ଅନ୍ଧାରରେ ଅହିଂସା ସ୍ଥଳ, ସନ୍ଧ୍ୟାପରେ ଗଞ୍ଜେଇମାଡ଼

ଭୁବନେଶ୍ବର: ୨୦୧୯ ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଥିଲା ‘ଅହିଂସା ସ୍ଥଳ’। ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ଅଧିକ ଜାଣନ୍ତୁ, ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ। ‌ସେଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସହ ଚାରିପାଖ ସ୍ଥାନକୁ ସୁସଜ୍ଜିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ତାହା ବେଶ୍‌ ଆକର୍ଷିତ କରୁଥିଲା।

ସେ ସ୍ଥଳୀଟିର ଶୋଚନୀୟ ସ୍ଥିତି ଏବେ ଆଖିରେ ନଦେଖିଲେ ବିଶ୍ବାସ କରିହେବନି। ଏବେ ସ୍ଥାନଟି ଏକପ୍ରକ‌ାର ପରିତ୍ୟକ୍ତ ହୋଇଗଲାଣି। କାଁ ଭାଁ ଛାତ୍ରଛାତ୍ରୀ ସେଠାକୁ ଯାଉଛନ୍ତି। ସବୁଠୁ ଦୁଃଖର କଥା, ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରୁ ରଙ୍ଗ ଲିଭିଗଲାଣି। ଚାରିପଟେ ହୋଇଥିବା ପେଣ୍ଡାଲର ମାର୍ବଲ ଉଠିଗଲାଣି। ଲାଇଟ୍‌ଗୁଡ଼ିକ ଭାଙ୍ଗି ଯାଇଥିବାରୁ ସନ୍ଧ୍ୟା ହେଲେ ପାର୍କଟି ଅନ୍ଧାରମୟ ହୋଇଯାଉଛି। ଅଣଛାତ୍ରଛାତ୍ରୀମାନେ ସନ୍ଧ୍ୟାପରେ କ୍ୟାମ୍ପସ୍‌ରେ ପ୍ରବେଶ କରି ଗାନ୍ଧୀଜୀଙ୍କ ପାଇଁ ଉତ୍ସର୍ଗ କରା ଯାଇଥିବା ସେହି ସ୍ଥାନରେ ନିଶା ସେବନ କରୁଛନ୍ତି। ସେଥିପାଇଁ ସେଠାକୁ ଯିବାଲାଗି ଛାତ୍ରୀମାନେ ଭୟ କରୁଛନ୍ତି। ପାର୍କରେ ବସିବା ପାଇଁ ହୋଇଥିବା ପିଣ୍ଡିଗୁଡ଼ିକରୁ ମାର୍ବଲ ଭାଙ୍ଗି ଗଲାଣି। ଏଣେତେଣେ ପ୍ଲାଷ୍ଟିକ୍ ଠାରୁ ନେଇ ବିଭିନ୍ନ ଆବର୍ଜନା ବିଛାଇ ହୋଇ ପଡ଼ିଛି। ଖରାଦିନେ ପାଣି ଓ ରକ୍ଷଣାବେକ୍ଷଣ ଅଭାବରୁ ଲାଗିଥିବା ଘାସ ଓ ଫୁଲଗଛ ସବୁ ମରିଯାଇଛି। ପିଇବା ପାଇଁ ପାଣିର ମଧ୍ୟ ସୁବିଧା ନାହିଁ। ପାର୍କକୁ ଯାଇଥିବା ପାଣିପାଇପଗୁଡ଼ିକ ଫାଟି ପାଣି ବୋହିଯାଉଛି। ଯାହାଦ୍ବାରା ସେଠାରେ କାଦୁଅ ହେବାସହିତ ମଶାଙ୍କ ଆତଙ୍କ ବଢ଼ିଚାଲିଛି। ନିୟମିତ ପରିଷ୍କାର ହେଉନଥିବାରୁ ଅଳିଆବର୍ଜନା ସବୁ ପଚିସଢ଼ି ପ୍ରବଳ ଦୁର୍ଗନ୍ଧ ବାହାରୁଛି। କେବଳ ସେତିକି ନୁହେଁ, ପାର୍କର ଫଳକ ମଧ୍ୟ କୁଆଡ଼େ ଉଡ଼ିଯାଇଛି।

ଏନେଇ ଜଣେ ଛାତ୍ର ବିଶ୍ବଜିତ ସାହୁ କହନ୍ତି, ‘‘ପାର୍କରେ ଥିବା ଗାନ୍ଧୀଙ୍କ ମୂର୍ତ୍ତିର ରଙ୍ଗ ଛାଡ଼ିଗଲାଣି। କେୟାଟେକର୍‌ ନଥିବାରୁ ବୁଲା ଗାଈଗୋରୁ ପାର୍କରେ ବୁଲି ମଳତ୍ୟାଗ କରୁଛନ୍ତି। ଲାଗିଥିବା ଘାସକୁ ଗୋଚର ଭୂମି ଭଳି ଖାଉଛନ୍ତି। ଏସବୁର ସ୍ଥାୟୀ ସମାଧାନ କରାଯିବା ଦରକାର।’’ ସେମିତି ଜଣେ ଛାତ୍ରୀ ମନ୍ମୟୀ ଜେନା କହିଲେ, ‘‘ପାର୍କର ଯତ୍ନ ନେବାପାଇଁ କେହି ନଥିବାରୁ ଚାରିଆଡ଼ ଅସନା ହୋଇପଡ଼ିଛି। ଯଦି ପାର୍କ ପାଇଁ ଜଣେ ମାଳି ରୁହନ୍ତେ, ତେବେ ପାର୍କର ଯତ୍ନ ନେଇପାରନ୍ତେ। ବାହାରୁ ଲୋକ ଆସି ଏଠାରେ ଖଟି କରୁଥିବାରୁ ସନ୍ଧ୍ୟାରେ ଯିବାକୁ ଭୟ ଲାଗୁଛି।’‘ ଏନେଇ ବିଶ୍ବବିଦ୍ୟାଳୟର କୁଳପତିଙ୍କ ମତ ନିଆଯିବାରୁ ସେ କେବଳ ଏତିକି କହିଲେ, ‘‘ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ।’’

ସମ୍ବନ୍ଧିତ ଖବର