ଭୁବନେଶ୍ବର: ଝାରପଡ଼ା ସ୍ବତନ୍ତ୍ର କାରାଗାର ଆଜି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଜେଲ୍ ୱାର୍ଡ ଭିତରେ ଛୁରି ଧରି ଓ ଗଞ୍ଜେଇ ଦଳି ଭିଡିଓ କରିଥିବା ବ୍ରାଉନ୍ସୁଗାର ମାଫିଆ ନନ୍ଦୁ ଓ ତା’ର ଅନ୍ୟ ୪ କଏଦୀ ସାଥୀ ଆଜି ଆତଙ୍କ ଖେଳାଇଥିଲେ। ସେମାନେ ବ୍ଲେଡ୍ରେ ଆକ୍ରମଣ କରି ଜେଲର୍ ଓ ୨ୱାର୍ଡର୍ଙ୍କୁ ଲହୁଲୁହାଣ କରିଛନ୍ତି। ଜେଲର୍ ପ୍ରସନ୍ନ ସାହୁଙ୍କ ହାତକୁ ବ୍ଲେଡ୍ରେ କାଟିପକାଇବା ସହ ମୁଣ୍ଡକୁ କୌଣସି ବସ୍ତୁରେ ଶକ୍ତ ପ୍ରହାର କରିଛନ୍ତି। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେହିଭଳି ୱାର୍ଡର ରାଜେଶ ପାତ୍ର ଓ ପୃଥିବୀ ବେହେରା ମଧ୍ୟ ବ୍ଲେଡ୍ ଆକ୍ରମଣରେ ରକ୍ତାକ୍ତ ହୋଇଛନ୍ତି। ଘଟଣା ପରେ ୫ ବିଚାରାଧୀନ କଏଦୀଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନା ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ଏବଂ ସେମାନଙ୍କୁ ନଜର ବନ୍ଦୀ ଭାବେ କଡ଼ା ସୁରକ୍ଷାରେ ଥିବା ସେଲ୍ରେ ରଖାଯାଇଛି। ସେମାନେ ହେଲେ ଭିଡିଓ ଭାଇରାଲ୍ର ଚର୍ଚ୍ଚିତ କଏଦୀ ଅଜୟ ନାଏକ ଓରଫ୍ ନନ୍ଦୁ, ଲିଙ୍ଗରାଜ ବାରିକ ଓରଫ ଲିଙ୍ଗା, ସନ୍ତୋଷ ଦାସ ଓରଫ ତାୱା, ସଞ୍ଜୟ ମଲ୍ଲିକ ଓରଫ ଖେଚଡ଼ କାଳିଆ ଓ ନାରାୟଣ ମହାନ୍ତି ଓରଫ ନାରଣ। ଆଜି ଏହି ଅଘଟଣକୁ ନେଇ ଜେଲ୍ ସାଇରନ୍ ବାଜିଥିଲା। ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଜେଲ୍ ସାଇରନ୍ ବାଜିବାରୁ କୌଣସି ବଡ଼ଧରଣର ଆତଙ୍କ ସୃଷ୍ଟି ହୋଇଥିବା ନେଇ ରାଜଧାନୀରେ ଭୟର ବାତାବରଣ ଖେଳିଯାଇଥିଲା।
କାହା ତ୍ରୁଟିରୁ ମଉକା ମିଳିଲା?
୨୨ ତାରିଖ ଦିନ ଝାରପଡ଼ା ଜେଲ୍ର ୱାର୍ଡ ଭିତରୁ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ନନ୍ଦୁ ଛୁରି ଧରି ବସିଥିବା ବେଳେ ଅନ୍ୟମାନେ ଗଞ୍ଜେଇ ଦଳି ମସ୍ତି ମଜଲିସି କରୁଥିଲେ। ଏହାକୁ ନେଇ ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହେଲା। ତେଣୁ ନନ୍ଦୁ, ତାୱା, ଖେଚଡ଼ କାଳିଆ, ନାରଣ ଓ ଲିଙ୍ଗାକୁ ନେଇ ଏକ ସେଲ୍ରେ ରଖାଯାଇଥିଲା। ସେମାନେ ଏକ ଗୋଷ୍ଠୀ ଗଢ଼ିଥିବା ଜଣାପଡ଼ିବା ପରେ ବି ସେମାନଙ୍କୁ ଅଲଗା କରି ରଖିବା ବଦଳରେ ପୁଣି ଏକାଠି ରଖାଯାଇଥିଲା। ତେଣୁ ଆଜି ପୁଣି ସେମାନଙ୍କୁ ଆତଙ୍କ ଖେଳାଇବାକୁ ସୁଯୋଗ ମିଳିଯାଇଥିଲା। ଯୋଜନା ମୁତାବକ ଆଜି ସେଲ୍ ଭିତରେ ସେମାନେ ବ୍ଲେଡ୍ ଧରି ଧମକ ଦେଇଥିଲେ। ବ୍ଲେଡ୍ରେ ନିଜକୁ କାଟି ଆତ୍ମହତ୍ୟା