ପାର୍କରୁ ଉଦ୍ଧା‌ର ଚିତ୍ରା ହରିଣ ମୃତ

ଭୁବନେଶ୍ବର: ଆଜି ନୂଆପଲ୍ଲୀ ରେଣ୍ଟାଲ କଲୋନି ଅଞ୍ଚଳର ଏକ ପାର୍କରୁ ଉଦ୍ଧାର ହୋଇଥିବା ଚିତ୍ରା ହରିଣଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଅଣ୍ଡିରା ହରିଣଟିର ବୟସ ପାଖାପାଖି ୬ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ମୃତଦେହକୁ ଭରତପୁର ରେଞ୍ଜ ଅଫିସରେ ରଖାଯାଇଛି ଓ ଆସନ୍ତାକାଲି ଓୟୁଏଟି ପ୍ରାଣୀଚିକିତ୍ସା କେନ୍ଦ୍ରରେ ବ୍ୟବଚ୍ଛେଦ କରାଯିବା ପରେ ପୋତିଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଆଜି ଅପରାହ୍ନରେ କୌଣସି କାରଣରୁ ଏହି ହରିଣଟି ଭରତପୁର ସଂରକ୍ଷିତ ଜଙ୍ଗଲ ପାଚେରି ଡେଇଁ ସହର ଭିତରକୁ ପଶି ଆସିଥିଲା। କଳିଙ୍ଗଷ୍ଟୁଡିଓ-ରେଣ୍ଟାଲ କଲୋନି ରାସ୍ତା ଉପରକୁ ଆସିବା ପରେ ସେ ବାଟବଣା ହୋଇ ଏଣେତେଣେ ଧାଇଁଥିଲା‌। ଲୋକମାନେ ତାକୁ ଦେଖିବା ପାଇଁ ତାକୁ ପିଛା କରିଥିଲେ। ତେଣୁ ଭୟରେ ସେ ଏକ ପାର୍କର ତାରବାଡ଼ ଡେଇଁ ଭିତରକୁ ପଶିଯାଇଥିଲା ଓ ବିଦ୍ୟୁତ୍ ଟ୍ରାନ୍‌ସଫର୍ମର ନିକଟସ୍ଥ ବୁଦା ମୂଳେ ପଡ଼ିଯାଇଥିଲା। ସେଠାରୁ ଆଉ ସେ ଉଠିପାରିନଥିଲା। ଖରବ ପାଇ ବନ ବିଭାଗର କର୍ମଚାରୀମାନେ ସେଠାରୁ ତାକୁ ଉଦ୍ଧାର କରି ରେଞ୍ଜ ଅଫିସକୁ ନେଇ ଚିକିତ୍ସା କରାଇଥିଲେ। କିନ୍ତୁ ତାକୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ତା’ ଦେହରେ ବଡ଼ଧରଣର କ୍ଷତ ନଥିଲେ ବି ଅଧିକ ଧାଇଁ ଧାଇଁ ହାଲିଆ ହୋଇପଡ଼ିଥିବାରୁ ସେ ହୃଦ୍‌ଘାତର ଶିକାର ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର