କମିସନରେଟ୍ ପୁଲିସରେ ବଡ଼ଧରଣର ଅଦଳବଦଳ ଖୁବ୍‌ଶୀଘ୍ର!

ଏସ୍‌ଆଇରୁ ଏସିପି, ସବୁସ୍ତରରେ ହେବ ପରିବର୍ତ୍ତନ, ଖୋଜା ହେଉଛି ଦକ୍ଷ ଓ ଅନୁଭବୀ ଅଫିସର୍‌

ଭୁବନେଶ୍ବର: ନଭେମ୍ବର ଶେଷ ଆଡ଼କୁ ନଚେତ୍ ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା କମିସନରେଟ୍ ପୁଲିସରେ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି। ସବ୍‌ଇନ୍ସପେକ୍ଟର୍‌ରୁ ଆରମ୍ଭ କରି ଆସିଷ୍ଟାଣ୍ଟ କମିସନର୍ ଅଫ୍ ପୁଲିସ(ଏସିପି) ପର୍ଯ୍ୟନ୍ତ ସବୁ ରୢାଙ୍କ୍‌ର କର୍ମଚାରୀଙ୍କୁ ବଦଳି କରାଯିବ। ପୌର ନିର୍ବାଚନ ଏହା ପଛର କାରଣ ବୋଲି କୁହାଯାଉଛି। ଯଦିଓ ପୌର ନିର୍ବାଚନ ପାଇଁ ଏଯାବତ୍‌ କୌଣସି ଘୋଷଣା କରାଯାଇନାହିଁ, ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ବୋଲି କୁହାଯାଉଛି। ଏନେଇ ବିଭାଗୀୟସ୍ତରରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ଦ୍ବୈତନଗରୀ (କଟକ ଓ ଭୁବନେଶ୍ବର)ରେ ନିର୍ବାଚନୀ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ୍‌ ପୁଲିସ ଏପରି ବଦଳି ଯୋଜନା କରିଥିବା କୁହାଯାଉଛି। ଏଥିପାଇଁ ରାଜଧାନୀକୁ ଦକ୍ଷ ତଥା ଅନୁଭବୀ ଅଫିସରଙ୍କୁ ଆଣି ବିଭିନ୍ନ ଥାନାରେ ଅବସ୍ଥାପିତ କରିବା ପାଇଁ କସରତ୍ ଆରମ୍ଭ ହୋଇଛି। ଅପରପକ୍ଷେ କମିସନରେଟ୍ ପୁଲିସର ଅନେକ ବରିଷ୍ଠ ପଦାଧିକାରୀ ଏହି ଆଳରେ ନିଜ ଆନୁଗତ୍ୟଙ୍କୁ ରାଜଧାନୀ ଆଣିବାକୁ ଗୋଟି ଚାଳନା କରୁଛନ୍ତି। ସେହିପରି ଏଠାରୁ ଏସ୍‌ଡିପିଓ ଭାବେ ଜିଲ୍ଲାକୁ ବଦଳି ହୋଇଥିବା ପୁଲିସ ଅଧିକାରୀମାନେ ବି ପୁଣି ରାଜଧାନୀ ଫେରିବାକୁ ଲବି ଆରମ୍ଭ କରିଛନ୍ତି ବୋଲି ପୁଲିସ ମହଲରେ ଜୋରଦାର ଚର୍ଚ୍ଚା ହେଉଛି।

ନିକଟ ଅତୀତରେ ଏସ୍‌ଆଇରୁ ଆଇଆଇସି ପାହ୍ୟାକୁ ଯାଇଥିବା ୧୧୭ ପୁଲିସ କର୍ମଚାରୀଙ୍କ ମଧ୍ୟରୁ କମିସନରେଟ୍ ପୁଲିସ ଅଧୀନରେ ୧୬ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଦ୍ବୈତନଗରୀରେ ରହିଥିବା ବେଳେ ୯ ଜଣଙ୍କୁ ଜିଲ୍ଲାକୁ ବଦଳି କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଭୁବନେଶ୍ବର ଉପକଣ୍ଠ ପଠାଇ ଦିଆଯିବ ଏବଂ ସେଠାରେ ଥିବା ଆଇଆଇସିଙ୍କୁ ଭୁବନେଶ୍ବରର ଗୁରୁତ୍ବପୂର୍ଣ୍ଣ ଥାନାର ଦାୟିତ୍ବ ଦିଆଯିବ। କଟକରେ ବି ସମାନ ନୀତି ଆପଣାଯିବ।
ପୁଲିସର ଅନ୍ଦରମହଲରୁ ମିଳିଥିବା ଆଉ ଏକ ସୂଚନାନୁଯାୟୀ, ନିକଟରେ ହୋଇଥିବା ଏହି ପଦୋନ୍ନତି ଓ ବଦଳି ପରେ ପରେ କମିସନରେଟ୍ ପୁଲିସର ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଗତଙ୍କୁ ଆଶା ମୁତାବକ ଜାଗାରେ ଦାୟିତ୍ବ ଦିଆଯାଇ ନଥିବାରୁ ବୈଠକରେ କିଛି ଅଧିକାରୀ ଖୋଲାଖୋଲି ଅସନ୍ତୋଷ ଜାହିର କରିଥିଲେ। ତେଣୁ ଅନୁଗତମାନଙ୍କ ଇଚ୍ଛା ମୁତାବକ ପୋଷ୍ଟିଂ ପାଇଁ ଏହି ଅଧିକାରୀମାନେ ବରିଷ୍ଠ ଅଧିକାରୀଙ୍କୁ ଏବେ ସୁପାରିସ୍‌ କରୁଥିବା ଜଣାଯାଇଛି। ଅପରପକ୍ଷେ ସୁପାରିସ୍ ଓ ଜିଲ୍ଲାକୁ ବଦଳି ହୋଇଥିବା ବରିଷ୍ଠଙ୍କ ଗୋଟିଚାଳନା ଆଗରେ କମିସନରେଟ୍ ପୁଲିସ୍‌ରେ ଥିବା କନିଷ୍ଠଙ୍କ ଭାଗ୍ୟ ବଳି ପଡ଼ିଯିବାର ଆଶଙ୍କା ରହିଛି। ତେଣୁ କନିଷ୍ଠମାନେ ଏସ୍‌ଟିଏଫ୍‌ ଓ ସ୍ପେସାଲ ବ୍ରାଞ୍ଚ ଯାଇ ରାଜଧାନୀ କିମ୍ବା କଟକରେ ରହିବାକୁ ଯୋଜନା କରୁଛନ୍ତି।

ଗତ ଜାନୁଆରିରେ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କ ଏପ୍ରିଲରେ ବଦଳି ହୋଇଥିଲା। ପଦୋନ୍ନତି ପାଇଥିବା ସମସ୍ତ କର୍ମଚାରୀଙ୍କ ମଧ୍ୟରୁ କ୍ୟାପିଟାଲ୍, ଖାରବେଳନଗର ଓ ନୂଆପଲ୍ଲୀ ଥାନାଧିକାରୀଙ୍କୁ ଏଯାବତ୍ କାର୍ଯ୍ୟରୁ ରିଲିଭ୍‌ କରାଯାଇନାହିଁ। ରାଜଧାନୀର ଏହା ୩ଟି ଗୁରୁତ୍ବପୂର୍ଣ୍ଣ ଥାନା ହୋଇଥିବାରୁ ଏଠାରେ ରାଜନୈତିକ ଚାପ ସହ ଅପରା‌ଧ ନିୟନ୍ତ୍ରଣ ପାଇଁ ସେଭଳି ଦକ୍ଷ ଅଫିସର୍ ମିଳି ନଥିଲେ। ତେଣୁ ଦ୍ବୈତନଗରୀରେ ଯେ ଅନୁଭବୀ ଓ ଦକ୍ଷ ଆଇଆଇସିଙ୍କ ଅଭାବ ରହିଛି, ଏହା ପରୋକ୍ଷରେ ସୂଚାଇ ଦେଉଛି। ସେହିଭଳି ଜୋନ୍-୫ ଏସିପି ଓ ସ୍ପେସାଲ ସ୍କ୍ବାଡ୍ ଏସିପି ଭାବେ ଜଣେ ଅଧିକାରୀଙ୍କୁ ରଖାଯାଇଛି। ତେଣୁ ମଞ୍ଚେଶ୍ବର, ନୂଆପଲ୍ଲୀ, ସହିଦନଗର ଭଳି ପ୍ରମୁଖ ଥାନାର ଏସିପି ସହିତ ପୂରା ଭୁବନେଶ୍ବରର ସ୍ବତନ୍ତ୍ର ଦାୟିତ୍ବ ତୁଲାଇବା ମାତ୍ରାଧିକ ଭାର ବୋଲି ବିବେଚନା ହେଉଛି। ତେଣୁ ୨ଟିରୁ ଗୋଟିଏ ଦାୟିତ୍ବ ଦିଆଯାଇ ଆଉ ଜଣେ ନୂଆ ଏସିପିଙ୍କୁ ଅଲଗା ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର