ଭୁବନେଶ୍ୱର: ପୂରା ପରିବାରର ସେବାରେ ଯାହାର ଜୀବନ ସମର୍ପିତ, ସେ ହେଉଛି ମା’। ଏ ସମର୍ପଣ ଆନ୍ତରିକ ଓ ସର୍ତ୍ତବିହୀନ। ତେବେ କେବଳ ଅତୁଳନୀୟ ‌ମମତାର ମୂର୍ତି ଭାବେ ନୁହେଁ, ମା’ ନିଜ ସନ୍ତାନ ପାଇଁ ଆଦ୍ୟ ପ୍ରେରଣା ମଧ୍ୟ। ସେହିଭଳି କେତେଜଣ ମହିୟସୀ ମା’ଙ୍କ ସଂପର୍କରେ ତାଙ୍କ ଝିଅ ଓ ପୁଅଙ୍କର ଅନୁଭବକୁ ନେଇ ‘ମାତୃ ଦିବସ’ରେ ଆମର ସ୍ୱତନ୍ତ୍ର ଉପସ୍ଥାପନା।

Advertisment

ମା’ ଚିରଦିନ ବନ୍ଧୁ ଓ ପଥ ପ୍ରଦର୍ଶକ
‘‘ପିଲାଦିନରୁ ମାଆଙ୍କୁ ବହୁ ଭୂମିକା ଭଲ ଭାବରେ ଦାୟିତ୍ବ ନିର୍ବାହ କରିବାର ଦେଖି ଆସିଛି। ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ କିଭଳି ଭାରସାମ୍ୟ ରକ୍ଷା କରିହେବ, ତାହା ମା’ ମତେ ପିଲାବେଳୁ ଶିଖାଇଛନ୍ତି। ମୋତେ ଛୋଟବେଳୁ ଅନେକ ଲୋକ କହିଛନ୍ତି ଯେ ତାଙ୍କ ଭଳି ବିଶାଳ ବଟବୃକ୍ଷ ଛାଇରେ ଛୋଟ ଗଛଟିଏ ଉଧେଇବନି। କିନ୍ତୁ ମୁଁ ସେହି ଛାଇରେ ପୃଷ୍ଟିକର ଖାଦ୍ୟ ଖାଇ ବଢ଼ୁଥିଲି। ତାହାର ଫଳସ୍ୱରୁପ ମୁଁ ସାହିତ୍ୟ, ଅଧ୍ୟାପନା ଓ ସଙ୍ଗୀତ ଆଦିକୁ ସୂଚାଇ ରୂପେ ତୁଲାଇ ପାରୁଛି। ମୋ’ ମା’ ଚିରଦିନ ପାଇଁ ମୋର ବନ୍ଧୁ ଓ ପଥ ପ୍ରଦର୍ପ୍ରହୋଇ ରହିବେ।’’
-ଆଦ୍ୟାଶା ଦାସ, ଲେଖିକା ଓ ଗାୟିକା
(ଜ୍ଞାନପୀଠ ବିଜୟିନୀ ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟଙ୍କ ଝିଅ)

ସାଧାରଣ ଜନତାଙ୍କ ସ୍ୱର ହେବାକୁ ପ୍ରେରଣା ଦେଇଛନ୍ତି
‘‘ମୋ’ ମା’ କୃଷକ, ଦଳିତ ଓ ନ୍ୟାୟ ପାଉନଥିବା ସାଧାରଣ ଲୋକଙ୍କ ହକ୍‌ ପାଇଁ ଲଢ଼ୁଥିବାରୁ ମୁଁ ସବୁବେଳେ ତାଙ୍କ ପାଇଁ ଗର୍ବ ଅନୁଭବ କରେ। ବର୍ତ୍ତମାନ ସମୟରେ ସମସ୍ତେ ଅର୍ଥ ଓ ପ୍ରସିଦ୍ଧି ପଛରେ ଦୌଡ଼ୁଥିବା ବେଳେ ମୋ ମା’ ସ୍ଥିରରହି ସାଧାରଣ ଜନତାଙ୍କର ସ୍ୱର ହେବାକୁ ମତେ ପ୍ରେରଣା ଦେଇ ଆସିଛନ୍ତି।’’
-ସୌଭନିକ ହୁଇ
(ଗଣତାନ୍ତ୍ରିକ ମହିଳା ସମିତିର ଜାତୀୟ ସଂପାଦିକା ତାପସୀ ପ୍ରହରାଜଙ୍କ ପୁଅ)

