ଭୁବନେଶ୍ବର: ଓଡ଼ିଆ ସାହିତ୍ୟର ମଉଡ଼ମଣି ତଥା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଲେଖକ ପଦ୍ମଭୂଷଣ ମନୋଜ ଦାସ ହେଉଛନ୍ତି ଆଧୁନିକ ଓଡ଼ିଶାର ଅନ୍ୟତମ ବରପୁତ୍ର। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଶତାଧିକ କାଳଜୟୀ ପୁସ୍ତକ ଲେଖି ଦେଶ ଓ ରାଜ୍ୟ ପାଇଁ ଅମାପ ଯଶ ଓ କୀର୍ତ୍ତି ଅର୍ଜନ କରିଛନ୍ତି। ଦେଶବିଦେଶରେ ତାଙ୍କର ଲକ୍ଷଲକ୍ଷ ବିମୁଗ୍ଧ ପାଠକ ଓ ପ୍ରଶଂସକ ଅଛନ୍ତି। ମାତ୍ର ରାଜଧାନୀ ଭୁବନେଶ୍ବରରେ ଏହି ଯୋଗଜନ୍ମା କଥାକାରଙ୍କର କୌଣସି ପ୍ରତିମୂର୍ତ୍ତି ନାହିଁ ବା ତାଙ୍କ ନାମରେ କୌଣସି ସ୍ମାରକୀ ତିଆରି ହୋଇନାହିଁ।

Advertisment

ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅନୁରୋଧ କଲା ମନୋଜ ଦାସ ସ୍ମୃତି ସଂସଦ
ରାଜଧାନୀର ଗୋଟିଏ ପ୍ରମୁଖ ରାସ୍ତା ମନୋଜ ମାର୍ଗ ନାମରେ ନାମିତ କରାଯାଉ

ଦେଶବିଦେଶରୁ ଭୁବନେଶ୍ବର ଆସୁଥିବା ବହୁ ମନୋଜପ୍ରେମୀଙ୍କ ମନରେ ଏହାକୁ ନେଇ କ୍ଷୋଭ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ବରର ଏକ ପ୍ରମୁଖ ସ୍ଥାନରେ ମନୋଜ ଦାସଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ଏକ ପ୍ରମୁଖ ରାସ୍ତା ତାଙ୍କ ନାମରେ ନାମିତ କରିବାକୁ ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ସଂସଦର ସଭାପତି ଅଧ୍ୟାପକ ବିଶ୍ବରଂଜନ ଓ ସାଧାରଣ ସଂପାଦକ ଗୌତମବୁଦ୍ଧ ଦାସ ଏ ସଂକ୍ରାନ୍ତରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି।