ଭୁବନେଶ୍ବର: ଦିନେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସଂଗୀତ ନିର୍ଦେଶନାରେ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ‘ଆରତି ସୁରେ ବାରେ...ଗୀତ ଗାଇ ଓଡ଼ିଆ ସିନେ ସଂଗୀତ ଦୁନିଆରେ ପ୍ରବେଶ କରିଥିଲେ ମହମ୍ମଦ ସିକନ୍ଦର ଆଲମ। ଆଉ ଆଜି ସଂଯୋଗବଶତଃ ଠିକ୍ ସଂଗୀତ ସୁଧାକରଙ୍କ ପ୍ରତିମୂର୍ତି ପାଖରେ ଦଣ୍ଡାୟମାନ ଅବସ୍ଥାରେ ଉନ୍ମୋଚିତ ହୋଇଛି ସିକନ୍ଦର ଆଲମଙ୍କ ପ୍ରତିମୂର୍ତି। କେହି ଚିନ୍ତା କରିଥାଉ, ଅବା ସଂଯୋଗ; ସଂଗୀତ ଜଗତର ଦୁଇ ପ୍ରଥିତଯଶା ସଂଗୀତ ସାଧକଙ୍କୁ ଦେଖିବା ବେଳେ ଲାଗୁଥିଲା, ସଂଗୀତ ମୁଦ୍ରାରେ ଥିବା ସଂଗୀତ ସୁଧାକର ଯେପରି ଦଣ୍ଡାୟମାନ ଅବସ୍ଥାରେ ଗୀତ ଗାଉଥିବା ସିକନ୍ଦରଙ୍କୁ ଗୀତଟିଏ ନିର୍ଦେଶନା ଦେଉଛନ୍ତି।
ରବୀନ୍ଦ୍ର ମଣ୍ଡପ ନିକଟ ଦେଇ ଯିବା ବେଳେ ଏ ଦୃଶ୍ୟ ନିଶ୍ଚୟ ଅନେକଙ୍କୁ କିଛି ସମୟ ପାଇଁ କାଳ୍ପନିକ ଦୁନିଆକୁ ନେଇଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପିତ ସିକନ୍ଦରଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏହି ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦୋକ ରଂଜନ କୁମାର ଦାସ, ସ୍ବର୍ଗତ ସିକନ୍ଦରଙ୍କ ଧର୍ମପତ୍ନୀ ନଇମା ଆଲମ, କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପାଲିତ୍, ଡ.ସଂଗୀତା ଗୋସାଇଁ, କେଶବ ଚନ୍ଦ୍ର ରାଉତ, ମହାପ୍ରସାଦ କର, ଦେବାଶିଷ ମହାପାତ୍ର, ନାଜିଆ ଆଲମ, ସିକନ୍ଦର ଆଲମ ଫାଉଣ୍ଡେସନର ଉପଦେଷ୍ଟା ଲେନିନ ମହାନ୍ତି, ଅଭିନେତ୍ରୀ ଉଷଶୀ ମିଶ୍ର, ସୁକାନ୍ତ, ଏଲିନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିମୂର୍ତି ଗଢ଼ିଥିବା ଲକ୍ଷ୍ମୀକାନ୍ତ ରଣା ଓ ଶ୍ରୀକାନ୍ତ ରଣାଙ୍କୁ ସମ୍ବର୍ଧିତ କରାଯାଇଥିଲା। ରାଜ୍ୟ ପ୍ରତ୍ନତତ୍ତ୍ବର ସୁପରିଟେଣ୍ଡେଣ୍ଟ୍ ଅଶ୍ବିନୀ କୁମାର ଶତପଥୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉନ୍ମୋଚନ କାର୍ଯ୍ୟକୁ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/sfhsfhsfh1465sf465sfsfhhshffhshsfhfh.jpg)