ଭୁବନଶ୍ୱର: ‘ଏକା’ ପକ୍ଷରୁ ଆୟୋଜିତ ଏକକ ନାଟକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଭଞ୍ଜ କଳାମଣ୍ଡପରେ ଦୁଇ ଦିନବ୍ୟାପୀ ଚାଲିଥିବା ଏହି ନାଟ୍ୟ ଉତ୍ସବର ଶେଷ ଦିନରେ ଦୁଇଟି ନାଟକ ପରିବେଷିତ ହୋଇଥିଲା। ଶେଷ ଦିନର ପ୍ରଥମ ନାଟକ ଥିଲା, ନାଟ୍ୟସଂସ୍ଥା ‘ମିରର୍‌’ ଦ୍ୱାରା ପ୍ରସ୍ତୁତ ‘ବୀରାଙ୍ଗନା ସରଦେଇ’। ଜଣେ ନାରୀର ତ୍ୟାଗ ଓ ମହାନତା​କୁ ଏକକ ଅଭିନୟ ମାଧ୍ୟମରେ ଖୁବ୍‌ ସୁନ୍ଦର ଭାବେ ପରିବେଷିତ କରିଥିଲେ ଉମା ସାହା। ନାଟକର ନିର୍ଦ୍ଦେଶନା ଦେଇଥିଲେ ରବି ତ୍ରିପା​ଠୀ।

Advertisment

ପିପିଲିର ନାଟ୍ୟସଂସ୍ଥା ରଙ୍ଗଲୋକ ଦ୍ବାରା ପରବର୍ତ୍ତୀ ନାଟକ ‘ବନ୍ଦୀ’ ପରିବେଷିତ ହୋଇଥିଲା। ବଡ଼ ହେବା ପାଇଁ ସମସ୍ତେ ସ୍ବପ୍ନ ଦେଖନ୍ତି। ହେଲେ ନିଜ ମାଟି ଓ ଧର୍ମ ବିରୋଧରେ ଯାଇ ବଡ଼ ହେବା କ’ଣ ଗୌରବର କଥା ନା ଏକ ଜଘନ୍ୟ ଅପରାଧ। ଜଣେ ମଣିଷ କେବେ ବି ଜନ୍ମରୁ ଅପରାଧୀ ହୋଇ ନଥାଏ। ପରିସ୍ଥିତି ଓ ପରି​ବେଶ ହିଁ ମଣିଷର ପରିଚୟ ତିଆରି କରିଥାଏ। ପରିସ୍ଥିତିରେ ପଡ଼ି ନିଜ ମାଟି ଓ ଧର୍ମ ବିରୋଧରେ ଯାଇ ଅପରାଧ କରିଥିବା ଅପରାଧୀର ଶେଷ ପରିଣତି କ’ଣ ହୁଏ, ତାହା ଏହି ନାଟକର ବିଷୟବସ୍ତୁ। ନାଟକର ନିର୍ଦ୍ଦେଶନା ଓ ଅଭିନୟରେ ଥିଲେ ଦୁର୍ଯୋଧନ ସାହୁ। ଆଜି ଶେଷ ସନ୍ଧ୍ୟାରେ ଅତିଥି ଭାବେ ନାଟ୍ୟକା​ର ପଞ୍ଚାନନ ଦାସ ଓ ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି ଯୋଗ ​ଦେଇଥିଲେ। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥଙ୍କୁ ‘ଅସୀମ ବସୁ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ନାଟ୍ୟ ବ୍ୟକ୍ତିତ୍ବ ସତ୍ୟ ଜେନାଙ୍କୁ ‘ଅନନ୍ତ ମହାପାତ୍ର ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଚିତ୍ତ ଶତପଥୀ।