ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ୫୮ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥିନୀ ନମିତା ମହାପାତ୍ରଙ୍କ ଭାଇ ମଳୟ ମହାପାତ୍ରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦିଆଯାଇଛି। ଏହି ୱାର୍ଡର ଜଣେ ପ୍ରତିନ୍ଦ୍ବନ୍ଦ୍ବୀ ପ୍ରାର୍ଥିନୀଙ୍କ ସ୍ବାମୀ ଆଜି ରାତି ପ୍ରାୟ ୧୧ଟାରେ ଜଣେ ଦୁର୍ବୃତ୍ତକୁ ପଠାଇ ଏହି କାଣ୍ଡ ଘଟାଇଥିବା ମଳୟ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଧମକ ଦେଇଥିବା ଯୁବକ ହେଲା ନାରାୟଣ ପତି। ମଳୟ ସମ୍ପୃକ୍ତ ଯୁବକକୁ ବାଇକ୍‌ ସହ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ନିର୍ବାଚନ ମଇଦାନରେ ନଣନ୍ଦ, ଭାଉଜ

Advertisment

ଚନ୍ଦ୍ରଶେଖରପୁର: ବିଏମ୍‌ସି ନିର୍ବାଚନୀ ମଇଦାନରେ ନଣନ୍ଦ, ଭାଉଜ। ଅବଶ୍ୟ କେହି କାହା ସହ ଲଢ଼େଇ କରୁନାହାନ୍ତି। ବରଂ ନଣନ୍ଦ ଗୋଟିଏ ୱାର୍ଡରୁ ପ୍ରାର୍ଥୀ ହୋଇଥିବା ବେଳେ ଭାଉଜ ଅନ୍ୟ ଏକ ୱାର୍ଡରୁ ପ୍ରାର୍ଥୀ ହୋଇଛନ୍ତି। ଭାଉଜ ଜୟନ୍ତୀ ଜେନା ୩ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଆଉ ନଣନ୍ଦ ରଶ୍ମିରେଖା ଜେନା ୧୪ ନମ୍ବର ୱାର୍ଡରୁ ସ୍ବା‌ଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଉଭୟଙ୍କର ନିଜ ନିଜ ୱାର୍ଡରେ ପତିଆରା ମଧ୍ୟ ରହିଛି। ଜୟନ୍ତୀ ପୂର୍ବରୁ ୩ ନମ୍ବର ୱାର୍ଡର କର୍ପୋରେଟର ରହିଥିବା ବେଳେ ରଶ୍ମିରେଖା ପ୍ରଥମ ଥର ଲାଗି ମଇଦାନକୁ ଓହ୍ଲାଇଛନ୍ତି।

ତେବେ ରଶ୍ମିରେଖାଙ୍କ ସ୍ବାମୀ ସ୍ବର୍ଗତ ରଞ୍ଜନ କୁମାର ଜେନା ଉକ୍ତ ୱାର୍ଡରୁ କର୍ପୋରେଟର ହୋଇଥିଲେ। ୨୦୦୮ରେ ତତ୍‌କାଳୀନ ୯ ନମ୍ବର ୱାର୍ଡରେ ତ୍ରିମୁଖୀ ଲଢ଼େଇ ହୋଇଥିଲା। ଯେଉଁଥିରେ ସ୍ବାଧୀନ ଭାବେ ଲଢ଼ୁଥିବା ରଞ୍ଜନ ପ୍ରତିଦ୍ବନ୍ଦ୍ବୀ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇଥିଲେ। ସ୍ବାଧୀନ ଭାବେ ଜିତିବା ପରେ ସେ ବିଜେଡିରେ ଯୋଗଦେଇଥିଲେ। ବହୁ ଦିନ ହେଲା ବିଜେଡିରେ ରହି ରଶ୍ମିରେଖା ୱାର୍ଡର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ କର୍ପୋରେଟର ପ୍ରାର୍ଥୀ ହେବା ନେଇ ଆଶା ବାନ୍ଧିଥିଲେ।

ମାତ୍ର ଟିକେଟ୍‌ ନ ମିଳିବାରୁ ଏବେ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ତେଣୁ ଏଥର ୧୪ ନମ୍ବର ୱାର୍ଡରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। ବିଜେଡି, ବିଜେପି ପ୍ରାର୍ଥୀଙ୍କ ସହ ରଶ୍ମିରେଖା ସିଧାସଳଖ ଲଢ଼େଇ କରିବାକୁ ଥିବାରୁ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି।