ଭୁବନେଶ୍ୱର: କେବଳ ସୁଲଭ ମୂଲ୍ୟରେ ଛାତ ଘର ପାଇବେନି, ଆର୍ଥିକ ଦୃଷ୍ଟିରୁ ବି ସ୍ବଚ୍ଛଳ ହେବେ ବିସ୍ଥାପିତ ବସ୍ତିବାସିନ୍ଦା। ଯେଉଁଠି ରହିବେ, ସେଠି ବଜାର ତିଆରି ହେବ। ହାତ ପାହାନ୍ତାରେ ସବୁ ସୁବିଧା ମିଳିବ। ରହୁଥିବା ସ୍ଥାନକୁ ବିକଶିତ ସହରାଞ୍ଚଳର ରୂପ ଦିଆଯିବ। ଏହି ଲକ୍ଷ୍ୟରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ସୁଲଭ ଘର ପ୍ରକଳ୍ପ ସହ ମିଳିତ ଭାବେ ଆରମ୍ଭ କରିଥିଲା ‘ଆମ ବଜାର’ ଯୋଜନା। ବିସ୍ଥାପିତଙ୍କୁ ଥଇଥାନ କରାଯାଉଥିବା ଘରକୁ ଲାଗି ଦୋକାନଘରର ବ୍ୟବସ୍ଥା ହେଲା। ଏହି ଘର ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ଅଦ୍ୟାବଧି ‘ଆମ ବଜାର’ର ଏହି ଦୋକାନଘର କାହାରିକୁ ଦିଆଯାଇନି। ଇତିମଧ୍ୟରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ ବିଡିଏକୁ ବାରମ୍ବାର ଅଭିଯୋଗ ହେଲାଣି। କିନ୍ତୁ ବିଡିଏ ଆଜି-କାଲି କହି ବସ୍ତିବାସିନ୍ଦାଙ୍କୁ ଭଣ୍ଡାଇବାରେ ଲାଗିଛି। ସେପଟେ ଦୋକାନଘର ସବୁ ଅବ୍ୟବହୃତ ଅବସ୍ଥାରେ ପଡ଼ି ନଷ୍ଟ ହେଲାଣି। ଏଠାରେ ନିଶାଡ଼ିଙ୍କ ଭିଡ଼ ଜମିଲାଣି। ନିତି ସଂଧ୍ୟା ହେଲେ ନିଶାଡ଼ିମାନେ ବ୍ରାଉନ୍‌ସୁଗାର, ଗଞ୍ଜେଇ ଆଦି ନିଶାଦ୍ରବ୍ୟ ସେବନ କରୁଛନ୍ତି। ନାନାଦି ଅନୈତିକ କାର୍ଯ୍ୟ ବି ଏଠାରେ ଚାଲିଛି।

Advertisment

ଦୋକାନ ଘର ବଣ୍ଟନରେ ଜାଗା ପଞ୍ଜୀକରଣ ଅର୍ଥ କଣ୍ଟା
ଚାଲିଛି ଅସାମାଜିକ କାର୍ଯ୍ୟ, ପାଲଟିଛି ନିଶାଡ଼ିଙ୍କ ଆଡ଼ା

ଭୁବନେଶ୍ବରର କଳେବର ବୃଦ୍ଧି ସହ ଉନ୍ନତ ସହର ଗଠନ ଲକ୍ଷ୍ୟରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ଛାତିରେ ଥିବା ବସ୍ତି ସବୁ ଉଚ୍ଛେଦ ହେଲା।  ବଦଳରେ ବସ୍ତିବାସିନ୍ଦାଙ୍କୁ ଥଇଥାନ ଯୋଜନାରେ ରିହାତି ଦରରେ ଅତ୍ୟାଧୁନିକ ପକ୍କାଘର ଯୋଗାଇ ଦିଆଗଲା। ଯେଉଁ ବସ୍ତିବାସିନ୍ଦାମାନେ ଉଚ୍ଛେଦ ହେଲେ, ସେମାନଙ୍କ ରହିବା ପାଇଁ ସୁଲଭ ମୂଲ୍ୟରେ ଘର ବି ଯୋଗାଇ ଦିଆଯାଇଛି। ଏମାନେ ସତ୍ୟନଗର କେଶରୀ ରେସିଡେନ୍ସି,  ଚନ୍ଦ୍ରଶେଖରପୁର ନୀଳମାଧବ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆପାର୍ଟମେଣ୍ଟରେ ଘର ପାଇ ରହୁଛନ୍ତି। ସବୁଠି ‘ଆମ ବଜାର’ ଖୋଲିଛି। କିନ୍ତୁ କୌଣସି ବସ୍ତିବାସିନ୍ଦାଙ୍କୁ ଏହି ଦୋକାନଘର ଦିଆଯାଇନି। ସବୁଠି ତାଲା ଝୁଲୁଛି। 

ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଏମ୍‌ସିରେ ବସ୍ତିବାସିନ୍ଦାଙ୍କ ପାଇଁ ହୋଇଥିବା ଆପାର୍ଟମେଣ୍ଟ ୨୦୨୪ ମସିହା ପୂର୍ବରୁ ହୋଇଛି। କିନ୍ତୁ ୨୦୨୪ ଶେଷ ଆଡ଼କୁ ଆପାର୍ଟମେଣ୍ଟ ମାଲିକାନା ନିୟମ ହେଲା। ଏଥିରେ ଜଣେ ପ୍ରମୋଟର୍ ଆପାର୍ଟମେଣ୍ଟର ଅନ୍ତେବାସୀଙ୍କୁ ନେଇ ସଂଘ ଗଠନ କରିବା ବାଧ୍ୟତାମୂଳକ କରାଯାଇଛି। ନିୟମାନୁଯାୟୀ, ସଂଘ ସଂପାଦକଙ୍କ ନାଁରେ ଜାଗା ପଞ୍ଜୀକରଣ ହେବ। ନୀଳମାଧବକୁ ଛାଡ଼ିଦେଲେ, ବାକି ସବୁଠି ସଂଘ ଗଠନ ସରିଛି ଓ କାର୍ଯ୍ୟକର୍ତ୍ତା ବଛା ସରିଛନ୍ତି। କିନ୍ତୁ ପଞ୍ଜୀକରଣ ପାଇଁ ଆବଶ୍ୟକ ଅର୍ଥ କିଏ ଦେବ, ତାକୁ ନେଇ ସମସ୍ୟା ଦେଖାଦେଇଛି। ପଞ୍ଜୀକରଣ ପାଇଁ କୋଟି କୋଟି ଟଙ୍କା ଦରକାର। ଏହି ଟଙ୍କା ନା ବିଲ୍ଡରଙ୍କଠାରୁ ଆମେ ଆଣିପାରୁଛୁ ନା ବସ୍ତିବାସିନ୍ଦାଙ୍କଠାରୁ। ଏହାର ଏକମାତ୍ର ବିକଳ୍ପ ହେଉଛି, ରାଜ୍ୟ ସରକାର ପଞ୍ଜୀକରଣ ଟଙ୍କା ଛାଡ଼ କରିଦେବା। ଏଥିପାଇଁ ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ। ଅଦ୍ୟାବଧି ରାଜ୍ୟ ସରକାରଙ୍କଠାରୁ କୌଣସି ନିର୍ଦ୍ଦେଶନାମା ଆସିନି।