ଭୁବନେଶ୍ବର: ବରମୁଣ୍ଡ ବସ୍ଷ୍ଟାଣ୍ଡ୍ ଏ ଭିତରେ ଅତ୍ୟାଧୁନିକ ରୂପ ପାଇଛି। ଏହା ଦେଶର ଅଦ୍ବିତୀୟ ବସ୍ଷ୍ଟାଣ୍ଡ୍ ବୋଲି କହି ସରକାରୀ ବାହାବା ନେଉଛନ୍ତି। ଏହାର ସ୍ଥିତି କିନ୍ତୁ ସଂପୂର୍ଣ୍ଣ ଭିନ୍ନ। ଭିତର ଚକାଚକ ହେଲେ ବି ବାହାର କିନ୍ତୁ ନାଳନର୍ଦ୍ଦମା ପାଣିରେ ଭାସୁଛି। ଏତେ ଉତ୍କଟ ଦୁର୍ଗନ୍ଧ ହେଉଛି ଯେ ଲୋକେ ପାଖ ମାଡ଼ି ପାରୁନାହାନ୍ତି। ଯେଉଁ ଯାତ୍ରୀମାନେ ଯାଉଛନ୍ତି, ସେମାନେ ନାକରେ କପଡ଼ା ଦେଇ ଯା’ଆସ କରୁଛନ୍ତି। ପୁଣି ଅନ୍ୟ କେଉଁଠି ନୁହେଁ, ବସ୍ଷ୍ଟାଣ୍ଡ୍ ପ୍ରବେଶ ପଥରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବିଶ୍ବସ୍ତରୀୟ ବସ୍ଷ୍ଟାଣ୍ଡ୍ର ଏହି ବିକଳ ଚିତ୍ର, ଏହାର ଆଧୁନିକତାର ରୂପରେଖ ଓ ସାଜସଜାକୁ ଉପହାସ କରୁଛି। ଭୁବନେଶ୍ବର ମହାନଗର ନିଗମର ନୂଆ କମିସନର୍ ଭାବେ ଯୋଗଦେବା ପରଠାରୁ ଚଞ୍ଚଳ ରାଣା ପ୍ରତି ୱାର୍ଡ ଗସ୍ତ କରି ପରିମଳ, ନାଳନର୍ଦ୍ଦମା ସ୍ଥିତି ପରଖୁଛନ୍ତି ଓ ଲୋକଙ୍କ ସୁଖଦୁଃଖ ବୁଝୁଛନ୍ତି। ଏଣୁ ଶ୍ରୀ ରାଣା ବି ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ତ୍ବରିତ ପ୍ରତିକାର କରନ୍ତୁ ବୋଲି ଯାତ୍ରୀମାନେ କହିଛନ୍ତି।
ଗମନାଗମନ ସହ ଆକାର ଓ ପ୍ରକାର ପାଇଁ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍(ଆଇଏସ୍ବିଟି)ର ମାନ୍ୟତା ପାଇଛି। ନିକଟରେ ବିଡିଏ ପକ୍ଷରୁ ଏହାର ନବକଳେବର କରାଯାଇଛି। ପ୍ରାୟ ୧୫.୫ ଏକର ଜାଗାରେ ଠିଆ ହୋଇଥିବା ଏହି ବସ୍ଷ୍ଟାଣ୍ଡ୍ର ନବକଳେବର ପାଇଁ ପ୍ରାୟ ୨୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଦୈନିକ ୮୦୦ଟି ଅନ୍ତଃଜିଲ୍ଲା ଓ ଅନ୍ତଃରାଜ୍ୟ ବସ୍ ଏହି ବସ୍ଷ୍ଟାଣ୍ଡ୍କୁ ଗମନାଗମନ କରୁଥିବାବେଳେ ପ୍ରାୟ ୨ହଜାର ବସ୍ ଯାତାୟାତର ଭିତ୍ତିଭୂମି ପ୍ରସ୍ତୁତ ହୋଇଛି। ୨୦ହଜାର ବର୍ଗଫୁଟ ବାଣିଜ୍ୟିକ ଅଞ୍ଚଳ ରହିଥିବା ବେଳେ କାର, ବାଇକ୍ ଆଦି ପାଇଁ ସ୍ବତନ୍ତ୍ର ପାର୍କିଂ, ପ୍ରତୀକ୍ଷାଗୃହ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। କିନ୍ତୁ ଭିତରର ଏତେ ବ୍ୟବସ୍ଥା ଓ ସାଜସଜାକୁ ବାହାରର ନାଳ ନର୍ଦ୍ଦମାର ଦୃଶ୍ୟ ଫିକା ପକାଇ ଦେଉଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ପ୍ରବେଶପଥରେ ଡ୍ରେନ୍ ଜାମ ହୋଇଯିବା ଫଳରେ ପ୍ରାୟ ୧୫ ଦିନ ହେବ ଡ୍ରେନ୍ ଚାମ୍ବର ଦେଇ ଅନର୍ଗଳ ଆବର୍ଜନା ପାଣି ନିର୍ଗତ ହେଉଛି। ଏହି ଆବର୍ଜନା ପାଣି ପ୍ରବେଶ ପଥରେ ଜମା ରହିବା ପରେ ଏବେ ରାଜପଥରେ ଭାସିବା ଆରମ୍ଭ କରିଛି। ବରମୁଣ୍ଡା ଅଣ୍ଡର୍ପାସ୍ ଦେଇ ଅପରପାର୍ଶ୍ବ ଖଣ୍ଡଗିରି ଆଡ଼କୁ ଧାର ଲାଗିଲାଣି। ପ୍ରାୟ ୧୫ ଦିନ ଧରି ଏଭଳି ସ୍ଥିତି ଲାଗି ରହିଥିବାବେଳେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ହୁଅନ୍ତୁ କି ଭୁବନେଶ୍ବର ମହାନଗର ନିଗମ, କେହି ଏଥିପ୍ରତି ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି ଯାତ୍ରୀମାନେ କହିଛନ୍ତି।