କଳଙ୍କି ଲାଗି ଯନ୍ତ୍ରାଂଶ ଅଚଳ, ପଚା ପାଣିରେ ଭର୍ତ୍ତି ପାର୍କ‌ ୱାଟର୍‌ ଫାଉଣ୍ଟେନ୍‌

ଭୁବନେଶ୍ବର: ରାଜଧାନୀରେ ଥିବା ବହୁ ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ମୁଖ୍ୟ ଉପାଦାନ ହେଉଛି ୱାଟର୍‌ ଫାଉଣ୍ଟେନ୍‌। ସେଥିରେ ରହୁଥିବା ରଙ୍ଗିନ୍‌ ମାଛ ଓ ସଂଧ୍ୟା ସମୟର ଲାଇଟ୍‌ ପାର୍କକୁ ବୁଲିଆସୁଥିବା ଲୋକଙ୍କୁ ବେଶି ଆକୃଷ୍ଟ କରିଥାଏ। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ପରିତାପର କଥା ଏହି ଫାଉଣ୍ଟେନ୍‌ ସବୁ ଏବେ ଅଚଳାବସ୍ଥାରେ ପଡ଼ି ରହିଛି। କୌଣସି ବି ପାର୍କରେ ୱାଟର୍‌ ଫାଉଣ୍ଟେନ କାମ କରୁନି। ସବୁଠି ପଚା ପାଣି ଭର୍ତ୍ତି ହୋଇ ରହିଥିବା ବେଳେ ଲାଗିଥିବା ଯନ୍ତ୍ରାଂଶରେ କଳଙ୍କି ଲାଗିଗଲାଣି। ଲୋକେ ପାର୍କ ବୁଲି ୱାଟର ଫାଉଣ୍ଟେନ୍‌ର ସୌନ୍ଦର୍ଯ୍ୟ ଉପଭୋଗ କରିବେ କ’ଣ, ପଚା ଗନ୍ଧ ପାଇଁ ତା’ ପାଖ ମାଡ଼ୁନାହାନ୍ତି।

ସୂଚନାଯୋଗ୍ୟ, ରାଜଧାନୀରେ ଛୋଟ ବଡ଼ ହୋଇ ୧୨୦ରୁ ଅଧିକ ପାର୍କ ରହିଛି। ସେଥିରୁ ପାଖାପାଖି ୫୭ଟି ପାର୍କର ରକ୍ଷାଣବେକ୍ଷଣ ବିଡିଏ ଅଧୀନରେ ଥିବା ବେଳେ ବିଏମ୍‌ସି ୬୩ଟି ପାର୍କର ଦାୟିତ୍ବ ବହନ କରୁଛି। ତେବେ ସବୁଠାରୁ ୧୦ଟି ବଡ଼ବଡ଼ ପାର୍କର ରକ୍ଷାଣବେକ୍ଷଣ ଦାୟିତ୍ବ ବିଡିଏ ପାଖରେ ରହିଛି। ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କ, ମହାତ୍ମାଗାନ୍ଧୀ ପାର୍କ, ମଧୁସୂଦନ ଦାସ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ବିଡିଏ ପାର୍କ, ଖାରବେଳ ପାର୍କ, କେଳୁଚରଣ ପାର୍କ ପ୍ରମୁଖ ବିଡିଏ ତତ୍ତ୍ବାବଧାନ‌ରେ ରହିଛି।

ଏହି ସବୁ ବଡ଼ ପାର୍କମାନଙ୍କରେ ଲୋକମାନଙ୍କ ପାଇଁ ବିଭିନ୍ନ ଅତ୍ୟାଧୁନିକ ସରଞ୍ଜାମ ରହିଛି। ମୁକ୍ତାକାଶ ବ୍ୟାୟାମଶାଳା ଠାରୁ ଆରମ୍ଭ କରି ଛୋଟପିଲାଙ୍କ ଖେଳିବା ପାଇଁ ବହୁ ଖେଳ ଉପକରଣ ରଖାଯାଇଛି। ତେବେ ବଡ଼ କଥା ହେଉଛି ଏସବୁ ପାର୍କରେ ୱାଟର ଫାଉଣ୍ଟେନ୍‌ ଅଛି। ଏଥିରେ ରଙ୍ଗିନ ମାଛ ଛଡ଼ାଯିବା ବ୍ୟବସ୍ଥା ବି ରହିଛି। ସନ୍ଧ୍ୟାରେ ରଙ୍ଗିନ୍‌ ଲାଇଟ୍‌ ପାଇପ୍‌ରେ ଛିଟିକି ପଡ଼ୁଥିବା ପାଣିରେ ବିଭିନ୍ନ ପ୍ରକାରର ସୋ’ ପ୍ରଦର୍ଶନ କରିଥାଏ। ତେଣୁ ୱାଟର୍‌ ଫାଉଣ୍ଟେନ୍‌ ସେଲ୍‌ଫି ପଏଣ୍ଟ ବା ଫଟୋ ଉଠାଇବା ପାଇଁ ଉପଯୁକ୍ତ ସ୍ଥାନ ହୋଇଥାଏ। ମାତ୍ର ଗତ କିଛି ବର୍ଷ ହେବ ସେଗୁଡ଼ିକର ରକ୍ଷାଣବେକ୍ଷଣ କରାଯାଉନାହିଁ। ଫଳରେ ସେସବୁ ଅଚଳ ଅବସ୍ଥାରେ ପଡ଼ିରହିଛି। ପାଣି ବଦଳା ଯାଉନାହିଁ।

ଦୀର୍ଘ ଦିନ ଧରି ପୁରୁଣା ପାଣି ଜମି ରହିବା ଫଳରେ ସେଥିରୁ ଦୁର୍ଗନ୍ଧ ବାହାରିଲାଣି। ମଟର ଅଚଳ ଅବସ୍ଥାରେ ରହି ରହି ଖରାପ ହୋଇଗଲାଣି ଓ ପାଇପରେ କଳଙ୍କି ଲାଗିଗଲାଣି। ଏହି ଫାଉଣ୍ଟେନ ତିଆରି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ରକ୍ଷାଣବେକ୍ଷଣ କରିବା ପାଇଁ ପ୍ରତିବର୍ଷ ମଧ୍ୟ ବିପୁଳ ଅର୍ଥ ବ୍ୟୟ କରାଯାଇଥାଏ। କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲା ସବୁ ଠପ୍‌। ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଜନତା ମଇଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ୱାଟର ଫାଉଣ୍ଟେନ କାମ କରୁନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବିଡିଏ ଯନ୍ତ୍ରୀ ଅମ୍ବିକା ମହାନ୍ତି କୁହନ୍ତି ଯେ ପ୍ରତିବର୍ଷ ବର୍ଷା ଦିନ ପରେ ୱାଟର ଫାଉଣ୍ଟେନଗୁଡ଼ିକର ମରାମତି କରାଯାଉଛି। ଯେଉଁଠି ଖରାପ ହୋଇଛି, ଖୁବ୍‌ ଶୀଘ୍ର ସେସବୁକୁ କାର୍ଯ୍ୟକ୍ଷମ କରାଯିବ।

ସମ୍ବନ୍ଧିତ ଖବର