ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଏବେ ବିଚିତ୍ର ସ୍ଥିତି। ବିଭାଗ ଏକ ପ୍ରକାର ଦିଗହରା ହୋଇ ଚାଲିଛି। ନା ଏକାଡେମିଗୁଡ଼ିକରେ ନିଯୁକ୍ତି ହେଉଛି ନା ସଂସ୍କୃତିର ପ୍ରୋତ୍ସାହନ ପାଇଁ କିଛି କାମ ହେଉଛି। କେବଳ କାମଚଳା ଢଙ୍ଗରେ ଚାଲିଛି ବିଭାଗ। ବୌଦ୍ଧିକ ଓ ସାଂସ୍କୃତିକ ଜଗତକୁ ଚଳଚଞ୍ଚଳ ରଖିବା ପାଇଁ ବିଭାଗ ତା’ର ଦାୟିତ୍ବ ଯେମିତି ଭୁଲିଯାଇଛି। ସରକାରଙ୍କ ୧୦୦ ଦିନ ଭିତରେ ବିଭାଗ କି ଆଖିଦୃଶିଆ କାମ କଲା, ତାହାର ଉତ୍ତର କାହା ପାଖରେ ନାହିଁ। 

Advertisment

ପୂର୍ବରୁ ସାହିତ୍ୟ ଏକାଡେମିରେ ସଭାପତି, ଉପସଭାପତି ଓ ସଚିବ ନଥିଲେ। ଲଳିତ କଳା ଏକାଡେମିରେ ଉପସଭାପତି ଓ ସଚିବ ନଥିଲେ ବି ସୁଦର୍ଶନ ପଟ୍ଟନାୟକ ସଭାପତି ଥିଲେ। ତାଙ୍କର କାର୍ଯ୍ୟକାଳ ଗତ ୨୩ ତାରିଖରେ ଶେଷ ହୋଇଛି। ଏହା ମଧ୍ୟରେ ସାତ ଦିନ ବିତିଯାଇଥିଲେ ବି ଏହି ଦାୟିତ୍ବ କାହାରିକୁ ଦିଆଯାଇ ନାହିଁ। ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତିଙ୍କ କାର୍ଯ୍ୟକାଳ ପୂର୍ବରୁ ସରିଥିଲା ବେଳେ ସଚିବ ଭା‌ବେ ପ୍ରବୋଧ ରଥ କାର୍ଯ୍ୟ କରୁଥିଲେ। ଏବେ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଏସ୍‌ଡି ହରେକୃଷ୍ଣ ନାୟକଙ୍କୁ ଅତିରିକ୍ତ ଦାୟତ୍ବ ଦିଆଯାଇଛି। ଆସନ୍ତାକାଲି ଶ୍ରୀ ରଥ ନୂଆ ସଚିବଙ୍କୁ ଦାୟିତ୍ବ ହସ୍ତାନ୍ତର କରିବେ। 

ନୂଆ ସରକାର ଆସିବା ଦିନ ଠାରୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିଗୁଡ଼ିକ ଖାଲି ପଡ଼ିଛି। ୧୦୦ ଦିନ ବିତିଯାଇଥିଲେ ବି ନୂଆ ନିଯୁକ୍ତି ଦିଆଯାଉନି। କେଉଁ ଉଦ୍ଦେଶ୍ୟ ରଖି ସରକାର ନିଯୁକ୍ତି ଦେଉନାହାନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନା ପୁରୁଣା ଢାଞ୍ଚାରେ ନିଯୁକ୍ତି ପ୍ରକ୍ରିୟା କରାଯାଉଛି ନା ନିୟମ ବଦଳାଇ ନିଯୁକ୍ତି ଦିଆଯାଉଛି। ଏକାଡେମୀଗୁଡ଼ିକରେ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦେଇ କେବଳ କାମ ଚଳାଯାଉଛି ସିନା ବାସ୍ତବ କାମ କିଛି ହେଉନି। ଏମିତିରେ ତ ସାହିତ୍ୟ ଏକାଡେମିର ପୁରସ୍କା ବର୍ଷ ବର୍ଷ ଧରି ଦିଆଯାଇନି। ଏବେ କର୍ମକର୍ତ୍ତା ଓ ସାଧାରଣ ପରିଷଦ ନଥିବାରୁ ପୁରସ୍କାର କେବେ ଦିଆଯିବ, ତାହା ବି କେହି ଜାଣିପାରୁ ନାହାନ୍ତି। ସେମିତି ଆଗକୁ ଉତ୍ସବ ଋତୁ ଆସୁଛି। କିନ୍ତୁ ସଙ୍ଗୀତ ନାଟକ ଏକାଡେମି ମୁରବୀବିହୀନ ହୋଇଯାଇଥିବାରୁ ଏସବୁର ଆୟୋଜନରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି।  

ଲଳିତକଳା ଏକାଡେମୀ ସଭାପତିଙ୍କ କାର୍ଯ୍ୟକାଳ ସରିଲାଣି
ଓଡ଼ିଶୀ ଗବେଷଣା କେନ୍ଦ୍ରରେ କେହି ନିର୍ବାହୀ ଅଧିକାରୀ ନାହାନ୍ତି
ବିଭାଗର ଓଏସ୍‌ଡିଙ୍କୁ ସଙ୍ଗୀତ ନାଟକ ଏକାଡେମୀ ସଚିବ ଦାୟିତ୍ବ

ଆହୁରି ମଧ୍ୟ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅଚଳାବସ୍ଥା ସୃଷ୍ଟି ହେଲାଣି। ଏଠାକାର ମୁଖ୍ୟ କାର୍ଯ୍ୟନିର୍ବାହୀ ସିକତା ଦାସଙ୍କ କାର୍ଯ୍ୟକାଳ ଗତ ୨୬ ତାରିଖରେ ଶେଷ ହୋଇଛି। ଏଠାରେ ମଧ୍ୟ କାହାରିକୁ ଦାୟିତ୍ବ ଦିଆଯାଇନି। ସମ୍ଭବତଃ ଏମିତି ଏକ କେନ୍ଦ୍ର ଅଛି ବୋଲି ସରକାର ଭୁଲିଯାଇଛନ୍ତି। କେନ୍ଦ୍ରର ମୁଖିଆ ନଥିବାରୁ କର୍ମଚାରୀମାନେ କେମିତି ଦରମା ପାଇବେ, ସେନେଇ ସେମାନେ ସନ୍ଦେହରେ ଅଛନ୍ତି। 
୧୦୦ ଦିନ ଭିତରେ କଳା, ସଂସ୍କୃତି ଓ ସାହିତ୍ୟର ଉତ୍‌ଥାନ ଓ ବିକାଶ ନିମନ୍ତେ ବିଭାଗ କିଛି ବି ଆଖିଦୃଶିଆ କାମ କରିନି। ବୁଦ୍ଧିଜୀବୀ, ସାହିତ୍ୟିକ ଓ କଳାକାରଙ୍କ ମହଲରେ ବିଶ୍ବାସ ଜନ୍ମାଇଲା ପରି ପଦକ୍ଷେପ ନିଆଯାଇନି। ବରଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବୌଦ୍ଧିକ ଓ ସାଂସ୍କୃତିକ ଦୁନିଆକୁ ଚଳଚଞ୍ଚଳ କରି ରଖିଥିବା ଘରୋଇ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ବିଭାଗ ପ୍ରୋତ୍ସାହନ ଦେଉନି।

ସେମାନଙ୍କୁ ଦେଉଥିବା ଅନୁଦାନ ରାଶି କମାଇଦେବା ଫଳରେ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଉନ୍ନତମାନର କାର୍ଯ୍ୟକ୍ରମ ଆୟୋଜନ କରିବାରେ ଅସୁବିଧା ଭୋଗୁଛନ୍ତି। ଏହା ଦ୍ବାରା କଳାକାରମାନେ ବି ହଇରାଣ ହେଉଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।
ବିଭାଗର ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକ ସମସ୍ତେ ବଦଳିଛନ୍ତି ସତ। କିନ୍ତୁ ବିଭାଗର କାର୍ଯ୍ୟଧାରାରେ ଅବ୍ୟବସ୍ଥା ବଢ଼ିଯାଇଛି। ନୂଆ ସରକାର ଆସିଲା ପରେ ବିଭାଗୀୟ ମନ୍ତ୍ରୀ ୧୦୦ ଦିନର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ସହ ବିଭାଗର ବିଭିନ୍ନ ପଦପଦବି ପୂରଣ ଉପରେ ଗୁରୁତ୍ବ ଦେଇଥିଲେ। କିନ୍ତୁ କାର୍ଯ୍ୟଖସଡ଼ା କ’ଣ ହେଲା, ତାହା କେହି ଜାଣିପାରିଲେନି। ପଦବି ପୂରଣ ଦୂରର କଥା, ଅଧିକ ପଦବି ଖାଲି ହେବାରେ ଲାଗିଛି।