ଭୁବନେଶ୍ବର: କଲବଲ କଲେଣି ବୁଲା କୁକୁର। କେଉଁଠି ଲୋକଙ୍କୁ ଝୁଣି ପକାଉଛନ୍ତି ତ ଆଉ କେଉଁଠି କାମୁଡ଼ିବାକୁ ଗୋଡ଼ାଉଛନ୍ତି। ଯେଉଁଥିପାଇଁ ପ୍ରତିଦିନ ସହରର ବହୁ ସ୍ଥାନରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। କୁକୁର କାମୁଡ଼ାର ଶିକାର ହୋଇ ଅନେକ ମେଡିକାଲାରେ ଭର୍ତ୍ତି ହେଉଥିବାରୁ ଚିତ୍ର ସାମ୍ନାକୁ ଆସୁଛି। ଯେଉଁଥିପାଇଁ ଦିନକୁ ଦିନ ଲୋକଙ୍କର କୁକୁରଙ୍କ ପ୍ରତି ଅମାନୁଷିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ଯାହାର ସଦ୍ୟତମ ଉଦାହରଣ ମୈତ୍ରୀବିହାର ଥାନା ଅଞ୍ଚଳରେ ଗତକାଲି ଦେଖିବାକୁ ମିଳିଥିଲା। ବୁଲା କୁକୁରଙ୍କ ଉତ୍ପାତରେ ଅତିଷ୍ଠ ହୋଇ କେହି ଦୁର୍ବୃତ୍ତ ଏକାଥରେ ୫ଟି କୁକୁରଙ୍କୁ ବିଷ ଦେଇ ହତ୍ୟା କରିଛି। ଏଭଳି ନୃଶଂସ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ‌ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ଉଠିଛି।

Advertisment

ସେପଟେ କୁକୁରଗୁଡ଼ିକୁ କାହିଁକି ବିଷ ଦେଇ ହତ୍ୟା କରାଗଲା ତାହାକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ପୋଷା କୁକୁରଙ୍କ ଭଳି ବୁଲା କୁକୁରଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣିବାକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ପୋଷା କୁକୁରଙ୍କ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତି ଶେଷ ହୋଇଛି। ଖୁବ୍‌ଶୀଘ୍ର ବିଏମ୍‌ସି କାଉନସିଲ୍‌ ବୈଠକରେ ତାହା ପାରିତ ହେବା ପରେ ସହରରେ ଲାଗୁ ହେବ। ତେବେ ବୁଲା କୁକୁରଙ୍କ ସମ୍ପର୍କରେ ଖୁବଶୀଘ୍ର ପଦକ୍ଷେପ ନେବାକୁ ଆଲୋଚନା ହେଉଛି। କୁକୁରଙ୍କ ବନ୍ଧ୍ୟାକରଣ କାର୍ଯ୍ୟକୁ ଅଧିକ ତ୍ୱରାନିତ୍ୱ କରିବା ସହ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ପଶୁପ୍ରେମୀଙ୍କ ପରାମର୍ଶ ଓ ସହଯୋଗରେ ଏନେଇ ମାର୍ଗଦର୍ଶିକା ଜାରି କରିବାକୁ ଯୋଜନ‌ା ପ୍ରସ୍ତୁତ ହେଉଥିବା ଅଧିକାରୀ ଜଣକ କହିଛନ୍ତି।

