ଝରାଫୁଲ ହତ୍ୟାକାଣ୍ଡକୁ ମାସେ ପୂରିଲା, ରହସ୍ୟ ଉପରୁ ପରଦା ଉଠିବ କେବେ?

ସହଯୋଗୀ ଶକ୍ତିଶେଖର ପତ୍ତା ମିଳୁନି, ପୁଲିସ ଅପାରଗତାକୁ ନେଇ ଉଠିଲାଣି ପ୍ରଶ୍ନ

ଭୁବନେଶ୍ବର: ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ହତ୍ୟାକାଣ୍ଡକୁ ମାସେ ପୂରି ଯାଇଛି। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ଧରା ପଡ଼ି ଜେଲରେ ଥିଲେ ବି ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରୁ ପରଦା ଉଠାଇବାରେ ଫେଲ୍ ମାରିଛି ଯାଜପୁର ପୁଲିସ। ଗୋଟିଏ ପଟେ ରାଜଧାନୀରେ ଜଣେ ମହିଳାଙ୍କୁ ହତ୍ୟା କରି ମୁଣ୍ଡକାଟ ଘଟଣାର ୮ ଦିନରେ ପର୍ଦ୍ଦାଫାସ୍ ହେବା ଓ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ୨୨ ବର୍ଷ ପରେ ଧରାପଡ଼ିବା ଘଟଣାକୁ ନେଇ କମିସନରେଟ୍‌ ପୁଲିସକୁ ସାବାସି ମିଳୁଛି। ଦୁଇଟି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଝରାଫୁଲ ହତ୍ୟା ମାମଲାରେ ପୁଲିସର ଅହେତୁକ ନିରବତା ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଲାଣି। ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ନ୍ୟାୟ ମିଳିବ କି ନାହିଁ, ତାକୁ ନେଇ ମଧ୍ୟ ସନ୍ଦେହ ଭିତରେ ରହିଛନ୍ତି ପରିବାରଲୋକ।

ଜାନୁଆରି ୨୭ ତାରିଖରେ ଝରାଫୁଲଙ୍କ ମୃତଦେହ ମିଳିବାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ପୁଲିସ ରାକେଶକୁ ତିନିଦିନିଆ ରିମାଣ୍ଡରେ ନେଇ ଘଟଣାର ଖୋଳତାଡ଼ ମଧ୍ୟ କରିଥିଲା। ମୃତଦେହ ଫିଙ୍ଗା ଯାଇଥିବା ଜାଗାଠାରୁ ଘଟଣା ଘଟିଥିବା ଗେଷ୍ଟହାଉସ୍‌ ପର୍ଯ୍ୟନ୍ତ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଥିଲା ପୁଲିସ। ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସନ୍ଦେହ ହେବାରୁ ଭିସେରା ରିପୋର୍ଟ ଉପରେ ଭରସା କରିଥିଲା। ଭିସେରା ରିପୋର୍ଟ ମିଳିବାକୁ ୧୫ଦିନ ବିତି ଗଲାଣି। କିନ୍ତୁ ପୁଲିସ ଏଯାଏ ମୃତ୍ୟୁ ଉପରୁ ରହସ୍ୟ ହଟାଇ ପାରଲାନାହିଁ। କାହିଁକି ସମସ୍ତଙ୍କୁ ଅନ୍ଧାରରେ ରଖିଛି ପୁଲିସ? ମୃତ୍ୟୁ ରହସ୍ୟ ଭେଦ ନ କରିପାରିବା ପଛରେ କ’ଣ ରହଛି କାରଣ? କାହିଁକି ରାଜ୍ୟ ପୁଲିସ ମୁଖିଆ ଚୁପ୍ ବସିଛନ୍ତି? ଫେରାର୍‌ ଥିବା ସହଯୋଗୀ ଶକ୍ତିଶେଖର ଏବେ କେଉଁଠି? କାହିଁକି ପୁଲିସ ଶକ୍ତିଶେଖର ଟେର୍ ପାଇପାରୁନାହିଁ? ଏଭଳି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ଯାଇଛି ତଦନ୍ତକାରୀ ପୁଲିସ୍‌।

ପୁଲିସର ନିରବତା ଓ ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଝରାଫୁଲଙ୍କ ବାପା ରମାକାନ୍ତ। ସେ କହିଛନ୍ତି, କଟାମୁଣ୍ଡ ମାମଲାରେ ଯଦି କମିସନରେଟ୍‌ ପୁଲିସ୍‌ ପର୍ଦ୍ଦାଫାସ୍ କଲା ଓ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲା; ତା ହେଲେ ଏହି ମାମଲାରେ କାହିଁକି ପୁଲିସ ଫେଲ୍ ମାରୁଛି? ସହଯୋଗୀ ଧରା ନପଡ଼ିବା ପଛରେ ପୁଲିସ ଉପରେ ଚାପ ରହୁଛି। ଦୁଇ ଅଭିଯୁକ୍ତଙ୍କର ପ୍ରଭାବଶାଳୀ ଲିଙ୍କ୍ ରହୁଥିବାରୁ ଏହି ମାମଲାକୁ ପୁଲିସ୍ ଚପାଇବାକୁ ଚେଷ୍ଟା କରୁଛି। ଯାହା ଆଗକୁ ଅସୁବିଧା ହୋଇପାରେ। ପୁଲିସ୍‌ର ଅବହେଳା ପାଇଁ ଅଭିଯୁକ୍ତ ଖଲାସ ହୋଇଯିବେ। ଆମେ ଆଦିବାସୀ ବୋଲି ଆମକୁ ଅଣଦେଖା କରାଯାଉଛି ବୋଲି କହିଛନ୍ତି ରମାକାନ୍ତ। ନ୍ୟାୟ ମିଳିବ କି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏ ‌ନେଇ ଯାଜପୁର ଏସ୍‌ପି ରାହୁଲ ପିଆରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଆମେ ଆଦିବାସୀ ବୋଲି ଅଣଦେଖା କରାଯାଉଛି: ରମାକାନ୍ତ

ଆରମ୍ଭରୁ ପୁଲିସର ଦୋଷତ୍ରୁଟି ସାମ୍ନାକୁ ଆସିଥିଲା

ଝରାଫୁଲ ହତ୍ୟା ମାମଲାରେ ଆରମ୍ଭରୁ ପୁଲିସର ଦୋଷତ୍ରୁଟି ସାମ୍ନାକୁ ଆସିଥିଲା। ମୁଖ୍ୟ ଅଭିଯୁକ୍ତ ରାକେଶ ଧରାପଡ଼ିବା ପରେ ପୁଲିସ ଖୁସି ହୋଇ ଯାଇଥିଲା। ମାମଲାର ପର୍ଦ୍ଦାଫାସ୍ କରିବ ବୋଲି ଭାବିଥିଲା। କିନ୍ତୁ ଦିନ ଗଡ଼ିବା ସହ ଅଡୁଆ ବଢ଼ିବାରେ ଲାଗିଥିଲା।
ତ୍ରୁଟି ନଂ ୧: ରାକେଶ ଧରାପଡ଼ିବା ପରେ ତାକୁ ତୁରନ୍ତ ଧରି ପୁଲିସ ଯାଜପୁର ପଳାଇଥିଲା। ରାଜଧାନୀରେ ସବୁ ତଥ୍ୟ ପ୍ରମାଣ ଥିଲେ ମଧ୍ୟ ରାକେଶକୁ ଧରି ଗୋଟିଏ ବି ସ୍ଥାନରେ ଚଢ଼ଉ କରି ନଥିଲା ପୁଲିସ। ଘଟଣା ପରେ ରାକେଶ ମୃତଦେହ ନେବାରେ ବ୍ୟବହୃତ ଗାଡ଼ି ଲୁଚାଇବା, ପୋଷାକ ଲୁଚାଇବା, ମୋବାଇଲ ଫୋନରୁ ସବୁ ଅଡିଓ ଭିଡିଓ ଭଳି ତଥ୍ୟ ଡିଲିଟ୍ କରିବା, ମୋବାଇଲ ଫିଙ୍ଗିଦେବା ସହ ଅନେକ ପ୍ରମାଣ ନଷ୍ଟ କରି ଦେଇଥିଲା।
ତ୍ରୁଟି ନଂ ୨: ରାକେଶକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସକୁ ତିନି ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ଖଣ୍ଡଗିରି ଧର୍ମବିହାରରେ ଯେଉଁ ଶିବ ସାଇ ଗେଷ୍ଟ ହାଉସରେ ଘଟଣା ଘଟିଥିଲା; ପୁଲିସ ସେଠାରେ ୫ ଦିନ ପରେ ପହଞ୍ଚିଥିଲା। ସେତେବେଳକୁ ହୋଟେଲ କର୍ମଚାରୀ ସେହି ରୁମ୍‌କୁ ସଫା କରି ଦେଇଥିଲେ। ଫଳରେ ପୁଲିସକୁ ବେଶି କିଛି ପ୍ରମାଣ ମିଳି ପାରି ନଥିଲା। ବିଳମ୍ବରେ ଗେଷ୍ଟ ହାଉସ୍ କର୍ମଚାରୀଙ୍କ ବୟାନ ରେକର୍ଡ କରା ଯାଇଥିଲା। ଫଳରେ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେବା ପରିବର୍ତ୍ତେ ବିଳମ୍ବିତ ହୋଇଥିଲା।
ତ୍ରୁଟି ନଂ ୩: ମୟୂରଭଞ୍ଜ ଯଶିପୁରରେ ଯେଉଁଠି ଝରାଫୁଲଙ୍କ ସହ ରାକେଶର ଦେଖା ହୋଇଥିଲା; ପୁଲିସ ସେଠାକୁ ୧୫ ଦିନ ପରେ ଯାଇ ତଦନ୍ତ କରିଥିଲା।

ସମ୍ବନ୍ଧିତ ଖବର