ଆଜିଠୁ ଗାନ୍ଧୀମାର୍ଗରେ ୩ ଦିନିଆ ପରେଡ୍ ଅଭ୍ୟାସ: ଅଭ୍ୟାସ ସମୟରେ ବନ୍ଦ ରହିବ ଗାନ୍ଧୀମାର୍ଗ

ଭୁବନେଶ୍ବର: ଆସନ୍ତା ୨୬ ତାରିଖ ଭୁବନେଶ୍ବରସ୍ଥିତ ମହାତ୍ମା ଗାନ୍ଧୀମାର୍ଗରେ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲିଠାରୁ ଗାନ୍ଧୀମାର୍ଗରେ ୩ ଦିନିଆ ପରେଡ୍ ଅଭ୍ୟାସ କରାଯିବ। ଆସନ୍ତାକାଲିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଅପରାହ୍‌ଣ ସାଢ଼େ ୨ଟାରେ ପରେଡ୍ ରିହର୍ସାଲ କରାଯିବ। ତେବେ ୨୪ ତାରିଖ ସକାଳ ସାଢ଼େ ୭ଟାରେ ପରେଡ୍ ଅଭ୍ୟାସ କରାଯିବ। ପରେଡ୍ ଶେଷ ହେବା ପର୍ଯ୍ୟନ୍ତ ଗାନ୍ଧୀ ମାର୍ଗ ସମେତ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗମନାଗମନ ବନ୍ଦ ରହିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ପୁଲିସ କମିସନରଙ୍କ ସୂଚନା ଅନୁଯାୟୀ, ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ଜାନୁଆରି ୨୬ ତାରିଖ ସକାଳ ସାଢ଼େ ୬ଟାରୁ ପରେଡ୍ ଆରମ୍ଭ କରାଯିବ। ତେଣୁ ୨୨ ତାରିଖରୁ ୨୪ ତାରିଖ ଏବଂ ୨୬ ତାରିଖରେ ସମସ୍ତ ପ୍ରକାରର ଯାତାୟାତ ବନ୍ଦ ସାଙ୍ଗକୁ ପରେଡ୍ ସରିବା ପର୍ଯ୍ୟନ୍ତ ଲୋୟର ପିଏମଜି, ମାଷ୍ଟରକ୍ୟାଣ୍ଟିନ୍ ଓ ଏହାର ଆଖପାଖ ଅଞ୍ଚଳରେ ଗ୍ୟାସ୍ ବେଲୁନ୍‌ ବିକ୍ରି କରାଯାଇପାରିବ ନାହିଁ ବୋଲି କୁହାଯାଇଛି।

ଅପରପକ୍ଷରେ ସାଧାରଣତନ୍ତ୍ର ଦିବସ ପାଇଁ ଆମନ୍ତ୍ରିତ ଅତିଥି ଆସି ନିର୍ଦ୍ଧାରିତ ପାର୍କିଂସ୍ଥଳରେ ଗାଡ଼ି ରଖିବେ। ପରେଡ୍ ସମୟରେ ଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ରାସ୍ତା ଅର୍ଥାତ୍ ହାଉସିଂବୋର୍ଡ ଛକ ପାର୍ଶ୍ବରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି କେଶରୀ ଟକିଜ୍‌ର ବାମ ପଟ ଗଳି ରାସ୍ତାରେ ଯାଇପାରିବେ। ସେହିଭଳି ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଜୟଦେବ ଭବନର ଡାହାଣ ପଟ ଗଳି ରାସ୍ତା ଦେଇ ଯିବେ। ୧୨୦ ବାଟାଲିୟନ୍ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଏମ୍‌ଏଲ୍‌ଏ କଲୋନି ବାମପଟ ଗଳି ରାସ୍ତାରେ ଯିବେ। ଜନପଥ ରାସ୍ତାରେ ଆସୁଥିବା ଗାଡ଼ିଗୁଡ଼ିକ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ ଗାନ୍ଧୀ ମାର୍ଗକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

ସମ୍ବନ୍ଧିତ ଖବର