ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ବୃକ୍ଷରୋପଣ ଆହ୍ବାନ ଆଜି ସବୁଠି ପ୍ରବଳ ଆଗ୍ରହ ସୃଷ୍ଟି କରିଥିଲା। ‘ମା’ଙ୍କ ପାଇଁ ଗଛଟିଏ’ ଭଳି ଏକ ସୁନ୍ଦର ଆହ୍ବାନ ସବୁରି ମନରେ ଗଛ ଲଗାଇବାକୁ ଉତ୍ସାହ ଭରିଦେଇଥିଲା। ତେଣୁ ଆଜି ରାଜଧାନୀର ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନ, ଶିଳ୍ପ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ସମେତ ବେସରକାରୀ ପ୍ରତିଷ୍ଠାନ ପରିସରରେ ବ୍ୟାପକ ଚାରାରୋପଣ କରାଯାଇଥିଲା। ସ୍କୁଲ୍‌ ପିଲାଙ୍କଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଯେମିତି ଏକ ପର୍ବ ପାଲଟିଯାଇଥିଲା। ଆଜି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହେଉଥିବା ବେଳେ ସବୁଆଡ଼େ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଏକ ପୂଜା ଭଳି ପ୍ରତୀୟମାନ ହେଉଥିଲା। ସେହିଭଳି ବହୁ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ ସମାଜ ଓ ସ୍ବେଚ୍ଛାସେବୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରି ବ୍ୟାପକ ଗଛ ଲଗାଇଛନ୍ତି। ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଗଢ଼ିବା ଦିଗରେ ଏହି ଆହ୍ବାନ ବେଶ୍‌ ଉପଯୋଗୀ ହୋଇପାରିଛି ବୋଲି କୁହାଯାଇଛି।

Advertisment

ଉତ୍କଳ ବିଶ୍ବବିଦ୍ୟାଳୟ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍‌ ଏଗ୍ରି-ମ୍ୟାନେଜ୍‌ମେଣ୍ଟ(ସିଏଏମ୍‌) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଏଏମ୍‌ ପରିସରରେ ବୃକ୍ଷରୋପଣ କରିଥିଲେ। ମା’ ଯେପରି ଆମକୁ ଜୀବନ ଦେବା ସହ ଯତ୍ନ ନେଇଥାଏ, ସେହିପରି ଗଛ ମଧ୍ୟ ଆମକୁ ଅମ୍ଳଜାନ ସହ ଫଳ, ପୁଷ୍ପ ପ୍ରଦାନ କ‌ରେ। ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଗୋଟିଏ ଲେଖା‌ଏଁ ଗଛ ଲଗାଇବାକୁ ସେ ଆହ୍ବାନ ଦେଇଥିଲେ। ସିଏଏମ୍‌ ମୁଖ୍ୟ ଦୀପକ ରାମ୍‌, ପ୍ରଫେସର ସନତ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ଦ୍ବାରା ପ୍ରଦୂଷଣ ହ୍ରାସ, ଜଳବାୟୁ ପରିବର୍ତ୍ତନର ମୁକାବିଲା, ଜୈବ ବିବିଧତାର ସଂରକ୍ଷଣ କିଭଳି ହୋଇଥାଏ, ତାହା ବର୍ଣ୍ଣନା କରିବା ସହ ଭବିଷ୍ୟତ ପିଢ଼ିଙ୍କ ଜୀବନ ସୁରକ୍ଷିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏମ୍‌ବିଏ ଏଗ୍ରିବିଜନେସ୍‌ ବିଭାଗର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

ଓୟୁଏଟି
ଖଣ୍ଡଗିରି: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ବାଉଁଶ ଫାର୍ମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଏମ୍‌ସି ଓ ସିଟି ଫରେଷ୍ଟ ଡିଭିଜନ୍‌ ଭୁବନେଶ୍ୱର ସହଯୋଗ କରିଥିଲା। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସୁନାରୀ ଚାରାରୋପଣ କରି ଶୁଭାରମ୍ଭ କରିଥିଲେ। ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ ଯୋଗ ଦେଇଥିଲେ। ସୁନାରୀ, ଫାସୀ, ବଉଳ, ଶିଶୁ, ଅର୍ଜୁନ, ଅଁଳା ଇତ୍ୟାଦି ଗଛର ଚାରା ରୋପଣ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳସଚିବ, ଅର୍ଥ ନିୟନ୍ତ୍ରକ ଓ ବିଭିନ୍ନ ବିଭାଗର ଅଧ୍ୟକ୍ଷ, ନିର୍ଦେଶକ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ବନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମହାପାତ୍ରଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ବନ ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ନିରାକାର ଭୋଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଏମ୍‌ସିର ମେଗା ବୃକ୍ଷରୋପଣ ଅଭିଯାନ ଆରମ୍ଭ, ୫ ଏକର ଜାଗାରେ ଲାଗିବ ୧୫ହଜାର ଗଛ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ରାଜଧାନୀକୁ ସବୁଜ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ ଅଭିଯାନ ଜାରି ରଖିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ‘ଏକ୍‌ ପେଡ୍ ମା’ କେ ନାମ୍‌’ ଅଭିଯାନ ଅଧୀନରେ ସ୍ବତନ୍ତ୍ର ମେଗା ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଛି। ଆଜି କଳିଙ୍ଗ ଷ୍ଟୁଡିଓ ଛକ ନିକଟ ଘାଟିକିଆ ଓୟୁଏଟି ଫାର୍ମ ପରିସରରେ ଏହି ମେଗା ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ମେୟର ସୁଲୋଚନା ଦାସ। ଏଠାରେ ପ୍ରାୟ ୫ ଏକର ଜମିରେ ୧୫ ହଜାର ଚାରା ଲଗାଯିବ। ମିୟାୱାକି ପଦ୍ଧତିରେ ଏହି ଗଛ ଲଗାଯିବ। ଯାହା ବୁଦାଳିଆ ଓ ଘଞ୍ଚ ହୋଇ ସବୁଜିମା ସୃଷ୍ଟି କରିବ ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଏମ୍‌ସି କମିସନର୍ ଚଞ୍ଚଳ ରାଣା, ଡେପୁଟି ମେୟର ମଞ୍ଜୁଲତା କହଁର, ଓୟୁଏଟି କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସମେତ ଆଇଓସିଏଲ୍ ରାଜ୍ୟ ମୁଖ୍ୟ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ରାଜଧାନୀକୁ ସବୁଜ ସୁନ୍ଦର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବା ପାଇଁ କମିସନର ଶ୍ରୀ ରାଣା ଆହ୍ୱାନ ଦେଇଛନ୍ତି। ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ, କର୍ପୋରେଟର ପିଙ୍କି ସ୍ୱାଇଁ, ଅତିରିକ୍ତ କମିସନର ରତ୍ନାକର ସାହୁ, ଆଇଓସିଏଲ୍‌ ରାଜ୍ୟ ମୁଖ୍ୟ କମଲ ସିଲ୍ ପ୍ରମୁଖ ମଞ୍ଚାସୀନ ଥିଲେ। ବିଏମ୍‌ସି ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସେହିପରି ୧୪ ନମ୍ବର ଵାର୍ଡ ଅନ୍ତର୍ଗତ ନିଳାଦ୍ରୀ ବିହାରର ଜହେରଠାରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମିୟାଵାକି ପଦ୍ଧତିରେ ଏଠାରେ ୨ ହଜାର ବୃକ୍ଷରୋପଣ କରାଯାଇଛି। ବିଏମ୍ ସି,  ଆଇଡିବିଆଇ ଓ ଚନ୍ଦକା ଫରେଷ୍ଟ ଡିଭିଜନର ମିଳିତ ଉଦ୍ୟମରେ ୧ ଏକର ଜମିରେ ୨ ହଜାର ବୃକ୍ଷରୋପଣ ହୋଇଛି।

ଓଏମ୍‌ସି
ଭୁବନେଶ୍ୱର: ଓଡ଼ିଶା ଖଣିନିଗମ ପକ୍ଷରୁ ଆୟୋଜିତ ‘ଏକ୍‌ ପେଡ୍‌ ମା’କେ ନାମ୍ ୨.୦’ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଖଣି ଓ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୧ ଲକ୍ଷ ଚାରା ରୋପଣ କରାଯାଇଛି। ଭୁବନେଶ୍ୱରସ୍ଥିତ ଡ୍ରିଲ୍‌ କୋର୍‌ ଲାଇବ୍ରେରିରେ ଆୟୋଜିତ  କାର୍ଯ୍ୟକ୍ରମକୁ ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଶୁଭାରମ୍ଭ କରିଥିଲେ। ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଜଙ୍ଗଲ ଓ ପରିବେଶ) ସୁଧାଂଶୁ ଶେଖର ଖୋରା, ଆଇଏଫ୍ଏସ୍‌ ନିର୍ଦ୍ଦେଶକ(ଅପରେସନ୍‌) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ(ମାନବ ସମ୍ବଳ) ଆଲୋକ କୁମାର ପାଲ ଓ ନିର୍ଦ୍ଦେଶକ (ବିତ୍ତ) ବନବିହାରୀ ପାଣି ପ୍ରମୁଖ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ। ଏଥିସହ ନିଗମ ଅଧୀନ ଗୁଆଳି, ରୋଇଡା-ସି, ଜିଲିଙ୍ଗ-ଲାଙ୍ଗଲୋଟା, ବାଂଶପାଣି, ଡୁବୁନା-ସେକ୍ରାଡିହି, କାଳିଆପାଣି, ଗନ୍ଧମାର୍ଦ୍ଦନ, ଖଣ୍ଡବନ୍ଧ, ବାଙ୍ଗୁର, କୋଡିଙ୍ଗାମାଳି, ସୁକରଙ୍ଗି ଖଣି ଓ ଏହାର ପାର୍ଶ୍ୱବର୍ତ୍ତୀ ୨୭ଟି ସ୍ଥାନରେ ୧ଲକ୍ଷ ଚାରା ରୋପଣ କରାଯାଇଛି। ଓଏମ୍‌ସିର କାର୍ଯ୍ୟକ୍ଷମ ଖଣି କ୍ଷେତ୍ରଗୁଡ଼ିକରେ ୬୦.୦୭୪ ହେକ୍ଟର ଓ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପ୍ରାୟ ୨.୯ କିଲୋମିଟର ନିକଟବର୍ତ୍ତୀ ଜମିରେ ଚାରାରୋପଣ କରାଯାଇଛି।

ଆଇଆଇଏମ୍‌ଟି
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଇଣ୍ଟରସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍ ଟେକ୍ନୋଲୋଜି (ଆଇଆଇଏମ୍‌ଟି)ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗେଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ ନିଗମାନନ୍ଦ ମିଶ୍ର ଆଇଆଇଏମ୍‌ଟିକୁ ୨୦୦ ଚାରା ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଆଇଆଇଏମ୍‌ଟି ଅଧ୍ୟକ୍ଷ ଶ୍ରୀକାନ୍ତ ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରଫେସର ଜୟଦେବ କରଙ୍କ ସହ ସମସ୍ତ ଅଧ୍ୟାପକ ଓ ଛାତ୍ର ଉପସ୍ଥିତ ଥିଲେ। ଆଇଆଇଏମ୍‌ଟିର କର୍ମଚାରୀ ଏବଂ ଅଧ୍ୟାପକମାନେ ସାମିଲ ହୋଇ କ୍ୟାମ୍ପସକୁ ସବୁଜିମାର ସ୍ଥାନ କରିବାକୁ ଶପଥ ନେଇଥିଲେ।