ଭୁବନେଶ୍ବର: ଜାନୁଆରି ୧୧ରୁ ଖୋଲିବ ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ସହ କ୍ଲାସରୁମ୍ ପାଠପଢ଼ା ଆରମ୍ଭ କରିବାକୁ ଉଭୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ପିଜି ଶେଷ ସେମିଷ୍ଟର୍ ଛାତ୍ରଛାତ୍ରୀ, ପିଏଚ୍ଡି ଓ ଏମ୍.ଫିଲ୍ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା, ହଷ୍ଟେଲ ଯୋଗାଇବା ଲାଗି ପଦକ୍ଷେପ ନିଆଯାଇଛି। ସମସ୍ତ ହଷ୍ଟେଲକୁ ବିଶୋଧନ କରାଯିବା ସହ ଶଯ୍ୟା ତୁଳନାରେ କମ୍ ପିଲାଙ୍କୁ ରହିବା ଲାଗି ସୁଯୋଗ ଦିଆଯିବ। ତେବେ ଉଭୟ ପାଠପଢ଼ା ଓ ହଷ୍ଟେଲରେ ରହିବାକୁ ହେଲେ ଛାତ୍ରଛାତ୍ରୀଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ହେବା ଆବଶ୍ୟକ। ରିପୋର୍ଟ ଦାଖଲ କରିବା ପରେ ହିଁ ଅନ୍ତେବାସୀଙ୍କୁ ରହିବା ଲାଗି ଅନୁମତି ଦିଆଯିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି।
ଜାନୁଆରି ୧୧ରୁ ଶ୍ରେଣୀଗୃହରେ ଶିକ୍ଷାଦାନ ଆରମ୍ଭ ହେବାକୁ ଥିବା ବେଳେ ୧୦ ତାରିଖରେ ହଷ୍ଟେଲ ଖୋଲିବ। ତାହାକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ପାଖାପାଖି ୧୦ ମାସ ପରେ କ୍ଲାସରୁମ୍ ପାଠପଢ଼ା ହେବାକୁ ଥିବାରୁ ବ୍ୟାପକ ବିଚାରବିମର୍ଶ ହୋଇଛି। ସମସ୍ତ ବିଭାଗରେ ସାନିଟାଇଜର୍ ମେସିନ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ହଷ୍ଟେଲରେ ରହିବା ପୂର୍ବରୁ ୭୨ ଘଣ୍ଟା ମଧ୍ୟରେ କରିଥିବା ରିପୋର୍ଟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ହେବ। ଏବେ ହଷ୍ଟେଲରେ କେବଳ ପିଜି ଶେଷ ସେମିଷ୍ଟର୍ ପିଲାଙ୍କ ରହିବା ଲାଗି ସୁଯୋଗ ମିଳିବ। ପିଏଚ୍ଡି ଓ ଏମ୍. ଫିଲ୍ ଛାତ୍ରଛାତ୍ରୀ ବି ରହିପାରିବେ। ଥର୍ମାଲ ସ୍କ୍ରିନିଂ ବି ଅନୁଷ୍ଠିତ ହେବ। ଯଦି କୌଣସି ଛାତ୍ରଛାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ, ସଙ୍ଗେସଙ୍ଗେ ପଦକ୍ଷେପ ନିଆଯିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦିଆଯିବ ବୋଲି ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର୍ ବସନ୍ତ କୁମାର ମଲ୍ଲିକ କହିଛନ୍ତି।
ଅନ୍ୟପକ୍ଷରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କୋଭିଡ୍ ରିପୋର୍ଟ ଦାଖଲ କରିବାକୁ ମତପ୍ରକାଶ ପାଇଥିଲା। କ୍ୟାମ୍ପସ୍ରେ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯିବ। ଉଭୟ ହଷ୍ଟେଲ ଛାତ୍ରୀ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ହଷ୍ଟେଲର ସମସ୍ତ କର୍ମଚାରୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ। କୁଳପତି ପ୍ରଫେସର୍ ଚୌଧୁରୀ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ସଫା କରି ପୂର୍ବ ସ୍ଥିତିକୁ ଫେରାଇବା ପାଇଁ ପଦକ୍ଷେପ ନିଆଯାଇଛି। ଛାତ୍ରୀଙ୍କ ସୁରକ୍ଷା ପାଇଁ କୋଭିଡ୍ ପରୀକ୍ଷା କରିବାକୁ ଯୋଜନା ରହିଛି।