ଜର୍ସିର ଯୋଗ୍ୟ ହେବାକୁ କହନ୍ତି
‘‘ମା’ଙ୍କର କ୍ରୀଡ଼ା ପ୍ରତି ଥିବା ସମର୍ପଣଭାବ ମତେ ସବୁବେଳେ ଆକର୍ଷିତ କରେ। ମୋ’ ମା’ ସବୁଦିନ ପାଇଁ ମୋର ରୋଲ୍‌ ମଡେଲ୍‌। ତାଙ୍କଠାରୁ ପ୍ରେରଣା ପାଇ ହିଁ ଖେଳପଡ଼ିଆରେ ମୁଁ ମଧ୍ୟ ମୋ’ ଜୀବନକୁ ଦେଶ ପାଇଁ ସମର୍ପିତ କରିବାକୁ ଯାଏ। ମା’ ଦୁର୍ଗାଙ୍କର ବିଭିନ୍ନ ରୂପ ଭଳି ମା’ ଘରେ ସ୍ନେହମୟୀ ମା’ ରୂପରେ ଅବତୀର୍ଣ ଥିବାବେଳେ ପଡ଼ିଆରେ ଜ‌ଣେ କଠୋର କୋଚ୍‌ ପାଲଟିଯାନ୍ତି। ସେ ତାଙ୍କ ଜର୍ସିକୁ ଏତେ ଯତ୍ନ ସହ ରଖିଛନ୍ତି ଯେ ମୁଁ ଯେବେ ତାଙ୍କୁ ମାଗେ, ସେ ନଦେଇ ତାହାର ଯୋଗ୍ୟ ହେବାକୁ କହନ୍ତି।’’
-ଆଶିଂକା ରାଉତରାୟ, ସଟ୍‌ପୁଟ ଓ ଡିସକସ୍‌ ଥ୍ରୋ ଖେଳାଳି
(ପ୍ରସିଦ୍ଧ ଆଥ୍‌ଲେଟ୍‌ ଅନୁରାଧା ବିଶ୍ୱାଳଙ୍କ ଝିଅ)

ମା’ଙ୍କ ଗୁଣ ଅନୁସରଣ କରିବାକୁ ଚେଷ୍ଟା କରୁଛି
‘‘ମା’ ଅନ୍ୟମାନଙ୍କ ପାଇଁ ଅଭିନେତ୍ରୀ ଅଥବା ଜଣେ ସରକାରୀ କର୍ମଚାରୀ ହୋଇ ପାରନ୍ତି, କିନ୍ତୁ ମୋ’ ପାଇଁ ସେ କେବଳ ମୋ’ ମା’। ମା’ କେବେ ବି ମୋ’ କ୍ୟାରିୟରରେ ହସ୍ତକ୍ଷେପ କରିନାହାନ୍ତି, ବରଂ ପ୍ରେରଣା ଦେଇଛନ୍ତି ନିଜ ସ୍ବପ୍ନ ପଛରେ ଯିବାଲାଗି। ତାଙ୍କ ବିନା ମୁଁ କିଛି ନୁହେଁ। ଆଜି ପର୍ଯ୍ୟନ୍ତ ମୁଁ ଯାହାକିଛି ସଫଳତା ପାଇଛି, ସବୁର ଶ୍ରେୟ ମୋ’ ମା’ଙ୍କର। ମା’ଙ୍କର ସତ୍ୟପ୍ରିୟତା, ଦୟା ଓ ଅନ୍ୟକୁ ଭଲ ପାଇବା ଗୁଣ ମୁଁ ଅନୁସରଣ କରିବାକୁ ଚେଷ୍ଟା କରୁଛି।’’
-ସଂଭାବନା ମହାନ୍ତି, ଅଭି‌ନେତ୍ରୀ
(ଅଭିନେତ୍ରୀ ସ୍ନିଗ୍‌ଧା ମହାନ୍ତିଙ୍କ ଝିଅ)

ଓଡ଼ିଶା ସଂସ୍କୃତି ସହିତ ଯୋଡ଼ି ରଖିଛନ୍ତି
‘‘ମା’ ହେଉଛନ୍ତି ମୋର ପ୍ରଥମ ଗୁରୁ। ତାଙ୍କୁ ଓକିଲାତି ଭଲ ଲାଗୁନଥିଲେ ମଧ୍ୟ ମୋ’ ଇଚ୍ଛା ଦେଖି ସେ ଓକିଲାତି କରିବାକୁ ମତେ ପ୍ରେରଣା ଦେଇଛନ୍ତି। ସବୁଠୁ ବଡ଼କଥା ହେଉଛି, ଓଡ଼ିଆ ସଂସ୍କୃତି ସହିତ ମୋତେ ଯୋଡ଼ି ରଖିବା ପାଇଁ ମା’ ମତେ ନୃତ୍ୟ ଶିଖାଇଛନ୍ତି ଓ ସେହିଦିଗରେ ଅନେକ ପ୍ରେରଣା ଦେଇଛନ୍ତି।’’
-ଆଦ୍ୟାଶା ମିଶ୍ର
(ପ୍ରଖ୍ୟାତ ଓଡ଼ିଶାୀ ନୃତ୍ୟଶିଳ୍ପୀ ପୁଷ୍ପିତା ମିଶ୍ରଙ୍କ ଝିଅ)