ନନ୍ଦନକାନନରେ ବିରଳ ଉଡ଼ନ୍ତା ଗୁଣ୍ଡୁଚିମୂଷା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକ ଉଡ଼ନ୍ତା ଗୁଣ୍ଡୁଚିମୂଷା ଅଣାଯାଇଛି। ଖୋର୍ଦ୍ଧାସ୍ଥିତ ଏକ ରେସ୍କ୍ୟୁ ସେଣ୍ଟର୍‌ ସଂସ୍ଥାର ସଦସ୍ୟମାନେ ଏହି ଉଡ଼ନ୍ତା ଗୁଣ୍ଡୁଚିମୂଷାଟିକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ଏହାର ବୟସ ପ୍ରାୟ ୩ବର୍ଷ ହେବ। ଏହାକୁ ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ୱାରା‌ଣ୍ଟିନ୍‌ କକ୍ଷରେ ରଖାଯାଇଛି। ତା’ର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ଭଲରେ ଖାଦ୍ୟ ଗ୍ରହଣ କରୁନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୦ ମସିହାରେ ଏଭଳି ଏକ ଉଡ଼ନ୍ତା ଗୁଣ୍ଡୁଚିମୂଷାକୁ ଦେବଗଡ଼ରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା। ଦେବଗଡ଼ର ଏକ ଜଙ୍ଗଲରୁ ତାକୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଅଳ୍ପ ଦିନ ମଧ୍ୟରେ ତା’ର ମୃତ୍ୟୁ ହୋଇଥିଲା। ଏହି ପ୍ରଜାତିର ଗୁଣ୍ଡୁଚି ଘଞ୍ଚ ଜଙ୍ଗଲରେ ବଡ଼ବଡ଼ ଗଛ ଥିବା ଅଞ୍ଚଳରେ ହିଁ ରହନ୍ତି। ଗଛର ଫଳ, ଫୁଲ ଓ ଉଈ ଖାଇ ବଞ୍ଚନ୍ତି। ଏହା ଏକ କ୍ଷୁଦ୍ର ସ୍ତନ୍ୟପାୟୀ ତଥା ଶାକାହାରୀ ପ୍ରଜାତିର ଜୀବ। ଏମାନେ ଗର୍ଭଧାରଣ କରନ୍ତି ଓ ଗୋଟିଏ ଥରରେ ୨/୩ ଶାବକ ପ୍ରସବ କରିଥାଆନ୍ତି।

ସମ୍ବନ୍ଧିତ ଖବର