ବାଲିଅନ୍ତା: ଏକ ମିଛ ସାମାଜିକ ସଂଗଠନର କର୍ମକର୍ତ୍ତା ବୋଲି ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ର‌ାମ୍‌ରେ ନିଜକୁ ପରିଚିତ କରାଉଥିଲେ। ବିଶେଷକରି ଆର୍ଥିକ ସମସ୍ୟା ପାଇଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଗରିବ ମେଧାବୀ ଯୁବତୀଙ୍କୁ ତାଙ୍କ ସଂସ୍ଥା ସହଯୋଗ କରୁଛି ବୋଲି ସେମାନେ ସାମାଜିକ ଗଣମାଧ୍ୟମରେ ପ୍ରଚାରପ୍ରସାର କରୁଥିଲେ। କିନ୍ତୁ ସେମାନଙ୍କ ଅସଲ ଚେହେରା ଓ ଉଦ୍ଦେଶ୍ୟ ଥିଲା ଭିନ୍ନ। ସମାଜସେବା ଆଢ଼ୁଆଳରେ ସେମାନେ ଯୁବତୀ ଓ ମହିଳାଙ୍କୁ ନେଇ ଅଶ୍ଳୀଳ କାରବାର କରିବାକୁ ଜାଲ ବିଛାଉଥିଲେ। ଯିଏ ସେମାନଙ୍କ କଥାରେ ଭଳିଯାଉଥିଲା, ସେ ଫସୁଥିଲା। ନକଲି ସମାଜସେବୀମାନେ ତାଙ୍କୁ ବ୍ଲାକ୍‌ମେଲ୍‌ କରି ଶାରୀରିକ ଶୋଷଣ କରୁଥିଲେ। କିନ୍ତୁ ବାଳକାଟି ଅଞ୍ଚଳର ଜଣେ ଯୁବତୀଙ୍କୁ ଫସାଇବାକୁ ଯାଇ ଏହି ଯୌନପିପାସୁଦ୍ବୟ ଫସିଯାଇଛନ୍ତି। ଲୋକଲଜ୍ଜାକୁ ନ ଡରି ଯୁବତୀଜଣକ ପୁଲିସକୁ ଜଣାଇବାରୁ ୨ ଛଦ୍ମବେଶୀ ସମାଜସେବୀ ଧରାପଡ଼ି ଜେଲ୍‌ ହାଜତକୁ ଯାଇଛନ୍ତି। ଅଭିଯୁକ୍ତଦ୍ବୟ ହେଲେ ଖୋର୍ଦ୍ଧା ଥାନା କୁମ୍ଭୀଲୋ ଗାଁର ଅକ୍ଷୟ ଦାସ ଓରଫ୍ ରାଜା(୨୮) ଓ ପଶ୍ଚିମବଙ୍ଗର ସେକ୍‌ ଆକ୍ରାମ ଓରଫ୍ ରାଜୁ(୩୦)। ଗତକାଲି ବାଲିଅନ୍ତା ଥାନା ପୁଲିସ ରଙ୍ଗବଜାରସ୍ଥିତ ଏକ ଆପାର୍ଟମେଣ୍ଟରୁ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଏକ କାର୍‌ ଓ ୩ ମୋବାଇଲ୍‌ ଜବତ କରାଯାଇଛି। ଅଭିଯୁକ୍ତଦ୍ବୟଙ୍କ ନାଁରେ ଫୁଲବାଣୀ, ଖୋର୍ଦ୍ଧା ଓ ଲକ୍ଷ୍ମୀସାଗର ଆଦି ଥାନାରେ ଏଭଳି ମାମଲା ରହିଛି।

Advertisment

ପୁଲିସ ସୂଚନାନୁସାରେ ବାଳକାଟି ଉତ୍ତରା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଅଭିଯୁକ୍ତ ରାଜା ଫେସ୍‌ବୁକ୍‌ରେ ଯୋଡ଼ିହୋଇଥିଲା। ରାଜା ଜଣେ ସାମାଜିକକର୍ମୀ ହୋଇଥିବାରୁ ଯୁବତୀ ତା’ ସହ ସମ୍ପର୍କ ଯୋଡ଼ିଥିଲା। ଏମ୍‌ବିଏ ପଢ଼ିବାକୁ ଆଗ୍ରହୀ ଥିବା ଯୁବତୀ ଆର୍ଥିକ ସମସ୍ୟାରୁ ବ୍ୟସ୍ତ ଥିଲେ। ତେଣୁ ରାଜାଙ୍କ ସାମାଜିକ ସଂଗଠନ ତାଙ୍କୁ ଏ ଦିଗରେ ସହଯୋଗ କରିବ ବୋଲି ଯୁବତୀ ଆଶା କରିଥିଲେ। ରାଜା ଏହା ଜାଣିବା ପ‌ରେ ଯୁବତୀଙ୍କୁ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ନାମଲେଖା ଖର୍ଚ୍ଚକୁ ଛାଡ଼ି ପାଠପଢ଼ା ବାବଦରେ ଅନ୍ୟାନ୍ୟ ଖର୍ଚ୍ଚ ହିସାବରେ ତାଙ୍କୁ ସଂଗଠନ ପକ୍ଷରୁ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ରାଜା କହିଥିଲା। ଫଳରେ ଯୁବତୀ ବେଶ୍ ଖୁସି ହୋଇଯାଇଥିଲେ। କିନ୍ତୁ କିଛି ଦିନ ପରେ ରାଜା ଏକ ଅଜବ ସର୍ତ୍ତ ରଖିଥିଲା। ଥରକ ପାଇଁ ନଗ୍ନ ଅବସ୍ଥ‌ାରେ ଭିଡିଓ କଲ୍‌ କରିବାକୁ ଯୁବତୀଙ୍କୁ ଅନୁରୋଧ କରିଥିଲା। ବିଚରା ଯୁବତୀଜଣକ ପାଠପଢ଼ା ମୋହରେ ରାଜି ହୋଇଯାଇଥିଲେ।

ଏହାପରେ ସମାଜସେବୀ ରାଜା ଭିତରର ଯୌନପିପାସୁ ଚେହେରାଟି ଯୁବତୀଙ୍କ ସାମ୍ନାକୁ ଆସିଯାଇଥିଲା। ନଗ୍ନ ଅବସ୍ଥାରେ ସେଦିନର ଭିଡିଓ କଲ୍‌କୁ ରେକର୍ଡିଂ କରିରଖିଥିବା ରାଜା ତାକୁ ଦେଖାଇ ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରିଥିଲା। ସେ ଓ ତା’ର ବନ୍ଧୁ ରାଜୁ ସହ ଶାରୀରିକ ସମ୍ପର୍କ ରଖିଲେ ହିଁ ତାଙ୍କୁ ଏମ୍‌ବିଏ ପଢ଼ିବାକୁ ଅର୍ଥ ଦିଆଯିବ। ନଚେତ୍ ଭିଡିଓ ଭାଇରାଲ୍‌ କରାଯିବ ବୋଲି ଯୁବତୀଙ୍କୁ ଧମକ ମିଳିଥିଲା। ଧମକ ଓ ଲୋକଲଜ୍ଜାକୁ ନ ଡରି ଯୁବତୀ ସେମାନଙ୍କୁ ପାନେ ଦେବାକୁ ମନସ୍ଥ କଲେ। ତେଣୁ ରାଜା ପ୍ରସ୍ତାବରେ ସେ ଶାରୀରିକ ସମ୍ପର୍କ ରଖିବାକୁ ରାଜି ବୋଲି କହିଥିଲେ। ଗତକାଲି ରାତିରେ ରଙ୍ଗବଜାରସ୍ଥିତ ଏକ ଆପାର୍ଟମେଣ୍ଟରେ ସେମାନେ ଏକାଠି ହେବାର ଥିଲା। ଯୁବତୀଜଣକ ରାତି ୮ଟାରେ ରାଜା ଓ ରାଜୁ ନିକଟରେ ପହଞ୍ଚିବାର ଥିଲା। ସେମାନେ ରୁମ୍‌ରେ ଯୁବତୀଙ୍କୁ ଅପେକ୍ଷା କରିଥିବା ବେଳେ ପୁଲିସ ପହଞ୍ଚିଯାଇଥିଲା।