ଜଟଣୀ: ଆଜି ସ୍ଥାନୀୟ ମୁଣ୍ଡିଆସାହିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଏକ ଶିକ୍ଷାନୁଷ୍ଠାନର ମାଲିକଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ବିଭୁତି ଭୂଷଣ ପଟ୍ଟନାୟକ, ତାଙ୍କ ପୁଅ ଓ ସାନ ଭାଇ। ଦୁର୍ବୃତ୍ତମାନେ ଲୁହା ରଡ୍ ଓ ଇଟାରେ ଆକ୍ରମଣ କରି ବିଭୁତିଙ୍କ ସାନ ଭାଇର ହାତ ଭାଙ୍ଗି ଦେଇଥିବା ବେଳେ ତାଙ୍କ ପୁଅର ମୁଣ୍ଡ ଫଟାଇ ଦେଇଛନ୍ତି। ସେହିଭଳି ବିଭୁତି ମଧ୍ୟ ଲୁହା ରଡ୍ ମାଡ଼ରେ ଆହତ ହୋଇଛନ୍ତି। ଏନେଇ ଜଟଣୀ ଥାନାରେ ଅଭିଯୋଗ ହୋଇଛି ଏବଂ ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସେମାନଙ୍କୁ ଆକ୍ରମଣ କରିବା ପଛରେ କିଛି ନିଶାଡ଼ି ଓ ନିଶା ବେପାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ମୁଣ୍ଡିଆସାହିରେ ବିଭୁତିଙ୍କର ଏଆଇଏମ୍ଏସ୍ ନାଁରେ ଏକ ଶିକ୍ଷାନୁଷ୍ଠାନ ରହିଛି। ଉକ୍ତ ଅଞ୍ଚଳକୁ ଭଲ ଗମନାଗମନ ବ୍ୟବସ୍ଥା ନଥିବା ବେଳେ ଷ୍ଟ୍ରିଟ୍ ଲାଇଟ୍ ନାହିଁ। ତେଣୁ ରାସ୍ତା ମରାମତି ଓ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଦାବି କରିବା ପାଇଁ ଆଜି ବିଭୁତି ସେହି ଅଞ୍ଚଳର ଏକ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ହଠାତ୍ କିଛି ଦୁର୍ବୃତ୍ତ ଆସି ଆଗ ବିଭୁତିଙ୍କ ସାନ ଭାଇଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ଭିତରେ କଥା କଟାକଟି ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଲୁହା ରଡ୍ରେ ଆକ୍ରମଣ କରି ତାଙ୍କ ସାନ ଭାଇର ହାତ ଭାଙ୍ଗିଦେଇଥିଲେ। ଦାଦାକୁ ବଞ୍ଚାଇବାକୁ ବିଭୁତିଙ୍କ ପୁଅ ଚେଷ୍ଟା କଲା ବେଳେ ଜଣେ ଦୁର୍ବୃତ୍ତ ଏକ ଭଙ୍ଗା ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେ ଅଚେତ ହୋଇ ପଡ଼ିଥିଲେ। ବିଭୁତିଙ୍କ ପାଟି ଶୁଣି କିଛି ଲୋକ ସେଠାକୁ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ପଳାଇଥିଲେ। କିନ୍ତୁ ଯିବା ବେଳେ ବିଭିନ୍ନ ଧମକଚମକ ଦେଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଉକ୍ତ ନିଛାଟିଆ ଅଞ୍ଚଳରେ ନିଶା ବେପାରୀ ଓ ନିଶାଡ଼ିଙ୍କ ଆଡ଼ା ଜମୁଛି। ସେମାନେ ଏହି ଅଞ୍ଚଳକୁ ଅନ୍ଧାରରେ ରଖିବାକୁ ଚାହୁଛନ୍ତି। ମାତ୍ର ବିଭୁତିଙ୍କ କାମ ସେମାନଙ୍କ ବେପାରେ ବାଧା ଉପୁଜାଇବା ଆଶଙ୍କା କରି ସେମାନେ ଏହି ଆକ୍ରମଣ କରିଛନ୍ତି।