୨୫ଦିନର ଶିଶୁର ଏମ୍ସରେ ସଫଳ ଅସ୍ତ୍ରୋପଚାର

ଶିଶୁଙ୍କ ଅତ୍ୟଧିକ କାନ୍ଦକୁ ଅଣଦେଖା କରନ୍ତୁନି: ଡାକ୍ତର

ଭୁବନେଶ୍ବର: ଯଦି ଆପଣଙ୍କର ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି, ଏହାକୁ ଅଣଦେଖା କରନ୍ତୁ ନାହିଁ। ଅନେକ ଏହାକୁ ପେଟ କାଟୁଥିବା, କାନ କାଟୁଥିବ କିମ୍ବା ଅନ୍ୟ କିଛି ହେଉଥିବା ଭାବି ନିଅନ୍ତି। ଅନେକ କ୍ଷେତ୍ରରେ ଏହା ଠିକ୍‌ ମଧ୍ୟ ହୋଇପାରେ। କିନ୍ତୁ ସବୁବେଳେ ନୁହେଁ। କ୍ରମାଗତ ଭା‌ବେ କାନ୍ଦିବା ବିପଜ୍ଜନକ ଆରିଥମିଆ ରୋଗର ଲକ୍ଷଣ, ଯାହା ଶିଶୁମାନଙ୍କ ଜୀବନ ନେଇପାରେ ବୋଲି କହିଛନ୍ତି ଏମ୍‌ସ ଭୁବନେଶ୍ୱର ନବଜାତ ଶିଶୁ (ନିଓନାଟୋଲୋଜି)ବିଭାଗର ଆସୋସିଏଟ୍ ପ୍ରଫେସର ଡ. ପଙ୍କଜ ମହାନ୍ତି। ତେଣୁ କୌଣସି ଶିଶୁ ଅନବରତ କାନ୍ଦୁଥିଲେ, ଷ୍ଟେଥୋସ୍କୋପ ସହାୟତାରେ ହୃଦ୍‌ସ୍ପନ୍ଦନକୁ ମଧ୍ୟ ପରୀକ୍ଷା କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଏମ୍ସର ନବଜାତ ଶିଶୁ ବିଭାଗରେ କ୍ରମାଗତ ୩ଦିନ ଧରି କାନ୍ଦୁଥିବା ୨୫ ଦିନର ଶିଶୁ କନ୍ୟାର ସଫଳ ହୃଦ୍‌ରୋଗ ଅସ୍ତ୍ରୋପଚାର ହୋଇଛି।

ଏମ୍‌ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଏହି ଶିଶୁକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏଠାକୁ ଆସିବା ପ ପୂର୍ବରୁ ତା’ର କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ଭଳି ଚିକିତ୍ସା କରାଯାଇଥିଲା। ମାତ୍ର କୌଣସି ଲାଭ ହୋଇନଥିଲା। ତେବେ ଏମ୍‌ସରେ ଭର୍ତ୍ତି ହେବା ପରେ ନବଜାତ ଶିଶୁ ବିଭାଗର ଡ. ମହାନ୍ତିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଶିଶୁର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ସମୟରେ ଶିଶୁର ହୃଦ୍‌ସ୍ପନ୍ଦନ (ହାର୍ଟ ରେଟ୍) ୩ଶହ ବିପିଏମ୍‌ରୁ ଅଧିକ ଥିବା ଜଣାପଡ଼ିଥିଲା। ସାଧାରଣତଃ ଶିଶୁମାନଙ୍କ କ୍ଷେତ୍ରରେ ଏହା ୧୪୦ବିପିଏମ୍‌ ରହିଥାଏ। ଏନେଇ ଶିଶୁକନ୍ୟାଟିର ତୁରନ୍ତ ଇସିଜି କରାଯାଇଥିଲା। ଏଥିରେ ଅନୁପସ୍ଥିତ ପି ତରଙ୍ଗ(ପି ୱେଭ୍‌) ଏବଂ ହୃଦ୍‌ସ୍ପନ୍ଦନ ୨୮୮ ଏସ୍‌/ ଓପିଏସ୍‌ଭିଟି ପ୍ରକାଶ ପାଇଥିଲା। ଶିଶୁକୁ ତୁରନ୍ତ ଏନ୍‌ଆଇସିୟୁକୁ ନିଆଯାଇଥିଲା। ଏଥିସହ ଦୁଇଡୋଜ୍ ଆଡେନୋସାଇନ୍ ପ୍ରଦାନ କରାଯାଇଥିଲା। କିନ୍ତୁ ହୃଦ୍‌ସ୍ପନ୍ଦନକୁ ସଠିକ୍‌ ସ୍ଥିତିକୁ ଫେରାଇ ଆଣିବାରେ ଏହା ସକ୍ଷମ ହୋଇନଥିଲା। ପରେ ଆମିଓଡାରୋନ୍ ପ୍ରଦାନ କରାଯାଇଥିଲା। ଫଳରେ ହୃଦ୍‌ସ୍ପନ୍ଦନ ୨୭୦କୁ ତଳକୁ ଖସିଥିଲା। ସିଜିରେ ପିଏସ୍‌ଭିଟି ଥିବା ଜଣାପଡ଼ିଥିଲା। ଶିଶୁକୁ ସକ୍‌ ଦିଆଯିବାରୁ ତାହା ଫଳପ୍ରଦ ହୋଇଥିଲା ଓ ହୃଦ୍‌ସ୍ପନ୍ଦନ ସାଧାରଣ ଅବସ୍ଥାକୁ ଫେରିଥିଲା। ଉପଯୁକ୍ତ ଚିକିତ୍ସା ପରେ ୨୪ଘଣ୍ଟାରେ ଶିଶୁ ସ୍ବାଭାବିକ ଅବସ୍ଥାକୁ ଫେରିଥିଲା। ପ୍ରାୟ ୩ ଦିନ ହେବ କିଛି ଖାଉ ନଥିବା ଶିଶୁକନ୍ୟା ଏନ୍‌ଆଇସିୟୁରୁ ବାହାରି ଖାଇବା ସହ ସ୍ବାଭାବିକ ବ୍ୟବହାର କରିଥିଲା।

ସମ୍ବନ୍ଧିତ ଖବର