।

କିନ୍ତୁ ସରକାର ସେମାନଙ୍କ ହାତ ପାଦ ବାନ୍ଧି ଦେଲା ପରେ ଆର୍ଥିକ ସହାୟତା ନ ଦେବା ଭଳି ଅନ୍ୟାୟ କରିଛନ୍ତି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ। ୧୫ ଦିନ ଭିତରେ ସେମାନଙ୍କୁ ଆର୍ଥିକ ସହାୟତା ଓ ରାତିରେ ଯାତ୍ରା ପାଇଁ ଅନୁମତି ନମିଳିଲେ, ସମଗ୍ର ରାଜ୍ୟରେ ଷ୍ଟ୍ରିଟ୍‌ ପ୍ଲେ’ ମାଧ୍ୟମରେ ସରକାରଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ। ପାର୍ଲର, ଜିମ୍ ତରଫରୁ ଯୋଗ ଦେଇଥିବା କର୍ମକର୍ତ୍ତା ସେମାନଙ୍କର ଦୁଃଖ ଓ କ୍ଷୋଭ ପ୍ରକାଶ କରିଥିଲେ। ଏହି ବିକ୍ଷୋଭରେ କନକ ସାଇଁ, ବି. ମଧୁସ୍ମିତା, ଅନିତା ବିଶ୍ବାସ, ବିଉଟି ପାର୍ଲର ସଂଘର ପ୍ରବୀଣା ତ୍ରିପାଠୀ, ରାଜେଶ ମହାପାତ୍ର, ନମିତା ମହାରଣା, ଜିମ୍ ସଂଘର ଦ୍ବିତୀକୃଷ୍ଣ ବେହେରା, ସୟାଦ୍ ସାଦ୍ଦିକଉଦ୍ଦିନ୍‌ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର