ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ୧୪ ମାସର ଏକ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର (ଆନ୍ଟେରିଅର୍ ଏନ୍ସେଫାଲୋସିଲସ୍) ସଫଳତାର ସହ ସଂପାଦନ କରାଯାଇଛି। ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର ମସ୍ତିଷ୍କର ଏକ ଅଂଶ ବାହାରକୁ ବାହାରି ଆସିଥିବା ବେଳେ ଏହା ଆଖି ଏବଂ ନାକକୁ ଆଚ୍ଛାଦିତ କରି ରଖିଥିଲା। ଖପୁରିରେ ଏକ ଅଙ୍ଗର ହାଡ଼ ନ ଥିବାରୁ ଏପରି ହୋଇଥିଲା।
ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅସ୍ତ୍ରୋପଚାର କରିଥିଲେ। ଆନ୍ଟେରିଅର୍ ଏନ୍ସେଫାଲୋସିଲସ୍ ଏକ ସ୍ନାୟୁ ନଳୀ ଜନିତ ତ୍ରୁଟି, ଯାହାକି ଗର୍ଭଧାରଣ କରିବାର କିଛି ଦିନ ମଧ୍ୟରେ ଘଟିଥାଏ ଏବଂ ଏହାଦ୍ୱାରା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ପ୍ରଭାବିତ ହୋଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ପଟିଆ ଅଞ୍ଚଳର ୧୪ମାସର ଶିଶୁ ସାଇ ସତ୍ୟଜିତ ବେହେରାର ଜନ୍ମରୁ ଏଭଳି ତ୍ରୁଟି ରହିଥିବା ବେଳେ ତା’ର ପିତାମାତା ଜାନୁଆରି ୮ରେ ସମ୍ ହସ୍ପିଟାଲ୍କୁ ଆସି ପ୍ରଫେସର ମହାପାତ୍ରଙ୍କ ନିକଟରେ ଶିଶୁର ପରୀକ୍ଷା କରାଇଥିଲେ। ଗତ ୧୪ ତାରିଖରେ ପ୍ରଫେସର୍ ମହାପାତ୍ର ଶିଶୁର ଅପରେସନ୍ କରିଥିଲେ। ଗୁରୁବାର ସାଇ ସତ୍ୟଜିତ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଥିବା ବେଳେ ସର୍ଜରି ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ପ୍ରଫେସର ମହାପାତ୍ର କହିଛନ୍ତି।
କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ପ୍ରକାଶ ବେହେରା ଭୁବନେଶ୍ବର ପଟିଆ ଅଞ୍ଚଳରେ ରହୁଥିବା ବେଳେ ଖୁବ କଷ୍ଟ କରି ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ଏଥିସହିତ ଛୋଟ ପୁଅର ଏଭଳି ଅବସ୍ଥା ତାଙ୍କୁ ଅଧିକ ବ୍ୟଥିତ କରିଥିଲା। ତେଣୁ ପୁଅର ଚିକିତ୍ସା ପାଇଁ ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ ଲୋଡ଼ିଥିଲେ। ସବ୍ୟସାଚୀ ମଧ୍ୟ ତାଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇ ଶିଶୁର ଅପେରସନ୍ ଓ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ବୋଲି ପ୍ରକାଶ କରିଛନ୍ତି।