ଭୁବନେଶ୍ବର: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ୮୭ତମ ପ୍ରତିଷ୍ଠା ଉତ୍ସବ ଅବସରରେ ଭୁବନେଶ୍ବର କଳ୍ପନା ଛକ ବିଜେବିନଗର ଠାରେ ଏହାର ନୂତନ ଶାଖା ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ନୂତନ ଶାଖାକୁ ଉଦ୍ଘାଟନ କରିଛନ୍ତି। କରୋନା ସମୟରେ ବ୍ୟାଙ୍କଗୁଡ଼ିକ କ୍ଷତି ସହୁଥିବା ବେଳେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଆଗକୁ ବଢ଼ୁଥିବାରୁ ଏହାକୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିଲେ। ଏହାସହ ସେ କହିଥିଲେ ଯେ, କରୋନା ମହାମାରୀ ପରେ ଓଡ଼ିଶାର ବହୁ ବ୍ୟାବସାୟିକ ଅନୁଷ୍ଠାନର ଅବସ୍ଥା ସଙ୍ଗିନ ହୋଇଯାଇଛି। ବହୁ ପ୍ରତିଷ୍ଠାନ ବନ୍ଦ ମଧ୍ୟ ହୋଇଯାଇଛି। ତେଣୁ ପୁଣି ଥରେ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ଆଗକୁ ବଢ଼ିବାକୁ ହେଲେ ବ୍ୟାଙ୍କ ମାନଙ୍କର ସହାୟତା ଗୁରୁତ୍ବପୂର୍ଣ୍ଣ।
ସେମାନଙ୍କୁ ବିଶ୍ବସନୀୟ ସଂସ୍ଥାମାନଙ୍କୁ ସାହାଯ୍ୟ ପାଇଁ ଆଗକୁ ଆସିବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଭୁବନେଶ୍ବର ଜୋନ୍ର ଜୋନାଲ ହେଡ୍ ବିନୟ କୁମାର କହିଥିଲେ, ଏହି ବ୍ୟାଙ୍କଟି ଭୁବନେଶ୍ବର ସହରରେ ଚତୁର୍ଥ ଶାଖା ହୋଇଥିବା ବେଳେ ଓଡ଼ିଶାର ୧୯ତମ ଶାଖା। ଏହି ଶାଖାର ସମସ୍ତ କର୍ମଚାରୀ କେବଳ ମହିଳା ବୋଲି ଶ୍ରୀ କୁମାର ସୂଚନା ଦେଇଥିଲେ। ଏହା ସହ ଏହି ବ୍ୟାଙ୍କରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ ସୁବିଧା ଥିବା ବେଳେ ୮୦ ପ୍ରତିଶତ ଡିଜିଟାଲ ମାଧ୍ୟମରେ ପରିଚାଳିତ ହେବ। ଆଗକୁ ଭୁବନେଶ୍ବରରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଏକ ଜୋନ୍ ଅଫିସ ଖୋଲାଯିବ ବୋଲି ସେ ଘୋଷଣା କରିଥିଲେ। ଏହି ଅବସରରେ ଡେପୁଟି ଜୋନାଲ ମ୍ୟାନେଜର ଶଶାଙ୍କ ଶେଖର ସାହୁ, ସିଏମସିପିସି ରବି ଶଙ୍କର, ଶାଖା ମ୍ୟାନେଜର ବିସ୍ମିତା ସାହୁ, ନୂଆପଲ୍ଲୀ ଶାଖା ଚିଫ୍ ମ୍ୟାନେଜର ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।