ଜଟଣୀ: ‘ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନେଇ ନପାରେ ଜନ୍ତୁରାଣ।’ ରଖେ ହରି ତ ମାରେ କିଏ! ନିଶ୍ଚିତ ମୃତ୍ୟୁ ମୁଖରୁ କେହି ସୌଭାଗ୍ୟବଶତଃ ବଞ୍ଚିଗଲେ, ସାଧାରଣରେ ଏହି ଦୁଇ ପଂକ୍ତି ସ୍ବତଃ ପାଟିରୁ ବାହାରିଆସେ। ଆଜି ଖୋର୍ଦ୍ଧାରୋଡ୍‌ ରେଳଷ୍ଟେସ‌ନ୍‌ରେ ସେମିତି ଏକ ଆକସ୍ମିକ ଅଘଟଣରୁ ଜଣେ ମହିଳା ଯାତ୍ରୀ ବର୍ତ୍ତି ଯାଇଛନ୍ତି। ଚଳନ୍ତା ଟ୍ରେନ୍‌ ଚକା ତଳକୁ ଖସିବାକୁ ଯାଉଥିବା ବେଳେ ଜଣେ ଆର୍‌ପିଏଫ୍‌ କର୍ମଚାରୀ ତାଙ୍କୁ ଟାଣି ଆଣିଥିଲେ। ଫଳରେ ମହିଳା ଯାତ୍ରୀ ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ।

Advertisment

ଆଜି ସକାଳ ୯ଟା ବେଳେ ଖୋର୍ଦ୍ଧାରୋଡ୍‌ ରେଳ ଷ୍ଟେସନ୍‌ ୪ ନମ୍ବର ପ୍ଲାଟ୍‌ଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଗିଥିଲା। ଟ୍ରେନ୍‌ ଛାଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କ ପରିବାରର ସଦସ୍ୟମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ଚଢ଼ିଯାଇଥିଲେ। କିନ୍ତୁ ମହିଳାଜଣଙ୍କ ଚଢ଼ିବା ବେଳକୁ ଟ୍ରେନ୍‌ ଛାଡ଼ିଦେଇଥିଲା। ସେ ଧାଇଁଧାଇଁ ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ପ୍ଲାଟ୍‌ର୍ଫମରେ ପଡ଼ିଯାଇଥିଲେ। ତେବେ ସେ ଗଡ଼ିଗଡ଼ି ପ୍ଲାଟ୍‌ଫର୍ମ ତଳକୁ ରେଳଧାରଣା ଉପରକୁ ଖସିଯିବାର ଠିକ୍‌ ପୂର୍ବରୁ ସେଠାରେ ଡ୍ୟୁଟି କରୁଥିବା ଆର୍‌ପିଏଫ୍‌ ଏଏସ୍‌ଆଇ ଜେକେ ଆଚାର୍ଯ୍ୟ ଓ ଏମ୍‌ ୱାଇ ରାଓ ଦୌଡ଼ି ଯାଇ ମହିଳାଙ୍କୁ ଧରିପକାଇବା ସହ ଟାଣି ଆଣିଥିଲେ। ସମସ୍ତଙ୍କ ଆଖି ବୁଜି ହୋଇଯାଇଥିବା ବେଳେ ଦୁଇ ପୁଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ମହିଳାଙ୍କୁ ବଞ୍ଚାଇ ଦେଇଥିଲା। ପରେ ଗାର୍ଡ ଟ୍ରେନ୍‌କୁ ଅଟକାଇଥିଲେ ଏବଂ ମହିଳାଜଣଙ୍କ ଟ୍ରେନ୍‌ରେ ଚଢ଼ିଥିଲେ। ଆଜି ଦୁଇ ଆର୍‌ପିଏଫ୍‌ କର୍ମଚାରୀଙ୍କୁ ଜଟଣୀର ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।