ପ୍ରଶ୍ନ ପଚାରିବା ଅଧିକାର ନଥିବା ସମାଜର ବିକାଶ ନାହିଁ: ସୌମ୍ୟରଂଜନ

ଅଭିଜିତ ମଜୁମଦାର ପାଇଲେ ପ୍ରାଣନାଥ ସଂଗୀତ ସମ୍ମାନ

ଖୋର୍ଦ୍ଧା: ‘ଯେଉଁ ସମାଜର ପ୍ରଶ୍ନ ପଚାରିବାର ଅଧିକାର ନାହିଁ, ସେ ସମାଜ କେବେ ବି ଆଗକୁ ଯାଇପାରିବ ନାହିଁ।’’ ଓଡ଼ିଶାର ଜଣାଶୁଣା ସମାଜବାଦୀ ନେତା ତଥା ପ୍ରାଣନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ‘ପ୍ରାଣନାଥ ସଂଗୀତ ସମ୍ମାନ’ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଗୁରୁବାର ଏଭଳି ମନ୍ତବ୍ୟ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ ଯେଉଁ ସମାଜରେ ପ୍ରଶ୍ନ ପଚାରିବା ଅଧିକାରକୁ ସଂକୁଚିତ କରାଯାଏ; ସେହି ସମାଜର ବିକାଶ ହେବ ନାହିଁ, ବିଜ୍ଞାନର ବି ଅଗ୍ରଗତି ହୋଇପାରିବ ନାହିଁ। ସେହିଭଳି ଆଧ୍ୟାତ୍ମିକବାଦ ହେଉ କିମ୍ବା ନ୍ୟାୟବିଚାର, କୌଣସିଟି ପରିମାର୍ଜିତ ହେବ ନାହିଁ କି ଅଭିବୃଦ୍ଧି ହୋଇପାରିବ ନାହିଁ। କାରଣ ଏହି ପ୍ରଶ୍ନ ପଚାରିବାର ଅଧିକାରରୁ ହିଁ ମାନବ ସଭ୍ୟତା ପ୍ରତିଷ୍ଠିତ ହୋଇଛି। ପ୍ରାଣନାଥ ପଟ୍ଟନାୟକ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସ୍ମୃତିଚାରଣ କରି ସେ କହିଥିଲେ, “ଛାତ୍ର ଜୀବନରେ ଦାରିଦ୍ର୍ୟ ଓ ଜୀବନ ବଂଚିବାର ସଂଘର୍ଷ ମଧ୍ୟରେ ଦେଶର ପରାଧୀନତା ବିରୋଧରେ ସଂଗ୍ରାମ କରିବାର ପ୍ରେରଣା ସେମାନେ ଏହି ପ୍ରଶ୍ନ ପଚାରିବାର ଅଦମ୍ୟ ସାହସରୁ ହିଁ ପାଇଥିଲେ।” ଏଣୁ ଛାତ୍ର ଜୀବନରୁ ହିଁ ପ୍ରଶ୍ନ ପଚାରିବାର ଅଭ୍ୟାସକୁ ମାର୍ଜିତ ଓ ଦୃଢ଼ୀଭୂତ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷାନୁଷ୍ଠାନରେ ଅଧ୍ୟାପକ/ଅଧ୍ୟାପିକାମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ପ୍ରୋତ୍ସାହିତ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ କରିଥିଲେ।

ପୂର୍ବାହ୍ନରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଡ. ଅଜନ୍ତା ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମଂଚାସୀନ ଥିଲେ। ଜଣାଶୁଣା କଣ୍ଠଶିଲ୍ପୀ, ସଂଗୀତକାର ଓ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କୁ ୨୦୨୨ ବର୍ଷ ପାଇଁ ‘ପ୍ରାଣନାଥ ସଂଗୀତ ସମ୍ମାନ’ ସହ ନଗଦ ଅର୍ଥ ଓ ଉପ‌ଢ଼ୌକନ ପ୍ରଦାନ କରାଯାଇଥିଲା। ନିଜ ବକ୍ତବ୍ୟରେ ଶ୍ରୀ ମଜୁମଦାର ଖୋର୍ଦ୍ଧାରେ କଟିଥିବା ପିଲାଦିନର ସ୍ମୃତିଚାରଣ କରିବା ସହ ଏହି ସମ୍ମାନ ତାଙ୍କ ପାଇଁ ଏକ ବଡ଼ ସମ୍ମାନ ଓ ଗୌରବର ବିଷୟ ବୋଲି କହିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଚୌଧୁରୀ ପି.କେ ଦାସ ‘ମୋ କଲେଜ’ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତି ଓ ଅନ୍ୟ ଅଧ୍ୟାପକ/ଅଧ୍ୟାପିକାମାନେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର