‘ଜନ୍ମ ତ କରିଥିଲେ, ପଚାରିବା କ’ଣ ଦରକାର’ ବାପା-ମାଙ୍କୁ ଅଲୋଡ଼ା କରି ଚାଲିଯାଇଥିବା କିଛି ପୁଅଙ୍କ କାହାଣୀ

ଭୁବନେଶ୍ୱର/ଭଦ୍ରକ: ଲକ୍ଷେ ଶିବଙ୍କୁ ପୂଜି ସେ ପୁଅ ପାଇଥିଲେ, ଗୋଟିଏ ନୁହେଁ ପାଞ୍ଚ ପାଞ୍ଚଟି ପୁଅ | ପେଟକୁ କାଟି ମନକୁ ମାରି ପୁଅମାନଙ୍କୁ ବଡ କରିଥିଲେ | କିନ୍ତୁ ପୁଅମାନଙ୍କ ବିବାହ ପରେ ବଦଳିଯାଇଥିଲା ଏହି ବୁଢା ମଉସା ମାଉସୀଙ୍କ ଜୀବନ କାହାଣୀ | ଅଲୋଡ଼ା ହୋଇଯାଇଥିଲେ ବାପା ମା | ଆଜି ଆମେ ଆପଣଙ୍କୁ ଏମିତି ଏକ ସତ କାହାଣୀ କହିବୁ ଯାହାର ସାକ୍ଷୀ ଅଛି ରାଜଧାନୀର ରାଜରାସ୍ତା, ଆଉ ବୁଢା ମଉସା-ମାଉସୀଙ୍କ ଅକୁହା ଯନ୍ତ୍ରଣା | ଭଦ୍ରକ କିସ୍ମତକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ବୋହୂମାଘେରିର କୁଳମଣି ମଲ୍ଲିକ ଓ ଜୟନ୍ତୀ ମଲ୍ଲିକ | ଘରେ ୫ଟି ପୁଅ | ଜୟନ୍ତୀଙ୍କ ଗୋଡ଼ରେ ଏକ କ୍ଷତ ସୃଷ୍ଟି ହେବାରୁ ଦୁଇ ମାସ ତଳେ ଚିକିତ୍ସା ପାଇଁ କୁଳମଣି ପତ୍ନୀଙ୍କୁ ଧରି ଭୁବନେଶ୍ୱର ଆସିଥିଲେ | ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ବି କୌଣସି ସୁଫଳ ମିଳି ନଥିଲା |

ପାଖରେ ଥିବା ମୋବାଇଲ ଖଣ୍ଡିକ ବି ଚୋରି ହୋଇଗଲା | ଆଉ କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ ଓ ସଟଡାଉନର ଲୁଚକାଳି ଖେଳ ମଧ୍ୟରେ କୁଳମଣି ଓ ଜୟନ୍ତୀ ଘରକୁ ଫେରିପାରି ନଥିଲେ | ନୂଆ ସହର, ଅଜଣା ଲୋକଙ୍କ ଭିତରେ କାହାକୁ ବା ସାହାଯ୍ୟ ପାଇଁ କହିବେ | ଅନ୍ୟ ସରକାରୀ ମେଡିକାଲ(ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲ)କୁ ଯେତେବେଳେ ନିଜ ପତ୍ନୀଙ୍କୁ ଧରି କୁଳମଣି ଯାଇଥିଲେ ସେତେବେଳେ କୋଭିଡ କଟକଣା ଦର୍ଶାଇ ମେଡିକାଲମାନେ ବି ଫେରାଇଦେଇଥିଲେ | ନା ଯୋଗାଯୋଗ ସମ୍ଭବ ଥିଲା ନା କେହି ପରିଚିତ ଥିଲେ |

ସେଥିପାଇଁ ଖୋଲା ଆକାଶ ହେଉ ବା ରାସ୍ତା କଡରେ ଦୁଇ ମାସରୁ ଅଧିକ ସମୟ ଧରି ଜୀବନ କାଟିଥିଲେ ଉଭୟ କୁଳମଣି ଓ ଜୟନ୍ତୀ | ମଙ୍ଗଳବାର ଭୁବନେଶ୍ୱରର ମଧୁସୂଦନ ନଗରରେ ଥିବା ଏକ ବରଗଛ ମୂଳେ ଦୁଇ ଜଣ ଶୋଇଥିବାବେଳେ ଜଣେ ସମାଜସେବୀ(ହେମନ୍ତ ରାଉତ)ଏମାନଙ୍କୁ ଦେଖିଥିଲେ | ପାଖକୁ ଯାଇ ଯେତେବେଳେ ମାଉସୀଙ୍କ ଗୋଡ଼ର ଅବସ୍ଥା ଦେଖିଥିଲେ ସେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବାରମ୍ବାର ଫୋନ ମଧ୍ୟ କରିଥିଲେ | କିନ୍ତୁ ମନ୍ତ୍ରୀଙ୍କ ଫୋନ ବ୍ୟସ୍ତ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କୁ ଫୋନ କରିଥିଲେ | ଏହା ପରେ କ୍ୟାପିଟାଲ ହସ୍ପିଟାଲକୁ କୁଳମଣି ଓ ଜୟନ୍ତୀଙ୍କୁ ନେଇ ଆଡ଼ମିସନ କରାଇଥିଲେ | ବଡ କଥା ଯେ ମଉସା-ମାଉସୀଙ୍କର ୫ ଜଣ ପୁଅ ଥିଲେ ବି ଭଉଣୀ ବାହାଘର ପରେ ସେମାନେ ଦେଇଥିବା ଟଙ୍କାକୁ ସୁଧ ସହିତ ମଉସାଙ୍କ ପାଖରୁ ଫେରାଇନେଇଛନ୍ତି |

ସମ୍ବନ୍ଧିତ ଖବର