ଦେଢ଼ ମାସ ପରେ ଫିଟିଲା ଲୋୟର ପିଏମ୍‌ଜି ରାସ୍ତା

ଧାରଣାସ୍ଥଳ ଛାଡ଼ିବାକୁ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ର ନୋଟିସ୍

ଭୁବନେଶ୍ବର: ଆନ୍ଦୋଳନ, ଧାରଣା ଯୋଗୁଁ ପାଖାପାଖି ଦେଢ଼ ମାସ ଧରି ବନ୍ଦ ରହିଥିବା ଲୋୟର୍‌ ପିଏମ୍‌ଜି ରାସ୍ତା ଆଜି ସର୍ବସାଧାରଣ ଯାତାୟାତ ପାଇଁ ଖୋଲିଛି। କ୍ୟାପିଟାଲ ଥାନା ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଆଜି ଭୋର୍‌ରୁ ରାସ୍ତାରୁ ଉଠାଇ ଦେଇଛି। ଏବେ ସେମାନେ ରାସ୍ତାକଡ଼ରେ ରହିଛନ୍ତି। ତେବେ ଶୀଘ୍ର ଜାଗା ନ ଛାଡ଼ିଲେ, ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ ସେମାନଙ୍କୁ ନୋଟିସ୍‌ ଜରିଆରେ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ବିଭିନ୍ନ ସଂଗଠନ ସେମାନଙ୍କ ଦାବି ପୂରଣ ପାଇଁ ଏଠାରେ ଧାରଣାରେ ବସନ୍ତି। ତେଣୁ ଦୀର୍ଘ ଦିନ ଧରି ଏହି ରାସ୍ତା ବନ୍ଦ ରହେ। ଏହି ମାର୍ଗ ଭୁବନେଶ୍ବର ରେଳ ଷ୍ଟେସନ୍‌କୁ ଯିବାର ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ରାଜଧାନୀବାସୀଙ୍କୁ ଏଥିପାଇଁ ହଇରାଣ ହେବାକୁ ପଡ଼ିଥାଏ। ତେବେ ବିଧାନସଭା ଅଧିବେଶନ ସରି ଯାଇଥିଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ଦାବିରେ ଏଏନ୍‌ଏମ୍‌ କର୍ମୀମାନେ ଧାରଣାରେ ବସି ରହିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଏଠାରୁ ହଟିବେ ନାହିଁ ବୋଲି ଅଡ଼ି ବସିଥିଲେ। କିନ୍ତୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ ଏବଂ ବିନା ଅନୁମତିରେ ବସି ଥିବାରୁ ପୁଲିସ୍ ସେମାନଙ୍କୁ ହଟିବା ପାଇଁ ନୋଟିସ୍‌ ଦେଇଥିଲା। ଆଜି ସକାଳ ପ୍ରାୟ ୫ଟାରେ ପୁଲିସ୍ ସେମାନଙ୍କୁ ରାସ୍ତାରୁ ଉଠାଇଥିଲା। ଏହାକୁ ନେଇ ସେଠାରେ ସାମୟିକ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିପରି ଧାରଣାରେ ବସିଥିବା ପାରାମେଡିକାଲ କର୍ମୀଙ୍କୁ ମଧ୍ୟ ରାସ୍ତାରୁ ହଟା ଯାଇଥିଲା। ତେବେ ଶୀଘ୍ର ଜାଗା ଖାଲି ନ କଲେ, ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୁଲିସ୍‌ ସେଠାରେ ନୋଟିସ୍‌ ମାରିଛି।

 

ସମ୍ବନ୍ଧିତ ଖବର