ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ପର୍କିତ କର୍ମଶାଳା : କଳାମଣ୍ଡଳକୁ ବିଶ୍ୱ ବାଣିଜ୍ୟ କେନ୍ଦ୍ର ସହିତ ଯୋଡ଼ା ଯାଉ

ଜୁନ୍‌ରେ ସମ୍ବଲପୁରରେ ଓ ଅଗଷ୍ଟରେ ରାଜଧାନୀରେ ରାଜ୍ୟସ୍ତରୀୟ ପର୍ଯ୍ୟଟନ କର୍ମଶାଳା

ଚନ୍ଦ୍ରଶେଖରପୁର : ଆଉ କିଛି ମାସ ମଧ୍ୟରେ ରାଜ୍ୟର ଝାରସୁଗୁଡ଼ା, ରାଉରକେଲା ଓ ଜୟପୁରରେ ଅତିରିକ୍ତ ୩ଟି ବିମାନବନ୍ଦର ସ୍ଥାପନ ହେବ। ଏହାପରେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ହୋଇଯିବ। ଏଠାରେ ଥିବା ପ୍ରସିଦ୍ଧ ଧାର୍ମିକ କ୍ଷେତ୍ର, ବିଶ୍ୱସ୍ତରୀୟ ହସ୍ତତନ୍ତ ଓ ହସ୍ତକଳାର ବିପୁଳ ସମ୍ଭାର ତଥା ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ଦୁଇ ରାତି ତିନି ଦିନ ପରିବର୍ତେ ପର୍ଯ୍ୟଟକମାନେ ଓଡ଼ିଶାରେ ୨୧ ଦିନ ରହିବା ଭଳି ବିଶ୍ୱସ୍ତରୀୟ ପର୍ଯ୍ୟଟନ ବ୍ୟବସ୍ଥା କରିବାକୁ ଗୁରୁତ୍ୱାରୋପ କରିଛି ହୋଟେଲ ଏଣ୍ଡ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାରୋ)। ପଶ୍ଚିମ ଓଡ଼ିଶାରେ ରହିଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ପର୍କିତ ଏକ କର୍ମଶାଳାରେ ସଂଗଠନ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ରାଜଧାନୀର ଗଜପତି ନଗରରେ କାମ ଚାଲିଥିବା ପ୍ରସ୍ତାବିତ କଳାମଣ୍ଡଳକୁ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ସହିତ ଅନୁବନ୍ଧିତ କରି ରାଜଧାନୀରେ ଏକ ଅନ୍ତର୍ଜାତୀୟ କନ୍‌ଭେନସନ୍‌ ସେଣ୍ଟର୍‌ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। ପର୍ଯ୍ୟଟନ ଶିଳ୍ପକୁ ନେଇ ସମୃଦ୍ଧ ହୋଇଥିବା ସିଙ୍ଗାପୁର, ମାଲେସିଆ, ଥାଇଲାଣ୍ଡ, ଜାପାନ, ଜର୍ମାନୀ ଭଳି ଦେଶକୁ ଅନୁସରଣ କରି ରାଜ୍ୟରେ ଏକ ପର୍ଯ୍ୟଟନ ବିକାଶ ପ୍ରାଧିକରଣ ସ୍ଥାପନ କରିବାକୁ ହାରୋ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହାର କାର୍ଯ୍ୟକାଳ ୫ ବର୍ଷ ରହିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ରାତିର ରାଜଧାନୀକୁ ପର୍ଯ୍ୟଟକମାନେ ଉପଭୋଗ କରିବା ନିମନ୍ତେ ନନ୍ଦନକାନନରେ ରାତି ସଫାରି କାର୍ଯ୍ୟକାରୀ କରିବା ତଥା ଖଣ୍ଡଗିରି ଉଦୟଗିରିରେ ଓଡ଼ିଶୀ ନୃତ୍ୟର ବ୍ୟବସ୍ଥା କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟରେ ହୋଟେଲ ସଂଖ୍ୟାରେ ବୃଦ୍ଧି ତଥା ରୁମ୍‌ ସଂଖ୍ୟାକୁ ୫୦୦୦ କରିବାକୁ ହାରୋ ପ୍ରସ୍ତାବ ଦେଇଛି। ହୋଟେଲ ସଂସ୍ଥା, ଟୁର୍‌ ଅପରେଟର୍‌, ଟ୍ରାଭେଲ୍‌ ସଂସ୍ଥା ଆଦିଙ୍କୁ ନେଇ ସମ୍ବଲପୁରରେ ଆସନ୍ତା ଜୁନ୍‌ ମାସରେ ଏକ କର୍ମଶାଳାର ଆୟୋଜନ କରିବାକୁ ଯୋଜନା ରହିଛି। ଏହି ଦିନିକିଆ କର୍ମଶାଳାରେ ସରକାରୀ ଅଧିକାରୀଙ୍କ ସମେତ ରାଜନୈତିକ ନେତା ଉପସ୍ଥିତ ରହିବା ନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରି ବିଶ୍ୱକୁ ଦେଖାଇବାକୁ ଏହି କର୍ମଶାଳାରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି ସୂଚନା ଦେଇଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଇ ଟୁରିଷ୍ଟ ଭିସା ଆରାଇଭାଲ୍‌ ସୁବିଧା କରିବାକୁ ମଧ୍ୟ ସଂଗଠନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଆମେରିକା, ଇଂଲଣ୍ଡ, ଶ୍ରୀଲଙ୍କା, କାନାଡ଼ା, ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ ଆଦି ରାଷ୍ଟ୍ରରୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ରୋଡ୍‌ ସୋ ଆୟୋଜନ କରିବା ନେଇ ଆଗ୍ରହ ଦେଖାଇବା ଆବଶ୍ୟକ। ଚିଲିକାରେ ଅନ୍ତର୍ଜାତୀୟସ୍ତରର ନୌକା ପ୍ରତିଯୋଗିତା ଆୟୋଜନ ଭଳି ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ରାଜ୍ୟ ସରକାର ବିଚାର କରିବା ସମୟର ଆହ୍ଵାନ ବୋଲି ଶ୍ରୀ ମହାନ୍ତି ପ୍ରସ୍ତାବ ରଖିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁଜିତ୍‌ ମହାପାତ୍ର, ଜୋନାଥନ୍‌ ଆଉଲ୍‌, ଶ୍ରୀନିବାସ ସୁବୁଦ୍ଧି, ମିଳିନ୍ଦ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର