ଖଣ୍ଡଗିରି: ଗତ ଜୁଲାଇ ୧୪ ତାରିଖ ଦିନ ଏମ୍ସ ଭୁବନେଶ୍ବରର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇଥିଲେ। ଏହାର ଅବ୍ୟବହିତ ପୂର୍ବରୁ ଏମ୍ସ ରାସ୍ତାର ଉଭୟ ପାର୍ଶ୍ବକୁ ଯୁଦ୍ଧକାଳୀନ ଭିତ୍ତିରେ ସଫା କରାଯାଇଥିଲା। ଚାରିଆଡ଼ ଚକାଚକ୍ କରି ଦିଆଗଲା। ତେବେ ରାଷ୍ଟ୍ରପତିଙ୍କ ଗସ୍ତର ଦୁଇମାସ ପରେ ଏହି ରାସ୍ତା ପୁଣି ଥରେ ଅସ୍ଥାୟୀ ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭୁବନେଶ୍ବର ଏମ୍ସକୁ ଆସୁଛନ୍ତି। ମାତ୍ର ଏହି ବାଟଦେଇ ଗଲାବେଳେ ଦୁର୍ଗନ୍ଧରେ ଛଟପଟ ହେଉଛନ୍ତି। ଏନ୍ଏଚ୍-୧୬ରୁ ଭୁବନେଶ୍ବର ଏମ୍ସକୁ ସଂଯୋଗ କରୁଥିବା ଦେଢ଼ କିମି ରାସ୍ତାରେ ବିଜୁପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମି ପରଠାରୁ ରାସ୍ତାପାର୍ଶ୍ବରେ କୁଢ଼କୁଢ଼ ଅଳିଆ ଗଦା ହୋଇ ରହିଛି। ଗାଈଗୋରୁ ଏହି ଆବର୍ଜନାକୁ ରାସ୍ତାକୁ ଟାଣିଆଣିବା ଫଳରେ ଗାଡ଼ି ଯା’ଆସ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ରାସ୍ତାରେ ଜବରଦଖଲ ଦିନକୁ ଦିନ ବଢ଼ୁଛି। ରାସ୍ତାପାର୍ଶ୍ବରେ ଗଢ଼ିଉଠୁଥିବା ଦୋକାନରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯୋଗୁ ଏଠାରେ ଆବର୍ଜନା ଜମୁଛି। କେବଳ ସେତିକି ନୁହେଁ, ଭୁବନେଶ୍ବର ଏମ୍ସରୁ ସୁସ୍ଥ ହୋଇ ଫେରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଲୁଗାପଟାକୁ ଏଠାରେ ଫିଙ୍ଗିଦେଇ ଚାଲିଯାଉଛନ୍ତି। ବର୍ଷା ଜାରି ରହିଥିବାରୁ ସ୍ଥିତି ଆହୁରି ଅସମ୍ଭାଳ ହୋଇପଡ଼ିଛି। ବାରମ୍ବାର ଏଭଳି ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ଭୁବନେଶ୍ବର ଏମ୍ସର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏମ୍ସ ସମ୍ମୁଖରେ ପଡ଼ି ରହିଥିବା ଅଳିଆକୁ କିଏ ସଫା କରିବ ସେ ନେଇ ବିବାଦ ଦେଖାଦେଇଛି। ଯେଉଁ ସ୍ଥାନରେ ଅଳିଆ ଆବର୍ଜନା ପଡ଼ିରହିଛି ତାହା ରଣସିଂହପୁର ପଞ୍ଚାୟତ ଅଧୀନରେ ଆସୁଥିବାରୁ ବିଏମ୍ସି ଏହାକୁ ସଫା କରିପାରୁନାହିଁ। ସଫେଇ କରିବାକୁ ପଞ୍ଚାୟତ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ ସେମାନେ ମଧ୍ୟ କାମ କରିପାରୁ ନଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମ୍ୟୁନିସିପାଲିଟି ଓ ପଞ୍ଚାୟତ ପକ୍ଷରୁ ମିଳିତ ଭାବେ ଏହି ଆବର୍ଜନା ସଫା କରାଯାଇଥିଲା। ରାସ୍ତାପାର୍ଶ୍ବକୁ ଜବରଦଖଲ କରି ଗଢ଼ି ଉଠୁଥିବା ଦୋକାନର ଆବର୍ଜନାକୁ ଏଠାରେ ପକାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଅଳିଆ ନ ପକାଇବାକୁ ସଂପୃକ୍ତ ଦୋକାନୀମାନଙ୍କୁ ତାଗିଦ କରାଯାଇଛି। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ସଫେଇ ବିଳମ୍ବ ହେଉଛି। ଖୁବ୍ଶୀଘ୍ର ଏହି ସ୍ଥାନକୁ ସଫା କରାଯିବ ବୋଲି ସରପଞ୍ଚ କହିଛନ୍ତି। ଏସମ୍ପର୍କରେ ୬୫ ନମ୍ବର ୱାର୍ଡ କର୍ପୋରେଟର୍ ରଶ୍ମିରଞ୍ଜନ ପାଟ୍ଟଶାଣୀ କହିଛନ୍ତି, ପ୍ରତିଦିନ ଏତେ ସଂଖ୍ୟକ ଲୋକ ଆସୁଥିବାରୁ ଏମ୍ସ ଅଞ୍ଚଳର ସଫେଇ ନିତାନ୍ତ ଆବଶ୍ୟକ। ଏହି ଅଞ୍ଚଳକୁ ବିଏମ୍ସିରେ ସାମିଲ୍ କରିବା ଲାଗି ବାରମ୍ବାର ଲିଖିତ ଆକାରରେ ଦାବି କରାଯାଇଛି। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁ କାଗଜପତ୍ର କାମ ଆଗେଇପାରୁନି। ବର୍ତ୍ତମାନ ଏହି ସ୍ଥାନର ସଫେଇ ପାଇଁ ବିଏମ୍ସି ଯୋଜନା କରୁଛି।