କରିବେ ବୋଲି ରଡ଼ି ଛାଡ଼ି ଧମକ ଦେଲେ। ତୁରନ୍ତ ସେମାନଙ୍କୁ ସେଲ୍ରୁ ବାହାର ନକଲେ, ସେମାନେ ସମୂହ ଆତ୍ମହତ୍ୟା କରିବେ ବୋଲି ୱାର୍ଡର ରାଜେଶ ପାତ୍ରଙ୍କୁ ବାରମ୍ବାର ଧମକ ଦେଲେ। ଭୟରେ ଶ୍ରୀ ପାତ୍ର ସେଲ୍ର ଲକ୍ଅପ୍ ଖୋଲିଦେଇଥିଲେ। ଏହି ମଉକାକୁ ଅପେକ୍ଷା କରିଥିଲେ ନନ୍ଦୁ ଗୋଷ୍ଠୀ। ସେମାନେ ବ୍ଲେଡ୍ରେ ୱାର୍ଡର ଶ୍ରୀ ପାତ୍ରଙ୍କୁ ଆକ୍ରମଣ କରିଥିଲେ। ପ୍ରାଣବିକଳରେ ସେ ଚିତ୍କାର କରିବା ଶୁଣି ୱାର୍ଡର ପୃଥିବୀ ହ୍ବିସିଲ୍ ମାରି ଧାଇଁ ଆସିବାରୁ ନନ୍ଦୁ ଗୋଷ୍ଠୀ ତାଙ୍କୁ ବି ଛାଡ଼ିନଥିଲେ। ହ୍ବିସିଲ୍ ଶବ୍ଦ ଶୁଣି ଜେଲର୍ ଶ୍ରୀ ସାହୁ ଓ ଅନ୍ୟମାନେ ଧାଇଁଆସି ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ନନ୍ଦୁ ଗୋଷ୍ଠୀ ଜେଲର୍ ଶ୍ରୀ ସାହୁଙ୍କ ହାତକୁ ବ୍ଲେଡ୍ରେ କାଟି ପକାଇବା ସହ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲେ। ପରିସ୍ଥିତି ଆଉ ନିୟନ୍ତ୍ରଣରେ ନ ଥିବା ଦେଖି ଜେଲର୍ ସାଇରନ୍ ବଜାଇବାକୁ କହିଥିଲେ। ସାଇରନ୍ ଶୁଣି ଜେଲ୍ର ସୁରକ୍ଷାକର୍ମୀମାନେ ଓ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ସେମାନଙ୍କୁ କାବୁ କରିଥିଲା।
ଏହି ଅଭାବନୀୟ ଘଟଣା ପରେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ବ୍ରହ୍ମପୁର ସର୍କଲ୍ ଜେଲ୍ ଓ ଅନ୍ୟ ଜେଲ୍ରୁ ଅଧିକ ଜେଲ୍ ସୁରକ୍ଷା କର୍ମଚାରୀ ଆଣିବାକୁ ଅଧୀକ୍ଷକ ଜେଲ୍ ଡିଜିଙ୍କୁ ଅନୁରୋଧ କରିଛନ୍ତି। ସମ୍ପ୍ରତି ଏହି ଜେଲ୍ରେ ୧୦୪୯ କଏଦୀ ଥିବା ବେଳେ ୱାର୍ଡର ଅଛନ୍ତି ମାତ୍ର ୩୨। ନିୟମାନୁସାରେ ଏଠାରେ ୯୫୦ କଏଦୀ ରହିବାକୁ ଥିବା ବେଳେ ୧୫୦ ୱାର୍ଡର ରହିବା କଥା। ଆଜିଠୁ ୫ ଅଭିଯୁକ୍ତଙ୍କୁ ସେଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ୪ ମାସ ଭିତରେ ଲକ୍ଷ୍ମୀସାଗର ଥାନାରେ ଏଭଳି ୨୫ ମାମଲା ରୁଜୁ ହେଲାଣି।
୧୪ ବର୍ଷ ପରେ ବାଜିଲା ସାଇରନ୍
ଆଜି ଝାରପଡ଼ା ଜେଲ୍ର ସାଇରନ ବାଜିବା ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। ୧୪ ବର୍ଷ ପରେ ଏହି ସାଇରନ୍ ବାଜିଛି। ୨୦୦୯ ମସିହାରେ ଦୁର୍ଦାନ୍ତ ବିକ୍ରମ ମଲ୍ଲିକ ପାଚେରି ଡେଇଁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିବା ବେଳେ ସାଇରନ୍ ବାଜିଥିଲା। ଜେଲ୍ ୱାର୍ଡର ମାନସ ନାୟକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଦୁର୍ଦାନ୍ତ ବିକ୍ରମ ଖସିଯିବାକୁ ଚେଷ୍ଟା କରି ବିଫଳ ହୋଇଥିଲା।