ନାବାଳିକାକୁ ଗର୍ଭବତୀ କରି ବିବାହିତ ଯୁବକ ଗିରଫ

ବାରଙ୍ଗ/ମେଣ୍ଢାଶା: ଜଣେ ନାବାଳିକାକୁ ମିଛ ପ୍ରେମରେ ଫସାଇବା ସହ ବିବାହ କରିବାର ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିବା ଅଭିଯୋଗରେ ଆଜି ଚନ୍ଦକା ଥାନା ପୁଲିସ ଜଣେ ବିବାହିତ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ପାଇକରାପୁର ଅଞ୍ଚଳର ସୋମନାଥ ବେହେରା। ପୁଲିସ ଉଭୟ ସୋମନାଥ ଓ ଅଭିଯୋଗକାରିଣୀଙ୍କ ଡାକ୍ତରୀ ମାଇନା କରିଛି ଓ ସୋମନାଥକୁ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ ସୋମନାଥ ଉକ୍ତ ୧୭ ବ‌ର୍ଷୀୟା ନାବାଳିକାର ପରିବାର ସହ ଉତ୍ତମ ସମ୍ପର୍କରେ ଥିଲା। ତେଣୁ ଅବାଧରେ ସେ ନାବାଳିକାର ଘରକୁ ଯା’ଆସ କରୁଥିଲା। ଏହା ଭିତରେ କିନ୍ତୁ ତା’ର ପାପ ଆଖି ନାବାଳିକା ଉପରେ ପଡ଼ିଥିଲା। ତାକୁ ପ୍ରେମ ଜାଲରେ ଫସାଇବାରେ ସୋମନାଥ ସଫଳ ହୋଇଥିଲା। ବିବାହ କରିବାକୁ ପ୍ରଲୋଭନ ଦେଖାଇ ସେ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା। ଫଳରେ ନାବାଳିକା ଗର୍ଭବତୀ ହୋଇଥିଲା। ଗର୍ଭବତୀ ହେବା ପରେ ନାବାଳିକା ବାହା ହେବା ପାଇଁ ସୋମନାଥ ଉପରେ ଚାପ ପକାଇଥିଲା। ତେଣୁ ସୋମନାଥ ଆଉ ଧରାଛୁଆଁ ଦେଇନଥିଲା। ଶେଷରେ ନାବାଳିକାର ପରିବାର ଲୋକେ ଗାଁରେ ଫେରାଦ ହୋଇଥିଲେ। ଗାଁରେ ଭଦ୍ରଲୋକଙ୍କ ସମ୍ମୁଖରେ ସୋମନାଥ ଗାଲୁ ମାରିବା ସହ ଡିଏନ୍‌ଏ ପରୀକ୍ଷା କରିବାକୁ ଦାବି କରିଥିଲା। ଟଣାଓଟରା ଭିତରେ ମାମଲାର ସମାଧାନ ନ ହେବାରୁ ନାବାଳିକା ଚନ୍ଦକା ଥାନାରେ ଅଭିଯୋଗ କରିଥିଲା। ପୁଲିସ ସୋମନାଥକୁ ଥାନାକୁ ନେଇ ପଚରାଉଚରା କରିବା ପରେ ସେ ପୁଲିସ ନିକଟରେ ସବୁ ମାନି ଯାଇଥିଲା।

ସମ୍ବନ୍ଧିତ ଖବର