ସ୍ତ୍ରୀଙ୍କ ପରକୀୟା ପ୍ରୀତି ପାଇଁ ସ୍ବାମୀଙ୍କ ବିଷପାନ ପ୍ରସଙ୍ଗ‌‌ରେ ନୂଆ ମୋଡ଼, ଥାନା ଆଗରେ ଧାରଣାରୁ ତୁମୁଳକାଣ୍ଡ

ଦୁଇ ଗୋଷ୍ଠୀ ମହାଁମୁହିଁ, ଯୁବକଙ୍କୁ ନିର୍ଧୁମ୍‌ ଛେଚିଲେ, ବଞ୍ଚାଇବାକୁ ଯାଇ ପିସିଆର୍‌ ଗାଡ଼ି ଅଟକ

ବାଲିପାଟଣା: ପତ୍ନୀଙ୍କ ପରକୀୟା ପ୍ରୀତି ପାଇଁ ସ୍ବାମୀ ପ୍ରଶାନ୍ତ ଭୋଇ ବିଷ ପିଇ ଆତ୍ମହତ୍ୟା କରିବା ମାମଲାକୁ କେନ୍ଦ୍ର କରି ଆଜି ବାରିଲୋ ଗ୍ରାମ‌ରେ ତୁମୁଳକାଣ୍ଡ ଘଟିଛି। ଥାନା ଆଗରେ ଧାରଣା ଦେବାଠାରୁ ଆରମ୍ଭ କରି ଦୁଇପକ୍ଷ ମୁହାଁମୁହିଁ ଓ ମାଡ଼ ଖାଉଥିବା ଗୋଟିଏ ଗୋଷ୍ଠୀର ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ପୁଲିସ ଗାଡ଼ି ଅଟକ ରହିବା ଭଳି ଘଟଣା ଗାଁରେ ଅଶାନ୍ତି ଖେଳାଇ ଦେଇଛି। ଶେଷ ଖବର ଲେଖା ହେବା ବେଳକୁ ମଧ୍ୟ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

ସୂଚନା ଅନୁଯାୟୀ, ପ୍ରଶାନ୍ତଙ୍କ ମୃତ୍ୟୁ ମାମଲା‌ରେ ଗିରଫ ହୋଇଥିବା ଅଭିଯୁକ୍ତ ତଥା ପ୍ରଶାନ୍ତ ସ୍ତ୍ରୀ ସଂଧ୍ୟାରାଣୀଙ୍କ ପ୍ରେମିକ କୁହାଯାଉଥିବା ହାପି ଭୋଇକୁ ପୁଲିସ ୩ ଦିନ ହେଲା ଅଟକ ରଖିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ତାକୁ କୋର୍ଟଚାଲାଣ କରାନଯିବା ପ୍ରତିବାଦରେ ସ୍ଥାନୀୟ କଂଗ୍ରେସ ନେତା ଜୟନ୍ତ ଭୋଇ ଓ ହାପିଙ୍କ ସଂପର୍କୀୟମାନେ ଅପରାହ୍‌ଣରେ ବାଲିପାଟଣା ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ସେମାନେ ପୁଲିସ ବିରୋଧରେ ନାରାବାଜି କରିବା ସହ ଅପରପକ୍ଷ ଅର୍ଥାତ୍‌ ପ୍ରଶାନ୍ତଙ୍କ ପରିବାରଲୋକଙ୍କୁ ଗାଳିଗୁଲଜ କରିଥିଲେ। ଥାନା ପାଖରେ ଗାଁ ଥିବାରୁ ଏହାକୁ ନେଇ ପ୍ରଶାନ୍ତଙ୍କ ପରିବାର ଓ ସମର୍ଥକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କଥା କଟାକଟିରୁ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ।

ସେହି ସମୟରେ ପ୍ରଶାନ୍ତଙ୍କ ସମର୍ଥକମାନେ ଅପରପକ୍ଷର ଜଣେ ଯୁବକଙ୍କୁ ଘଟଣାସ୍ଥଳରୁ ଟେକି ନେଇ ଗାଁ ଭିତରେ ନିର୍ଧୁମ୍‌ ଛେଚିଥିଲେ। ଏହା ଜଣାପଡ଼ିବା ପରେ ପୁଲିସ ଗାଁ ଭିତରକୁ ଯାଇ ଉକ୍ତ ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଉତ୍ତ୍ୟକ୍ତ ଯୁବକମାନେ ପୁଲିସ୍‌ ଗାଡ଼ିକୁ ଅଟକ ରଖି ଦେଇଥିଲେ। ତେବ‌େ ପରେ ପୁଲିସ ବହୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହା ପରେ ଥାନା ଆଗରେ ଶହଶହ ଗ୍ରାମବାସୀ ରୁଣ୍ଡ ହୋଇ ହୋହଲ୍ଲା କରିବାରୁ ପୁଣି ଉତ୍ତେଜନା ଦେଖାଦେଇଥିଲା‌। ଏହି ମାମଲାକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରାଯାଉଥିବାରୁ ଆଜି ଏପରି ପରିସ୍ଥିତି ଉପୁଜିଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେଣୁ କଂଗ୍ରେସ ନେତା ଜୟନ୍ତ ଭୋଇଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରଶାନ୍ତଙ୍କ ସମର୍ଥକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର