ଭୁବନେଶ୍ୱର: କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କର ଏକ ବିଶାଳ ସମାବେଶ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବେ। ସମାବେଶରେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ୨୦ହଜାରରୁ ଊର୍ଦ୍ଧ୍ୱ କମ୍ୟୁନିଟି ସପୋର୍ଟ ଷ୍ଟାଫ ଯୋଗଦେବେ। ଆଜି ବିଜୁ ଶ୍ରମିକ ସହବନ୍ଧିତ ‘ଅଲ୍ ଓଡିଶା ଜିପିଏଲ୍ଏଫ୍ ମିସନଶକ୍ତି କର୍ମୀ ସାମ୍ମୁଖ୍ୟ’ ପକ୍ଷରୁ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସଭାନେତ୍ରୀ ନିରୁପମା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମସ୍ତ ଷ୍ଟାଫ୍ଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଦରମା ବୃଦ୍ଧି କରିବା ସହିତ କାର୍ଯ୍ୟାନୁସାରେ ଗସ୍ତଖର୍ଚ୍ଚ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରିବା, ସମସ୍ତଙ୍କ ପାରିଶ୍ରମିକ ରାଶି ୭୫% ପରିବର୍ତ୍ତେ ଶତ ପ୍ରତିଶତ କରାଯିବା, ଜିପିଏଲ୍ଏଫ୍ ନିମିତ୍ତ ଗୋଷ୍ଠୀ ବିନିଯୋଗ ପାଣ୍ଠିକୁ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବା, ବିଭାଗୀୟ ପରିଚୟ ପତ୍ର, ଡ୍ରେସ୍ କୋଡ୍ ପ୍ରଦାନ କରାଯିବା, ଅନ୍ୟାନ୍ୟ କାର୍ଯ୍ୟପାଇଁ ଘୋଷଣା ହୋଇଥିବା ବୋନସ୍ ସହିତ ମୋବାଇଲ୍ ପାଇଁ ଥିବା ସହାୟତା ରାଶି ପ୍ରଦାନ କରାଯିବା, ଇଏସ୍ଆଇ ଅନ୍ତର୍ଭୁକ୍ତ କରାଯିବା, ବିଭାଗୀୟ ସ୍ତରରେ ବାହାରୁଥିବା ପଦବି ଗୁଡିକରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଭଳି ଦାବି ଉପରେ ଆଲୋଚନା ହୋଇଛି। ଏହି ସମ୍ମିଳନୀରେ ରାଜ୍ୟରେ ପଞ୍ଚାୟତସ୍ତରରେ କାର୍ଯ୍ୟରତ ଓଡ଼ିଶା ଲାଇଭ୍ଲିହୁଡ୍ ମିସନ ଅନ୍ତର୍ଗତ ଏମ୍ବିକେ, ସିଆର୍ପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର, ଏଲ୍ଏସ୍ପି ଇତ୍ୟାଦିରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଯୋଗ ଦେଇଥିଲେ।
ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ବିଜୁ ଶ୍ରମିକ ସାମ୍ମୁଖ୍ୟ ଭୁବନେଶ୍ୱର ସଭାପତି ନବ କିଶୋର ମହାନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ପାଦକ ରାଜୀବ କୁମାର ମହାନ୍ତି ଆଦି ଯୋଗଦେଇ ସଂଘର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଅଲ୍ ଓଡିଶା ଜିପିଏଲ୍ଏଫ୍ କର୍ମୀ ସାମ୍ମୁଖ୍ୟ ଅଧୀନରେ କାର୍ଯ୍ୟରତ କମ୍ୟୁନିଟି କ୍ୟାଡରମାନଙ୍କ ସର୍ବସମ୍ମତି କ୍ରମେ ସଭାନେତ୍ରୀ ନିରୁପମା ନାୟକ ଓ ସାଧାରଣ ସମ୍ପାଦିକା ସନ୍ତୋଷୀ ଦାସ, ଉପସଭାପତି ମଞ୍ଜୁବାଳା ରାୟ, ସବିତା ମାନସିଂହ, ତନୁଜା ସାହୁ, ଉଷାରାଣୀ ସିଂ, ବାସନ୍ତୀ ସାହୁ, ମମତା ପ୍ରଧାନ, ବିନୋଦିନୀ ସାହୁ, ଏବଂ କମିଟି ସଦସ୍ୟା ନିରୁପମା ମହାନ୍ତି ଓ ଜୟନ୍ତୀ ଓଝା ପ୍ରମୁଖ ଉପସ୍ଥିତ ଥିଲେ।