ଭୁବନେଶ୍ବର: ସାଲିଆସାହିର ଦୁଇଟି ବସ୍ତି ପାଇଁ ଅଟକିଥିବା ୨୦୦ ଫୁଟିଆ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ପାଇଁ ବାଟ ଫିଟିଛି। ନିକଟ ଅତୀତରେ ଶେଷ ହୋଇଥିବା ସର୍ଭେରେ ୬୮୫ ପରିବାର ଚିହ୍ନଟ ହୋଇଛନ୍ତି। ଖୁବ୍‌‌ଶୀଘ୍ର ସେମାନଙ୍କୁ ସ୍ଥାନାନ୍ତର କରାଯିବ। ଏହାପରେ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Advertisment

ସାଲିଆସାହିର ଆଦିବାସୀ ଗାଁ ଓ ଶକ୍ତିବିହାର ବସ୍ତି ସ‌ର୍ଭେ ଶେଷ ହେବା ପରେ ସେମାନଙ୍କୁ ଥଇଥାନ କରିବା ଯୋଜନା ହୋଇଛି। ଥଇଥାନ ବେଳେ ସେମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ସହ ମୌଳିକ ଆବଶ୍ୟକତା ଯଥା; ବିଦ୍ୟୁତ ସଂଯୋଗ, ପାନୀୟଜଳ, ରାସ୍ତା, ଡ୍ରେନ ଓ ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା କରାଯିବ। ତା’ ଛଡ଼ା ୭ ଦିନ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ। ବସ୍ତି ଉଚ୍ଛେଦ ପରେ ବାକି ରହିଥିବା ଆଉ କିଛି ଘରକୁ ଭାଙ୍ଗି ଦିଆଯିବ। ଏହା ପରେ ଏହି ଦୁଇଶହ ଫୁଟିଆ ରାସ୍ତା ହାତିଆଶୁଣୀଠାରୁ ଆର୍‌ପିଆର୍‌ସିକୁ ସଂଯୋଗ କରିବ। ଉଲ୍ଲେଖଯୋଗ୍ୟ, ଉଚ୍ଛେଦକୁ ସାଲିଆସାହି ବସ୍ତିବାସିନ୍ଦାଙ୍କ ବିରୋଧ ଯୋଗୁଁ ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇପଡ଼ିରହିଛି। ଏହି ସମାନ୍ତରାଳ ରାସ୍ତା କାର୍ଯ୍ୟକ୍ଷମ ହେଲେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରୁ ଚାପ କମିବ।