ବ୍ରହ୍ମପୁର ଘଟଣା ହେଉ ଅଥବା ଭୁବନେଶ୍ୱର। କାହିଁକି କୁକୁର ହିଂସ୍ର ହେଉଛନ୍ତି? ମଣିଷ ଓ କୁକୁର ମଧ୍ୟରେ କାହିଁକି ବଢୁଛି ଦୂରତା? ଏନେଇ ଆଜି ଦିନତମାମ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାରେ କେତୋଟି କଥା ସାମ୍ନାକୁ ଆସିଛି। ତାହା ହେଲା ଖାଦ୍ୟାଭାବ। ଯଦି ଭୁବନେଶ୍ୱର କଥା ବିଚାରକୁ ନିଆଯାଏ ତେବେ ସହରରେ ବୁଲା କୁକୁରଙ୍କ ପାଇଁ ଖାଦ୍ୟାଭାବ ସୃଷ୍ଟି ହେଲାଣି। କାରଣ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ରଖାଯାଇଥିବା ଡଷ୍ଟବିନ୍‌ରୁ ସେମାନେ ନିଜର ଖାଦ୍ୟ ସଂଗ୍ରହ କରୁଥିଲେ। ମାତ୍ର ବିଏମ୍‌ସି ପକ୍ଷରୁ ସହରକୁ ଡଷ୍ଟବିନ୍‌ ମୁକ୍ତ କରାଯିବା ପରେ କୁକୁରଙ୍କ ଲାଗି ଖାଦ୍ୟ ଠିକଣା ହଜିଯାଇଛି। କାଁ ଭାଁ ସ୍ଥାନରେ କେହି ଖାଇବାକୁ ଦେଲେ ହିଁ ଏମାନେ ଖାଉଛନ୍ତି। ଆଉ ଆଗ ଭଳି ଡଷ୍ଟବିନ୍‌ରେ ପଶି ଖାଇବାକୁ ପାଉନାହାନ୍ତି। ଫଳରେ ସେମାନେ ଖାଦ୍ୟାଭାବର ଶିକାର ହେବା ସହ ଖାଦ୍ୟ ଅନ୍ୱେଷଣରେ ଲୋକଙ୍କ ପଛରେ ଧାଉଁଛନ୍ତି ବୋଲି ପଶୁପ୍ରେମୀମାନେ କହିଛନ୍ତି।
ସେମାନେ ଆହୁରି କହିଛନ୍ତି ଯେ ଭୁବନେଶ୍ବରରେ ଦିନକୁ ବୁଲା କୁକୁରଙ୍କ ବଂଶ ବୃଦ୍ଧି ଘଟୁଛି। ସେହି ଅନୁଯାୟୀ କୁକୁରଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ମିଳୁନି।

କରୋନା ସମୟରେ ବିଏମସି ପକ୍ଷରୁ ବୁଲା କୁକୁରଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥିଲା, ଯାହାକି ଏବେ ବନ୍ଦ ହୋଇଛି। ଖାଦ୍ୟ ନ ପାଇବା କାରଣରୁ ବୁଲା କୁକୁର ଆକ୍ରମଣାତ୍ମକ ହୋଇ ମଣିଷ ଉପରେ ଆକ୍ରମଣ କରୁଛନ୍ତି। ଏଥିପ୍ରତି ପ୍ରଶାସନ ଧ୍ୟାନ ଦେଇ ପୁଣିଥରେ ସେମାନଙ୍କ ଲାଗି ଖାଦ୍ୟ ବ୍ୟବସ୍ଥା କରୁ। ସେମାନଙ୍କ ପ୍ରଜନନ କ୍ଷମତା କିଭଳି କମିବ ସେନେଇ ବନ୍ଧ୍ୟାକରଣର ସୁବ୍ୟବସ୍ଥା କରାଯାଉ। ‘ହୁ’ର ଆନିମଲ ସୁରକ୍ଷା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ପ୍ରକ୍ରିୟା କରାଯାଉ। ଦେଖାଯାଉଛି ଯେ ବନ୍ଧ୍ୟାକରଣ ଲାଗି ଆସୁଥିବା ଟଙ୍କା ବହୁ ସମୟରେ ବାଟମାରଣା ହେଉଛି। ତେଣୁ ଏଭଳି କାର୍ଯ୍ୟକୁ ଆଉ ଥରେ ତ୍ବରାନିତ୍ୱ କରିବା ପାଇଁ ଉଭୟ ପ୍ରଶାସନ ଓ ସରକାର ଯତ୍ନବାନ ହେବାର ଆବଶ୍ୟକ। ଏଥିସହ ଜନସଚେତନତାର ବି ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।