କୁଷ୍ଠରୋଗୀଙ୍କ ସେବାରେ ନର୍ସିଂ ଛାତ୍ରୀ

ଭୁବନେଶ୍ବର: ସେବା ହିଁ ପରମଧର୍ମ। ମାନବ ସେବା ହିଁ ମାଧବ ପୂଜା ବୋଲି ପ୍ରବାଦ ରହିଆସିଛି। ଏହି ବାଣୀକୁ ପାଥେୟ କରି ନିଜକୁ କୁଷ୍ଠରୋଗୀଙ୍କ ସେବାରେ ବ୍ରତୀ କରିଛନ୍ତି ଛାତ୍ରୀ ଭାଗ୍ୟଶ୍ରୀ ରାଉତ। ନର୍ସିଂ ପାଠ୍ୟକ୍ରମ କରୁଥିବା ଭାଗ୍ୟଶ୍ରୀଙ୍କ କୁଷ୍ଠରୋଗୀ ସେବା ତାଙ୍କୁ ରାଜଧାନୀରେ ଏକ ଚର୍ଚ୍ଚିତ ଚେହେରା କରିଛି। ଗତ ପାଞ୍ଚ ବର୍ଷ ହେଲା ସେ ନିଜକୁ ଏହି କାର୍ଯ୍ୟରେ ନିୟୋଜିତ କରି ଆସିଛନ୍ତି। ତାଙ୍କର ଏହି ସମର୍ପଣ ଭାବ ଆଜି ଅନେକ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ତାଙ୍କ ସାଙ୍ଗସାଥୀମାନେ ଚର୍ଚ୍ଚା କରନ୍ତି।

ବରମୁଣ୍ଡା ଅଞ୍ଚଳରେ ରହୁଛନ୍ତି ଭାଗ୍ୟଶ୍ରୀ। ଯୁକ୍ତ ଦୁଇ ପଢ଼ିବା ବେଳରୁ କୁଷ୍ଠରୋଗୀଙ୍କ ପ୍ରତି ତାଙ୍କ ସମବେଦନା ସୃଷ୍ଟି ହୋଇଥିଲା। ସ୍ବାମୀ ଶିବାନନ୍ଦଙ୍କ ପୁସ୍ତକ ଓ ଆତ୍ମଜୀବନୀରୁ ସେ କୁଷ୍ଠରୋଗୀଙ୍କ ସେବା କରିବା ପ୍ରତି ଆକୃଷ୍ଟ ହୋଇଥିଲେ। ପ୍ରଥମେ ସେ ସେମାନଙ୍କୁ କିଛି କିଛି ଖାଇବା ପାଇଁ ଦେଉଥିଲେ। କିନ୍ତୁ ପରେ ସେ ଦେଖିଲେ ଯେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନି। ତେଣୁ ନର୍ସିଂ ପାଠ୍ୟକ୍ରମରେ ନାମ ଲେଖାଇବା ପରେ ସେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବାକୁ ସ୍ଥିର କଲେ। ବଡ଼ ସମସ୍ୟା ଥିଲା ମହାମାରୀ କରୋନା ସମୟ। କରୋନା ଆଳରେ ଡାକ୍ତରମାନେ କୁଷ୍ଠରୋଗୀଙ୍କ ଚିକିତ୍ସା କରିବା ପାଇଁ ମନା କରିଦେଉଥିଲେ। ତେଣୁ ଏହା ହିଁ ଉପଯୁକ୍ତ ସମୟ ବୋଲି ଧରି ନେଇଥିଲେ ଭାଗ୍ୟଶ୍ରୀ।

ସେହି ସମୟରେ ସେ ପୋଖରୀପୁଟ, ସ୍ବାମୀ ଚିଦାନନ୍ଦ ବସ୍ତି ଓ ଯାଁଳାସ୍ଥିତ କୁଷ୍ଠ କଲୋନି ଯାଇ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇଥିଲେ। ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ବେଟାଡାଇନ୍‌, ଗଜ୍ କପଡ଼ା, ସିରଞ୍ଜ୍‌ ଆଦି ଖର୍ଚ୍ଚ ସେ ନିଜ ପକେଟ୍‌ରୁ ବହନ କରନ୍ତି। ଅନେକ ସମୟରେ ସେ ଫେସ୍‌ବୁକ୍‌ରେ ପୋଷ୍ଟ କରି ଅନ୍ୟମାନଙ୍କଠାରୁ ସହାୟତା ପାଇଥାନ୍ତି ବୋଲି କହିଛନ୍ତି। ଜନୈକା କୁଷ୍ଠରୋଗୀ କନକ ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କୁ ଲୋ‌କେ ଛୁଇଁବାକୁ ଘୃଣା କରୁଥିବା ବେଳେ ଭାଗ୍ୟଶ୍ରୀ ଦେବଦୂତ ଭଳି ସେମାନଙ୍କ ପାଖରେ ପହଞ୍ଚିଯାଏ। ଫୋନ୍ ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଆସେ। ପ୍ରତି ସପ୍ତାହରେ ଆସି ଚିକିତ୍ସା କରେ। କରୋନା ସମୟରେ ସେ ରାସନ ସାମଗ୍ରୀ ପହଞ୍ଚାଇଛି। କେବଳ ସେତିକି ନୁହେଁ, ଡାକ୍ତରମାନେ ସେମାନଙ୍କୁ ଚିକିତ୍ସା କରୁନଥିବା ବେଳେ ଭାଗ୍ୟଶ୍ରୀ ସେମାନଙ୍କୁ ସେବା ଦେଇଛି। ତେଣୁ ଭଗବାନ ତାକୁ ଆଶୀର୍ବାଦ କରନ୍ତୁ ବୋଲି କନକଙ୍କ ବସ୍ତିବାସିନ୍ଦାମାନେ କହିଛନ୍ତି।

ସମ୍ବନ୍ଧିତ ଖବର