ହେଟା ପାଇଁ ଯନ୍ତା ବସିଲା

ବାଲିପାଟଣା: ସ୍ଥାନୀୟ ମଝିହରା ଗ୍ରାମରେ ବୁଲୁଥିବା ଏକ ହେଟାକୁ ଧରିବା ପାଇଁ ବନ ବିଭାଗ ଯନ୍ତା ବସାଇଛି। ଯନ୍ତାରେ ଏକ ଛେଳି ବନ୍ଧା ଯାଇଛି ଓ ତାକୁ ରାତି ସାରା ବନ ବିଭାଗ କର୍ମଚାରୀମାନେ ଜଗି ବସିବେ। ହେଟା ଧରା ନ ପଡ଼ିବା ପର୍ଯ୍ୟନ୍ତ ବନ ବିଭାଗ ଏହି କାର୍ଯ୍ୟକ୍ରମ ଚାଲୁ ରଖିବ ସୂଚନା ମିଳିଛି। ଗତ ମାସ ୨୯ ତାରିଖ ଦିନ ଏହି ହେଟାଟି ଗୋଠରୁ ଗୋଟିଏ ଛେଳିକୁ ଟାଣି ନେବା ପରେ ଘଟଣା ଜଣାପଡ଼ିଥିଲା। ଛେଳି ଜଗୁଥିବା ଯୁବତୀଜଣକ ଗ୍ରାମବାସୀଙ୍କ ହେଟା ବାବଦରେ ଜଣାଇବା ପରେ ବନ ବିଭାଗ ଖବର ପାଇଥିଲା। ଗାଁ ଆଖପାଖରେ ହେଟାର ପାଦ ଚି଼ହ୍ନ ଦେଖିବା ପରେ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ସତର୍କ କରାଇଥିଲେ। ମହିଳା ଓ ଛୋଟ ପିଲାମାନଙ୍କୁ ଏକୁଟିଆ ବାହାରକୁ ଯିବା ପାଇଁ ମନା କରାଯାଇଥିଲା। ଡାକବାଜି ଯନ୍ତ୍ରରେ ହେଟା ବାବଦରେ ପ୍ରଚାର କରାଯାଇଥିଲା। ସେହି ଦିନଠାରୁ କର୍ମଚାରୀଙ୍କୁ ମଧ୍ୟ ଉକ୍ତ ଅଞ୍ଚଳରେ ନିୟୋଜିତ କରାଯାଇଥିଲା। ସନ୍ଧ୍ୟା ହେଲେ ହେଟାଟି ସେହି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତେଣୁ ଆଜି ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସଙ୍କ ନିର୍ଦ୍ଦେଶ‌‌‌ରେ ଯନ୍ତା ବସାଯାଇଛି।

ସମ୍ବନ୍ଧିତ ଖବର