ଖଣ୍ଡଗିରି: ଭଲ ଚିକିତ୍ସା ଟିକେ ପାଇବା ଆଶାରେ ରାତି ନ ପାହୁଣୁ ଭୁବନେଶ୍ବରରେ ଆସି ହାଜର ହୋଇଯାଉଛନ୍ତି। ହେଲେ ଆସି ପହଞ୍ଚିବା ପରେ ନାନା ଯନ୍ତ୍ରଣାର ଶିକାର ହେଉଛନ୍ତି। କିଏ ୨ଶହ ତ କିଏ ୫ଶହ ଓ ଆଉ କିଏ ହଜାରେ କିଲୋମିଟର ଦୂରରୁ ଛୁଟି ଆସୁଛନ୍ତି। ତେବେ ଡାକ୍ତରଙ୍କ ପାଳି ନଥିଲେ କିମ୍ବା ସ୍ବାସ୍ଥ୍ୟ ପରୀକ୍ଷାର ରିପୋର୍ଟ ଆସିନଥିଲେ ରହିବାକୁ ପଡ଼ୁଛି। କିଏ ତିନିଦିନ ତ କିଏ ପାଞ୍ଚଦିନ। ଦିନ ପରେ ଦିନ ବିତୁଛି, ମାତ୍ର ସମସ୍ୟା ବଢ଼ୁଛି ପଛେ କମିବାର ନାଁ ଧରୁନି। ଗଛ ତଳେ, ବସ୍‌ଷ୍ଟପ୍‌ କିମ୍ବା ଦୋକାନ ପିଣ୍ଡାରେ ବସି ରାତି କଟାଉଛନ୍ତି। ପାଖରେ  ଛୋଟପିଲା ଥିଲେ ଚିନ୍ତା ବଢ଼ୁଛି। ବର୍ଷା, ଖରା, ଶୀତକାକର ଖାଇ ସେମିତି ପଡ଼ି ରହୁଛନ୍ତି। ଏ ହେଉଛି ଏମ୍‌ସ ଭୁବନେଶ୍ବରର ଦୃଶ୍ୟ। ବିଶ୍ରାମ କରିବା ପାଇଁ ସ୍ଥାନ ନପାଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ବିଭିନ୍ନ ସମସ୍ୟାରେ ଧନ୍ଦି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ କିଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଯାହା କହିଛନ୍ତି, ତାହା ବେଶ୍‌ ଚିନ୍ତାଜନକ। ଯଦିଓ ଧର୍ମଶାଳା ଅଛି, ମାତ୍ର ତାହା ସମସ୍ତଙ୍କ ପାଇଁ ଉପଲବ୍ଧ ହେଉ ନଥିବାରୁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।

Advertisment

ସ୍ବାମୀଙ୍କ ଚିକିତ୍ସା ପାଇଁ ସୋମବାରଠାରୁ ଆସିଛି। ଏମ୍‌ସ ପରିସରରେ ଥିବା ଲୁହାସେଡ୍‌ ତଳେ ଦିନଯାକ ରହୁଛୁ। ଆଜି ଏ ଟେଷ୍ଟ ତ କାଲି ସେ ଟେଷ୍ଟ ଏମିତି କହି ଦିନ ଗଡ଼ିଚାଲିଛି। ୬ଦିନ ହେଲାଣି ଗାଧୋଇ ପାରିନାହୁଁ। ସ୍ବାମୀଙ୍କର  ଗୋଡ଼ ଖରାପ ଥିବାରୁ ସେ ଚଳପ୍ରଚଳ କରିପାରୁନାହାନ୍ତି। ଏଭଳି ପରିସ୍ଥିତିରେ ବଡ଼କଷ୍ଟରେ ରାତି କଟୁଛି। ସିକ୍ୟୁରିଟି ଗାର୍ଡମାନଙ୍କ ଆକ୍ରୋଶର ମଧ୍ୟ ଶିକାର ହେଉଛୁ। ସେମାନେ କିଛି ନପଚାରି ଜିନିଷପତ୍ର ଫିଙ୍ଗା ଫୋପଡ଼ା କରୁଛନ୍ତି। ରୋଗୀ ଲୋକକୁ ଧରି ମୁଁ କୁଆଡ଼େ ଯିବି। ବିଶ୍ରାମ ଗୃହରେ ଜାଗା ଟିକେ ମିଳୁନଥିବାରୁ ବହୁତ ଯନ୍ତ୍ରଣା ଭୋଗୁଛୁ।

ପ୍ରତିମା ମାହାଳିକ, ଚାନ୍ଦବାଲି, ଭଦ୍ରକ

ମୋର ୫ ବର୍ଷର ଝିଅର ଗୋଡ଼ ଖରାପ। ପିଲାକୁ ଧରି ୫ଦିନ ହେଲାଣି ଏମ୍‌ସକୁ ଆସିଛି। ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଇଲୁ। ରିପୋର୍ଟ ବିଳମ୍ବରେ ଆସିଲା। ରିପୋର୍ଟ ଆସିବା ବେଳକୁ ଡାକ୍ତର ଉପଲବ୍ଧ ନାହାନ୍ତି। ଦିନରେ ଏହି ଟିଣ ସେଡ୍‌ ତଳେ ଶୋଇଯାଉଛୁ। ରାତିରେ ଚିନ୍ତା ମାଡ଼ିବସୁଛି। ବିଶ୍ରାମ ଗୃହରେ ଜାଗା ନମିଳିଲେ ଦୋକାନ ପିଣ୍ଡାରେ ରହିଯାଉଛୁ। ଏମ୍‌ସ ପରିସରରେ ରହିଲେ ସିକ୍ୟୁରିଟି ଗାର୍ଡମାନେ ଆମକୁ ଗାଈଗୋରୁଙ୍କ ଭଳି ବ୍ୟବହାର କରୁଛନ୍ତି। ବାରମ୍ବାର ଭୁବନେଶ୍ବରକୁ ଯା’ଆସ କରିବାକୁ ଟଙ୍କା ନାହିଁ। ଛୋଟଛୁଆକୁ ନେଇ ଉଭୟ ସ୍ବାମୀସ୍ତ୍ରୀ ଇଆଡ଼େ ସିଆଡ଼େ ହେଉଛୁ। ଧର୍ମଶାଳା କିମ୍ବା ବିଶ୍ରାମଗୃହରେ ରହିବା ଲାଗି ବ୍ୟବସ୍ଥା କରାଗଲେ ରୋଗୀମାନେ ଉପକୃତ ହେବେ।

ନମିତାରାଣୀ ବାରିକ, ତାଳବସ୍ତ, ବାଙ୍କୀ, କଟକ

ଭଉଣୀର ପେଟରେ ସଂକ୍ରମଣ ହୋଇଥିବାରୁ ଗତ ୧୦ ମାସ ହେଲା ନିୟମିତ ଏମ୍‌ସକୁ ଆସୁଛୁ। ସ୍ବାସ୍ଥ୍ୟ ପରୀକ୍ଷା ଓ ଡାକ୍ତର ଦେଖାଇବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ଏଠାରେ ରହିବାର କୌଣସି ସୁବିଧା ନଥିବାରୁ ବହୁତ ହଇରାଣ ହେଉଛୁ। ହୋଟେଲରେ ରହିଲେ ଅଧିକ ଖର୍ଚ୍ଚ ହେଉଥିବାରୁ ପାଖରେ ଏକ ଭଡ଼ାଘରେ ରହୁଛୁ। କେବଳ ରୋଗୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଗଲେ ମଧ୍ୟ ଭଲ ହୁଅନ୍ତା।

ସୂର୍ଯ୍ୟନାରାୟଣ ସାହୁ, କଳାହାଣ୍ଡି, କଲମପୁର

ମୋର ପେଟରେ ଭୀଷଣ ଯନ୍ତ୍ରଣା ହେଉଛି। ୪ଦିନ ହେଲା ସ୍ତ୍ରୀ ସହିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଛି। ବିଭିନ୍ନ ଟେଷ୍ଟ ପାଇଁ ବାରମ୍ବାର ଉପରତଳ ହେବାକୁ ପଡ଼ୁଛି। ସବୁ ସମୟରେ ଡାକ୍ତର ଉପଲବ୍ଧ ନଥିବାରୁ ଅପେକ୍ଷା କରିବାକୁ ପଡ଼ୁଛି। ଦିନବେଳା ଛାଇ ଦେଖି କାନ୍ଥକୁ ଆଉଜି ଶୋଇପଡ଼ୁଛୁ। ରାତିରେ ଜନ୍ତୁଜୁନ୍ତା ବୁଲୁଛନ୍ତି। ଫଳରେ ବାହାରେ ଶୋଇବାକୁ ଭୟ ଲାଗୁଛି। ଏଠାରେ ଭଲ ଚିକିତ୍ସା ମିଳୁଛି ବୋଲି ଦୂରରୁ ଆସୁଛୁ। ରହିବା ପାଇଁ ଟିକେ ଛାତ ମିଳିଗଲେ ଶାନ୍ତିରେ ଶୋଇବୁ।

ବାପୁନ ଦଳେଇ, ପୂର୍ବମେଦିନପୁର, ପଶ୍ଚିମବଙ୍ଗ