ଛପା ଅକ୍ଷରକୁ ଭଲ ପାଉଥିବା ବ୍ୟକ୍ତି ପ୍ରକୃତ ପାଠକ: ସୌମ୍ୟ

‘ଲେଖକ ସାମ୍ମୁଖ୍ୟ ବନାମ ପାଠକ ସାମ୍ମୁଖ୍ୟ’ ଆଲୋଚନାଚକ୍ର

ଭୁବନେଶ୍ବର: ଓଡ଼ିଶାର ପାଖାପାଖି ୬୦ ଭାଗ ଲୋକ ସାକ୍ଷର। କିନ୍ତୁ ସେମାନେ ସମସ୍ତେ ପାଠକ ନୁହନ୍ତି। ଯିଏ ଛପା ଅକ୍ଷରକୁ ଭଲ ପାଏ, ସେ ହିଁ ପ୍ରକୃତ ପାଠକ। ଚିନ୍ତାର ବିଷୟ ହେଲା ଯେ ଛପା ଅକ୍ଷରକୁ ଭଲ ପାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବର୍ତ୍ତମାନ ସମୟରେ କମି ଯାଇଛି। ପାଠକ ହେବା ପାଇଁ ତନ-ମନ-ଧନର ଆବଶ୍ୟକତା ରହିଛି। ହେଲେ ଯାହା ପାଖରେ ଏ ତ‌ିନୋଟି ଜିନିଷ ଅଛି, ତା’ ପାଖରେ ସମୟ ନାହିଁ। କିଛି ପାଠକ ଏବେ ବା‌ଧ୍ୟବାଧକତାରେ ସୃଷ୍ଟି ହେଉଛନ୍ତି। ଆମ ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସମୟ ବିତାଇବା ପାଇଁ ଗଛ ମୂଳେ ହେଉ କି ଖୋଲା ସ୍ଥାନ, ସେଠାକୁ ଯାଇ ବହି ପଢ଼ୁଥିଲୁ। ଏବେ ତାହାର ବିକଳ୍ପ ବାହାରିଗଲାଣି। ତେଣୁ ଆଜିକାଲି ଆଉ ଆଖିଦୃଶିଆ ପାଠକ ସୃଷ୍ଟି ହେଉନାହାନ୍ତି। ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ ଆନୁକୂଲ୍ୟରେ ‘ଲେଖକ ସାମ୍ମୁଖ୍ୟ ବନାମ ପାଠକ ସାମ୍ମୁଖ୍ୟ’ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଆଜି ଭାରତୀୟ ବିଦ୍ୟାଭବନରେ ‘ସୋଆ’ର କୁଳପତି ଡାକ୍ତର ଅଶୋକ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଏବେ ଉଚ୍ଚ ମଧ୍ୟବିତ୍ତ ଅଭିଭାବକମାନେ ପିଲାଙ୍କୁ ପାଠ୍ୟପୁସ୍ତକରେ ଭାରାକ୍ରାନ୍ତ କରିଦେଉଛନ୍ତି। ସେମାନେ ଅନ୍ୟ କିଛି ପଢ଼ିବ‌ାର ସୁଯୋଗ ପାଉନାହାନ୍ତି। କେବଳ ଇଂରାଜୀକୁ ପ୍ରାଧାନ୍ୟ ଦେଉଛନ୍ତି। ସେହିଭଳି ବର୍ତ୍ତମାନ ସମୟରେ ଗଦ୍ୟ ପାଠକଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ସାମାଜିକ ଗଣମାଧ୍ୟମରେ ଛୋଟ ଛୋଟ ପାରା ମାଧ୍ୟମରେ ଅନେକ ଅନ‌ାବଶ୍ୟକ ଲେଖା ପଢୁଛନ୍ତି, କିନ୍ତୁ ଭଲ ବହି ପଢ଼ିବାକୁ ଡରୁଛନ୍ତି।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବର୍ଷୀୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତି କହିଲେ, ବହିକୁ ଆମେ ସାଥୀ କରିବା ଆବଶ୍ୟକ। ଦୈନିକ ଘଣ୍ଟାଏ ବହି ପଢ଼ିଲେ ଆମ ଦେହରୁ ଅନେକ ରୋଗ ଭଲ ହୋଇଥାଏ। ଏମିତିକି ମାନସିକ ସନ୍ତୁଳନ ଠିକ୍‌ ରହିବା‌ ସହ ଭଲ ନିଦ ମଧ୍ୟ ହୁଏ। ସେ ଦୃଷ୍ଟିରୁ ବହିକୁ ଆମ ଜୀବନ ସହ ଜଡ଼ିତ କରିବାର ଆବଶ୍ୟକତା ରହିଛି।

ଡାକ୍ତର ମହାପାତ୍ର ସଭାପତିତ୍ବ ଭାଷଣରେ କହିଲେ, ଏବେ ଇ-ବୁକ୍‌ର ପ୍ରଭାବ ବଢ଼ିବା ଦ୍ବାରା ଛାପା ବହି ପଢ଼ିବାରେ ଆଗ୍ରହ କମିଯାଉଛି। ସବୁ କିଛି ଡିଜିଟାଲ ଆଡ଼କୁ ଗତି କରୁଛି। ମାତ୍ରାଧିକ ଜ୍ଞାନକୌଶଳର ବ୍ୟବହାର କରି ମଣିଷ ରୋବର୍ଟ ହୋଇଯିବା ସହ ମାନବିକ ମୂଲ୍ୟବୋଧ ‌ହରେଇ ବସିବ।

ଆଲୋଚନାରେ ପାଠକ ବର୍ଗରେ ପ୍ରତାପ ନାୟକ, ତନ୍ଦ୍ରାଳସା ଦାସ, ପ୍ରକାଶ ଚନ୍ଦ୍ର ଦାଶ ଓ ସୁପ୍ରିୟା ପଣ୍ଡା ଅଶଂଗ୍ରହଣ କରିଥିବା ବେଳେ ଲେଖକ ତଥା ପ୍ରକାଶକ ଭାବେ ‘ପୌରୁଷ’ର ସମ୍ପା‌ଦକ ଅସିତ ମହାନ୍ତି ଭାଗ ନେଇଥିଲେ। ଏହି ଅବସରରେ ଶ୍ରୀ ପତିଙ୍କ ପୁସ୍ତକ ‘କଥା ଦଶକ’ ଉନ୍ମୋଚିତ ହୋଇଥିଲା। ମୁକ୍ତ ଚିନ୍ତନର ସମ୍ପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ। ମୁକ୍ତ ଚିନ୍ତନ ମଞ୍ଚର ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର