ଭୁବନେଶ୍ୱର: ମାର୍କେଟ୍‌ ବିଲ୍ଡିଂ ବ୍ୟବସାୟୀ ବିବାଦ ନୂଆ ମୋଡ଼ ନେଇଛି। ଏହାର ପ୍ରଭାବ ଏବେ ସାରା ଭୁବନେଶ୍ବରରେ ପଡ଼ିବାକୁ ଯାଉଛି। ସ୍ଥାୟୀ ବ୍ୟବସାୟୀମାନେ ରାଜଧାନୀର ସମସ୍ତ ବଜାର ସଂଘ ସହ ଆଲୋଚନା କରିବା ପରେ ସୋମବାର ଠାରୁ ସବୁ ମାର୍କେଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ୧୧ଟା ବେଳେ ଭୁବନେଶ୍ବରର ସମସ୍ତ ବ୍ୟବସାୟୀ ସଂଘ ଏକାଠି ହୋଇ ଆଲେଚାନା କରିବାକୁ ସ୍ଥିର ହୋଇଛି। ଏଭଳି ସ୍ଥିତିରେ ଆଜି ଉଠା ଦୋକାନୀମାନେ ବିକ୍ଷୋଭ ଆରମ୍ଭ କରିଛନ୍ତି। ବିଏମ୍‌ସି ସର୍ଭେ‌ରେ ‘ଷ୍ଟ୍ରିଟ୍‌ ଭେଣ୍ଡର’ ଭାବରେ ଚିହ୍ନଟ ହୋଇଥିବା ବ୍ୟବସାୟୀମାନଙ୍କୁ ମାର୍କେଟ୍‌ ବିଲ୍ଡିଂ ଭିତରେ ବ୍ୟବସାୟ କରିବାକୁ ସୁଯୋଗ ଦେବା ସହ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ସେଠାକାର ଉଠାଦୋକାନୀଙ୍କୁ ନେଇ ଗଠିତ ବାଲୁଙ୍କେଶ୍ବର କ୍ଷୁଦ୍ର ବ୍ୟବସାୟୀ ସଂଘ ଦାବି କରିଛି। ଦାବି ପୂରଣ ନ ହେଲେ ନିଖିଳ ଓଡ଼ିଶା ଷ୍ଟ୍ରିଟ୍‌ ଭେଣ୍ଡର ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଆବଶ୍ୟକ ପଡ଼ିଲେ ସମସ୍ତ ଉଠାଦୋକାନୀ ବ୍ୟବସାୟ ବନ୍ଦ କରିବା ସହ ଭୁବନେଶ୍ବର ବନ୍ଦ ଡାକରା ଦେବେ ବୋଲି ମହାସଂଘ କହିଛି। ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ ରାଜଧାନୀର ସବୁ ମାର୍କେଟ୍‌ ବନ୍ଦ କରିବାକୁ କହିଥିବା ବେଳେ ଏବେ ସବୁ ଉଠାଦୋକାନୀ ବନ୍ଦ ହେବାକୁ ଯାଉଛି। ଏଣୁ ଭୁବନେଶ୍ବର‌ରେ ପରିସ୍ଥିତି ଗୁରୁତର ହେବା ଆଶଙ୍କା ସୃଷ୍ଟି ହୋଇଛି।

Advertisment

ନିଖିଳ ଓଡ଼ିଶା ଷ୍ଟ୍ରିଟ୍‌ ଭେଣ୍ଡର ମହାସଂଘ ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ କହିଛନ୍ତି, ୨୦୧୬ ମସିହାରେ ବିଏମ୍‌ସି ଏଠାରେ ଷ୍ଟ୍ରିଟ୍‌ ଭେଣ୍ଡରମାନଙ୍କର ସର୍ଭେ କରିଥିଲା। ସେତେବେଳେ ୭୫ରୁ ୮୦ ଜଣଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିଥିଲା। ଷ୍ଟ୍ରିଟ୍‌ ଭେଣ୍ଡର ଭାବରେ ପରିଚୟ ମିଳିବା ପରେ ଏହି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ୧୦ ହଜାର ଲେଖାଏଁ ଋଣ ମିଳିଥିଲା। ଋଣ କରି ସେମାନେ ବ୍ୟବସାୟ କରୁଛନ୍ତି। ବେପାର ଦିନେ ବନ୍ଦ ହେଲେ ଋଣ ପରିଶୋଧ କରିବା ଅସମ୍ଭବ। ଏବେ ମାର୍କେଟ୍‌ ବିଲ୍ଡିଂର ଉଭୟ ପାର୍ଶ୍ବରେ ତାଲା ପକାଇ ଦିଆଯାଇଛ। ଫଳରେ ଏହି ଛୋଟ ଛୋଟ ବ୍ୟବସାୟୀମାନେ ଭିତରେ ପ୍ରବେଶ କରିପାରୁ ନାହାନ୍ତି। ବ୍ୟବସାୟ କରିବେ କେମିତି?

