ଭୁବନେଶ୍ବର: ହକି ବିଶ୍ବକପ୍ ପାଇଁ ପୂରା ରାଜଧାନୀକୁ ସଜା ଯାଉଛି। ରାତାରାତି କାନ୍ଥବାଡ଼କୁ ରଙ୍ଗିନ କରି ଦିଆଯାଉଛି। ସେଥିରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ମହାପୁରୁଷଙ୍କ ଛବିକୁ ସ୍ଥାନିତ କରାଯାଉଛି। ଫ୍ଲାଏଓଭର୍ଠାରୁ ଆରମ୍ଭ କରି ସହରର ଗଳିକନ୍ଦି ଚକ୍ଚକ୍ କରୁଛି। ଏହା ସାଙ୍ଗକୁ ରାତିରେ ଆଲୋକସଜ୍ଜା ପୂରା ରାଜଧାନୀକୁ ଏକ ନୂଆ ରୂପ ଦେଉଛି। କିନ୍ତୁ ଏସବୁ ଭିତରେ ବଡ଼ଗଡ଼ ଗ୍ରାମ ପ୍ରବେଶ ପଥରେ ଥିବା ଜଳ ଫୁଆରାକୁ ବିଏମ୍ସି ଭୁଲି ଯାଇଛି।
ବଡ଼ଗଡ଼ ଗାଁର ସୌନ୍ଦର୍ଯ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ୨୦୦୦ ମସିହାରେ ହୋଇଥିବା ଏହି ଜଳଫୁଆରା ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିଥିଲେ ହେଁ ଏହା ବିଏମ୍ସି ଅଧିକାରୀଙ୍କ ଆଖିରେ ପଡ଼ୁନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଏହି ସ୍ଥାନରେ ଅନାବନା ଘାସବୁଦା ମାଡ଼ି ଯାଇଛି। ଏହାସହ ଜଳଫୁଆରାର ପାଣି ବଦଳା ଯାଉନଥିବାରୁ ତାହା ପଚି ସଢ଼ି ଗନ୍ଧାଇବା ସହ ମଶାବଂଶ ବୃଦ୍ଧିରେ ସହାୟକ ହୋଇଛି। ମାରାତ୍ମକ କଥା ହେଲା, ମଶାପ୍ରବଣ ଅଞ୍ଚଳ ଭାବେ ବଡ଼ଗଡ଼ ରାଜଧାନୀର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ବେଳେ ବିଏମ୍ସି ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଅଧିକାରୀମାନେ ମଶାବଂଶ ବୃଦ୍ଧି ପାଉଥିବା ଜଳାଶୟଗୁଡ଼ିକୁ ଖୋଜିଖୋଜି ସେଠାରେ ମଶାତେଲ ସିଞ୍ଚନ କରୁଥିବା ବେଳେ ସର୍ବସାଧାରଣ ସ୍ଥାନରେ ଥିବା ଏହି ସ୍ଥାନ ଉପରେ ନଜର ନପଡ଼ିବା ଆଶ୍ଚର୍ଯ୍ୟର ବିଷୟ ହୋଇଛି। ତେଣୁ ଯଥାଶୀଘ୍ର ଏହି ଜଳଫୁଆରାର ପୁନରୁଦ୍ଧାର କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।
ସୂଚନାନୁସାରେ, ବିଏମ୍ସି ପକ୍ଷରୁ ୨୦୦୦ ମସିହାରେ ବଡ଼ଗଡ଼ ଗାଁ ପ୍ରବେଶ ପଥରେ ଏହି କୃତ୍ରିମ ଝରଣାକୁ ତତ୍କାଳୀନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଉଦ୍ଘାଟନ କରିଥିଲେ। ଝରଣା ସହ ନିକଟରେ ସୌନ୍ଦର୍ଯ୍ୟୀକରଣ ପାଇଁ ଘାସ ଗାଲିଚା ଓ ଫୁଲ ଗଛ ଲଗାଯାଇଥିଲା। କିନ୍ତୁ ଏହାର ରକ୍ଷଣାବେକ୍ଷଣ କରା ନଯିବାରୁ ଏବେ ସେହି ଜାଗାଟି ପରିତ୍ୟକ୍ତ ହୋଇଯାଇଛି। ଦିନେ ଶୋଭା ବଢ଼ାଉଥିବା ଏହି ଜଳ ଫୁଆରାଟି ଅଞ୍ଚଳ ପାଇଁ ଅଭିଶାପ ପାଲଟି ଯାଇଛି। ଗାଁ ଭିତରକୁ ପ୍ରବେଶ କରୁ କରୁ ଏ ଦୃଶ୍ୟ ଗ୍ରାମବାସୀଙ୍କ ସହ ବାହାର ଲୋକଙ୍କୁ ତିକ୍ତ ଅନୁଭୂତି ଦେଉଛି। ଏ ସଂପର୍କରେ ସ୍ଥାନୀୟ ସମାଜସେବୀ ସଂଗ୍ରାମ ମାର୍ଥା କହିଛନ୍ତି ଯେ ଦିନେ ଏହି ଫୁଆରା ଗ୍ରାମ ପ୍ରବେଶ ପଥରେ ରହି ଗ୍ରାମର ଶୋଭାବର୍ଦ୍ଧନ କରୁଥିଲା। କିନ୍ତୁ ଏବେ ତାହା ପରିତ୍ୟକ୍ତ ହୋଇଯାଇଛି। ଅଳିଆ ଆବର୍ଜନା ପଡ଼ି ଅନାବନା ଗଛ ଉଠି ଏକ ବୁଦା ଭଳି ଦେଖାଯାଉଛି। ଅଞ୍ଚଳକୁ ସଫା କରି କୃତ୍ରିମ ଝରଣାର ପୁନରୁଦ୍ଧାର କରାଯାଇ ପାରିଲେ ପୁଣି ଗ୍ରାମ ପ୍ରବେଶ ପଥରୁ ଶୋଭା ଫେରିଆସିବ ବୋଲି ଶ୍ରୀ ମାର୍ଥା କହିଛନ୍ତି।