ଭୁବନେଶ୍ବର: ଦିନ ଦିପହରେ ଅଗଣାସ୍ଥିତ ଗଛରୁ ଆମ୍ବ ଚୋରି କରୁଥିବା ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଜଣେ ପୂର୍ବତନ ଆଇଏଏସ୍ ଅଫିସରଙ୍କ ପୁଅ ଗୁରୁତର ହୋଇଛନ୍ତି। ସେ ହେଲେ ଏଏନ୍ ତିୱାରୀଙ୍କ ପୁଅ ସିଦ୍ଧାର୍ଥ। ଦୁର୍ବୃତ୍ତଦ୍ବୟ ଦାଆରେ ଆକ୍ରମଣ କରିବାରୁ ସିଦ୍ଧାର୍ଥଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏନେଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଭିଡିଓ ଫୁଟେଜ୍ ଆଧାରରେ ଦୁର୍ବୃତ୍ତଦ୍ବୟଙ୍କୁ ଚିହ୍ନଟ କରି ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ଫରେଷ୍ଟ ପାର୍କ ଓ ଶିଶୁଭବନ ଛକ ନିକଟ ଭିଆଇପି ଅଞ୍ଚଳରେ ଦିନ ଦିପହରେ ଘର ଅଗଣାରେ ପଶି ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରିବାକୁ ସାହସ କରିଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି କେତେ ବିଗିଡ଼ିଗଲାଣି, ତାହା ଏହି ଘଟଣାରୁ ଜଳଜଳ ହୋଇ ଦେଖାଯାଉଛି ବୋଲି କୁହାଯାଉଛି।
ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ କୁକୁର ଜୋର୍ରେ ଭୁକିବାରୁ ସିଦ୍ଧାର୍ଥ ଅଗଣାକୁ ଚାଲିଆସିଥିଲେ। ସେ ଦେଖିଲେ ଯେ ୨ଜଣ ଯୁବକ ତାଙ୍କ ପାଚେରି ଡେଇଁ ଅଗଣାକୁ ଆସି ଗଛରୁ ଆମ୍ବ ତୋଳୁଛନ୍ତି। ବାଉଁଶ ନଗି ଅଗ୍ରରେ ଦାଆ ବାନ୍ଧି ସେମାନେ ଆମ୍ବ ତୋଳୁଥିଲେ। ସିଦ୍ଧାର୍ଥଙ୍କୁ ଦେଖି ସେମାନେ ବାହାରକୁ ପଳାଇଯିବେ କଣ, ପାଲଟା ତାଙ୍କୁ ନାଲି ଆଖି ଦେଖାଇଥିଲେ। ତେଣୁ ସିଦ୍ଧାର୍ଥ ସେମାନଙ୍କ ପାଖକୁ ଯିବାରୁ ଜଣେ ପାଚେରି ଡେଇଁପଡ଼ିଥିଲା। ଅନ୍ୟଜଣକ ସହ ସିଦ୍ଧାର୍ଥଙ୍କର ଧସ୍ତାଧସ୍ତି ହୋଇଥିଲା। ଏତିକିବେଳେ ପାଚେରି ଡେଇଁ ପଳାଇଥିବା ଯୁବକଜଣକ ପୁଣି ଅଗଣାକୁ ଆସି ଦାଆରେ ଆକ୍ରମଣ କରିଥିଲା। ଫଳରେ ସିଦ୍ଧାର୍ଥଙ୍କ ହାତ କଟିଯାଇଥିଲା। ଏହି ମଉକାରେ ଦୁର୍ବୃତ୍ତଦ୍ବୟ ପାଚେରି ଡେଇଁ ପଳାଇଥିଲେ ଏବଂ ବାହାରୁ ତାଙ୍କ ଘରକୁ ଢେଲାମାଡ଼ କରିଥିଲେ। ଏତିକିବେଳେ ସିଦ୍ଧାର୍ଥ ତାଙ୍କ ମୋବାଇଲ୍ରେ ଭିଡିଓ ଉତ୍ତୋଳନ କରିବାରୁ ସେମାନେ ହତ୍ୟା ଧମକ ଦେଇଥିଲେ। ସେମାନଙ୍କ ପଛରେ ଲାଗିଲେ, ପିଲାଛୁଆଙ୍କ ଜୀବନ ପ୍ରତି ବିପଦ ବଢ଼ିବ ବୋଲି ସେମାନେ ଧମକ ଦେଇ ଚାଲିଯାଇଥିଲେ। ଏହାପରେ ସିଦ୍ଧାର୍ଥ କ୍ୟାପିଟାଲ୍ ଥାନାକୁ ଯାଇ ଅଭିଯୋଗ କରିଥିଲେ। ଦୁର୍ବୃତ୍ତମାନେ ନିକଟସ୍ଥ କୌଣସି ବସ୍ତି ଅଞ୍ଚଳର ହୋଇଥିବାରୁ ତାଙ୍କ ପରିବାର ପ୍ରତି ବିପଦ ରହିଛି ବୋଲି ସିଦ୍ଧାର୍ଥ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/27/AleEYxZv9605BENzio7q.jpg)