ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳମଣ୍ଡପଠାରେ ଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଆଜି ଉଦ୍ଯାପିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ବରଗଡ଼ ଜିଲ୍ଲାର ଢାପ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଦେବଗଡ଼ର ମା’ ରାମଚଣ୍ଡୀ କରମା ନୃତ୍ୟ ତରଫରୁ କରମା ନୃତ୍ୟ, କଟକର ଲଉଡ଼ି ନୃତ୍ୟ, ସୋନପୁରର ଡାଲଖାଇ, ସୁନ୍ଦରଗଡ଼ର ମା’ ମାରିଆ ଆଦିବାସୀ ନୃତ୍ୟ ଦଳ ପକ୍ଷରୁ ଓରାମ ନୃତ୍ୟ, ଯାଜପୁରର ଗୌରହରି ଧୁଡୁକି ଦଳ ପକ୍ଷରୁ ଧୁଡୁକି ପରିବେଷଣ କରାଯାଇଥିଲା। ନୟାଗଡ଼ର ଶ୍ରୀଚୈତନ୍ୟ ମାଧୁରୀ ସାଂସ୍କୃତିକ କଳା ପରିଷଦ ତରଫରୁ ଘଣ୍ଟ ମୃଦଙ୍ଗ ନୃତ୍ୟ, ପୁରୀର ଦଶଭୁଜା ଗୋଟିପୁଅ ନୃତ୍ୟ ପରିଷଦ ତରଫରୁ ଗୋଟିପୁଅ ନାଚ, କଳାହାଣ୍ଡିର ମା’ ଠାକୁରାଣୀ ଘୁମୁର ଦଳ ପକ୍ଷରୁ ଘୁମୁରା ନାଚ, ଗଜପତି ଜିଲ୍ଲାର ବନ୍ଦେ ମାତରମ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଲାଞ୍ଜିଆସଉରା ଓ ସଉରା ନୃତ୍ୟ, ନବରଙ୍ଗପୁର ରାଇଘର କଳାକେନ୍ଦ୍ରର ଗୋଣ୍ଡି ନୃତ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା।
ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଉପ-ସଭାପତି ମନ୍ମଥ ଶତପଥୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ସଂସ୍କୃତି ମନ୍ତ୍ରଣାଳୟ ଯୁଗ୍ମ ସଚିବ ଉମା ନନ୍ଦୁରୀଙ୍କ ସମସ୍ତ କଳାକାର, ନୃତ୍ୟଗୁରୁ ଓ ଅତିଥିମାନଙ୍କୁ ଶ୍ରୀମଦ୍ ଭଗବତ୍ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶିକା ଶୁଚିସ୍ମିତା ମନ୍ତ୍ରୀ, ବିଭାଗର ଅର୍ଥ ଉପଦେଷ୍ଟା ପଦ୍ମଜ୍ୟୋତି ସାହୁ ଓ ଆରତି ସାହୁଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ଅଧିକାରୀ ଓ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/36-5.jpg)