ଭୁବନେଶ୍ୱର: ରାଜ୍ୟର ପ୍ରଥମ ସହର ଭାବେ ଭୁବନେଶ୍ବର ମହାନଗର ନିଗମ ସ୍ମାର୍ଟସିଟିର ମାନ୍ୟତା ପାଇଲା। ଅଥଚ ଭିତ୍ତିଭୂମିରେ ପରିବର୍ତ୍ତନ ଆସିଲାନି। ରାସ୍ତାଘାଟ, ନାଳ, ବିଜୁଳି, ସବୁଥିରେ ଧନ୍ଦି ହେଉଛନ୍ତି ଭୁବନେଶ୍ବର ସହରବାସୀ। ସବୁଠୁ ଅଧିକ କଷ୍ଟ ଦେଉଛି ସହରର ଆଲୋକୀକରଣ ବ୍ୟବସ୍ଥା। ରାସ୍ତା ଆଲୋକୀକରଣ ପାଇଁ ସବୁଠି ମାଳ ମାଳ ଦାମୀ ଷ୍ଟ୍ରିଟ୍ ଲଗାଯାଇଛି, କିନ୍ତୁ କେଉଁଠି ଏହା ଜଳୁନି ତ କେଉଁଠି ଧପ୍ ଧପ୍ ହେଉଛି। ସ୍ଥିତି ଏପରି ରାତି ଗଡ଼ିଲେ, ଦୁର୍ଘଟଣା ସହ ଚୋରି, ରାହାଜାନି ଭୟ ଗୋଡ଼ାଉଛି। ସେପଟେ ବିଭିନ୍ନ ଘରୋଇ କମ୍ପାନିର ମନମୁଖୀ କାର୍ଯ୍ୟକଳାପ ଯୋଗୁ ସହରର ଖାଲଖମା ରାସ୍ତାଘାଟ ବି ଅନ୍ଧାର ରାତିରେ କାଳ ଭଳି ଅନାଇ ବସୁଛି। ସାମାନ୍ୟ ଅନ୍ୟ ମନସ୍କ ହେଲେ, ଖାତରେ ଅବା ମେଡିଆନ୍ରେ ପିଟି ହୋଇଯିବାର ଭୟ ଘାରୁଛି।
ବଡ଼କଥା ହେଉଛି, ଷ୍ଟ୍ରିଟ୍ଲାଇଟ୍ ଜଳିବାରେ ବି ପାତରଅନ୍ତର ନୀତି ଅବଲମ୍ବନ କରାଯାଉଛି। ଯଦି କୌଣସି ଅଞ୍ଚଳରେ ବଡ଼ବଡ଼ିଆମାନେ ରହୁଛନ୍ତି, ସେ ଅଞ୍ଚଳରେ ଷ୍ଟ୍ରିଟ୍ଲାଇଟ୍ ଖରାପ ହେଲେ ତତ୍କାଳ ମରାମତି କରାଯାଉଛି। କିନ୍ତୁ ଯେଉଁ ଅଞ୍ଚଳରେ ମଳିମୁଣ୍ଡିଆ, ନିମ୍ନ ଓ ମଧ୍ୟମବର୍ଗ ଲୋକେ ରହୁଛନ୍ତି, ସେ ଅଞ୍ଚଳକୁ ଆଡ଼ ଆଖିରେ ବି ଅନାଉନାହାନ୍ତି ବିଏମ୍ସିର ଅଧିକାରୀମାନେ। ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୭୭ହଜାର ଷ୍ଟ୍ରିଟ୍ଲାଇଟ୍ ଲଗାଯାଇଛି। ପ୍ରମୁଖ ଛକମାନଙ୍କରେ ୧୩୧ଟି ହାଇମାଷ୍ଟ ଲାଇଟ୍ ଲଗାଯାଇଛି। ଷ୍ଟ୍ରିଟ୍ଲାଇଟ୍ ଲଗାଇବା, ସଜାଡ଼ିବା ତଥା ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟରେ ସ୍ବତନ୍ତ୍ର ବିଭାଗ ରହିଛି। ପ୍ରତି ୱାର୍ଡରେ ୱାର୍ଡ କାର୍ଯ୍ୟାଳୟରେ ଷ୍ଟ୍ରିଟ୍ଲାଇଟ୍ ଜଳୁଛି କି ଜଳୁନି, ଦେଖିବାକୁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ଦେଖିଲେ, ଜଣେ ନିର୍ବାହୀ ଯନ୍ତ୍ରୀ, ୨ଜଣ କନିଷ୍ଠ ଯନ୍ତ୍ରୀ, ଜଣେ କନିଷ୍ଠ ସହଯୋଗୀ, ୧୦ଜଣ କାର୍ଯ୍ୟାଳୟ କର୍ମଚାରୀ, ୨୮ଜଣ କ୍ଷେତ୍ର କର୍ମଚାରୀ କାମ କରୁଛନ୍ତି। କିନ୍ତୁ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି କି ସ୍ଥିତି ଅନୁଧ୍ୟାନ କରୁନାହାନ୍ତି। ସେପଟେ ଷ୍ଟ୍ରିଟ୍ଲାଇଟ୍ ବିଜୁଳି ଖର୍ଚ୍ଚ ବାବଦରେ ମହାନଗର ନିଗମ ପକ୍ଷରୁ ବାର୍ଷିକ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।
ରକ୍ଷଣାବେକ୍ଷଣ ପାଇଁ ୨.୬୪ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏଥିପାଇଁ ବିଭିନ୍ନ ଏଜେନ୍ସିଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ସହରରେ ଷ୍ଟ୍ରିଟ୍ଲାଇଟ୍ ସ୍ଥିତି ଦେଖିଲେ, ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ରାସ୍ତା, ବମିଖାଲ ଓଭରବ୍ରିଜ୍ରୁ ମହର୍ଷି କଲେଜ ଯିବା ରାସ୍ତା, ରସୁଲଗଡ଼ ଓଭରବ୍ରିଜ୍, ଶାସ୍ତ୍ରୀ ନଗର-ହାଉସିଂ ବୋର୍ଡ ରାସ୍ତାରେ ଲାଇଟ୍ ଜଳୁନାହିଁ।। ପଳାଶୁଣୀରୁ ସାଇମନ୍ଦିର ଛକ ରାଜପଥରେ ବି ଅନ୍ଧାର ରାଜୁତି କରୁଛି। ଏ ସଂପର୍କରେ ମେୟର ସୁଲୋଚନା ଦାସ କହିଛନ୍ତି, ଯେଉଁଠି ବି ଷ୍ଟ୍ରିଟ୍ଲାଇଟ୍ ଜଳୁନି, ତତ୍କାଳ ମରାମତି କରାଯାଉଛି। ତଥାପି ଯଦି ସେଭଳି କିଛି ସମସ୍ୟା ରହିଛି, ସେ ଦିଗରେ ବିହିତ ପଦକ୍ଷେପ ନିଆଯିବ। ପଳାଶୁଣୀ-ସାଇମନ୍ଦିର ଛକ ଏନ୍ଏଚ୍ଏଆଇ ଅଧୀନରେ ରହିଛି। କିଛି ବିଏମ୍ସି ଓ କିଛି ଏନ୍ଏଚ୍ଏଆଇ ଏହା ଦେଖୁଛନ୍ତି। ତଥାପି ଯଦି କୌଣସି ତ୍ରୁଟି ରହିଛି, ଏହାର ସମାଧାନ କରାଯିବ ବୋଲି ଶ୍ରୀମତୀ ଦାସ କହିଛନ୍ତି।