ମାର୍କେଟ୍‌ ବିଲ୍ଡିଂ ପରିସରରେ ଷ୍ଟେସନାରି ଜିନିଷ ବିକ୍ରି କରୁଥିବା ଅରୁଣ ରାୟ କହିଛନ୍ତି, ୨୦୦୧ ମସିହାରୁ ଏଠାରେ ମୁଁ ବ୍ୟବସାୟ କରୁଛି। ଅନନ୍ତ ନାରାୟଣ ଜେନା ମେୟର ଥିବା ବେଳେ ସର୍ଭେ ହେବା ସହ ଥଇଥାନ ପାଇଁ ପ୍ରତିଶ୍ରୁତି ମିଳିଥିଲା। ଫନି ବେଳେ ଦୋକାନ ଭାଙ୍ଗିଯିବା ସହ କ୍ଷୟକ୍ଷତି ହେବାରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଠାରୁ ଆର୍ଥିକ ସହାୟତା ମଧ୍ୟ ମିଳିଥିଲା। ଆମେ ଟ୍ରେଡ୍‌ ଲାଇସେନ୍ସ କରିବା ସହ ବିଏମ୍‌ସିକୁ ଟିକସ ମଧ୍ୟ ଦେଇ ଚାଲିଛୁ। ବେପାରରୁ ଦୁଇ ପଇସା ପାଇଲେ ପରିବାର ପୋଷିବୁ। ୬ ଦିନ ହେଲାଣି ଆର୍ଥିକ ଦୁଃସ୍ଥିତି ଘାଇଲା କଲାଣି। କସ୍‌ମେଟିକ୍‌ ସାମଗ୍ରୀ ବିକ୍ରି କରୁଥିବା ବିଦ୍ୟାଧର ଦାସ କହିଛନ୍ତି, ଆମର ସ୍ଥାୟୀ ବ୍ୟବସାୟୀଙ୍କ ସହ କୌଣସି ବିବାଦ ନାହିଁ କିମ୍ବା ଆମେ ତାଙ୍କୁ ବିରୋଧ କରୁନାହୁଁ। ବିଏମ୍‌ସି ଆମକୁ ବାରମ୍ବାର ହଇରାଣ କରିବାରୁ ଆମେ କୋର୍ଟର ମଧ୍ୟ ଦ୍ବାରସ୍ଥ ହୋଇଛୁ। ଯେଉଁମାନେ ବିଏମ୍‌ସି ଦ୍ବାରା ସ୍ବୀକୃତିପ୍ରାପ୍ତ ଉଠାଦୋକାନୀ ସେମାନଙ୍କୁ ବସାଇ ଅନ୍ୟ ଅଯୋଗ୍ୟଙ୍କୁ ହଟାଇବାକୁ ନିକଟ ଅତୀତରେ ବିଏମ୍‌ସି ଘୋଷଣା କରିଥିଲା। କିନ୍ତୁ କାହିଁକି ସେମାନଙ୍କୁ ହଟାଗଲା ନାହିଁ? ପ୍ରଶାନ୍ତ ଶତପଥୀ, ଚୈତନ୍ୟ ମଲ୍ଲିକ, ସୀମାଞ୍ଚଳ ମହାନ୍ତି ପ୍ରମୁଖ ଅନୁରୂପ ଅଭିଯୋଗ କରିବା ସହ ମାର୍କେଟ୍‌ ବିଲ୍ଡିଂ ଖୋଲି ସେମାନଙ୍କୁ ବ୍ୟବସାୟ କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି।

ଅନ୍ୟପଟେ ବିଏମ୍‌ସି ଏବେ ହରଡ଼ଘଣାରେ ପଡ଼ିଛି। କାହା କଥା ଶୁଣିବ, କାହା କଥା ଶୁଣିବ ନାହିଁ କିମ୍ବା ନିରବ ରହିବ ତାହାକୁ ନେଇ ଚିନ୍ତାରେ ପଡ଼ିଛି। ଏ ନେଇ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସହ ଲୋକପ୍ରତିନିଧିମାନେ ଆଲୋଚନା କରିଛନ୍ତି। ବିଏମ୍‌ସି ସର୍ଭେରେ ଷ୍ଟ୍ରିଟ୍‌ ଭେଣ୍ଡର ଭାବେ ଚିହ୍ନଟ ହୋଇଥିବା ବ୍ୟବସାୟୀଙ୍କୁ ସେଠାରେ ବସାଇ ଅନ୍ୟ ଅଯୋଗ୍ୟମାନଙ୍କୁ ହଟାଇବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ଏମାନଙ୍କୁ ହଟାଇବା ପରେ ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି। କିନ୍ତୁ ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ ସମସ୍ତଙ୍କ ହଟାଇବା ଦାବିରେ ଅଟଳ ରହିଛି। ବିଏମ୍‌ସିର ତ୍ରୁଟି ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ସଂଘ ଅଭିଯୋଗ କରିଛି।